28.1 C
Bhubaneswar
Sunday, October 6, 2024
Homeଓଡିଶାସାମ୍ଭାବ୍ୟ ବାତ୍ୟାର ପ୍ରଭାବ; ଆଜିଠୁ ୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା!

ସାମ୍ଭାବ୍ୟ ବାତ୍ୟାର ପ୍ରଭାବ; ଆଜିଠୁ ୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା!

ଭୁବନେଶ୍ୱର:  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଘନୀଭୂତ ହୋଇ ଆଜି ଗଭୀର ଅବପାତରେ ପରିଣତ ହୋଇଛି । ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ତେବେ ସାମ୍ଭବ୍ୟ ବାତ୍ୟା ପ୍ରଭାବରେ ଆଜିଠୁ  ୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  କାଲିଠୁ ୭ ତାରିଖ ଯାଏଁ ଦକ୍ଷିଣ ଓଡ଼ିଶାରେ ବର୍ଷା ପୂର୍ବାନୁମାନ କରାଯାଇଛି । ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ପରିସ୍ଥିତିର ମୁକାବିଲା ପାଇଁ ରାଜା ସରକାର ତତ୍ପରତା ପ୍ରକାଶ କରିଛନ୍ତି । ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୫ଟି ଜିଲ୍ଲାର କୃଷି ଅଧିକାରୀଙ୍କ ଛୁଟି ବାତିଲ କରିଦେଇଛନ୍ତି । ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଆଲର୍ଟ କରାଯାଇଛି ।

ଅନ୍ୟପଟେ ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୟାଗଡ଼ରେ ମାତ୍ରାଧିକ ବର୍ଷା ଆଶଙ୍କା କରାଯାଉଛି । ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକରେ ମଧ୍ୟ ମାତ୍ରାଧିକ ବର୍ଷା ଆଶଙ୍କା କରାଯାଉଛି । ଅମଳ ହୋଇଥିବା ଫସଲର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ କୃଷି ବିଭାଗ ପରାମର୍ଶ ଦେଇଛି । ଧାନ ସହ ମାଣ୍ଡିଆ ଓ କପା ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଥିବାବେଳେ ଜଳସେଚନ, ସାର ଓ କୀଟନାଶକ ସିଞ୍ଚନ ବନ୍ଦ ପାଇଁ ପରାମର୍ଶ ଦିଆଯାଇଛି ।  ପନିପରିବା ଓ ରବି ଫସଲ ପାଇଁ ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ  କୃଷି ବିଭାଗ ପରାମର୍ଶ ଦେଇଛି ।

ଭୁବନେଶ୍ୱର ଆଞ୍ଚିଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ‘ଗତ ୬ ଘଣ୍ଟା ମଧ୍ୟରେ ପ୍ରତି ୧୩ କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଗତକାଲିର ଅବପାତ ଆହୁରି ଘନୀଭୂତ ହୋଇଛି । ଏହା ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଗଭୀର ଅବପାତ ରୂପ ନେଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ବାତ୍ୟା ରୂପ ନେବ ।’ ଏହାର ପ୍ରଭାବରେ ଡିସେମ୍ବର ୩ରୁ ୭ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୫ ତାରିଖରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସେହିପରି ୬ ତାରିଖରେ ପୁରୀ ସମେତ କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁରରେ ପ୍ରବଳବର୍ଷା ସମ୍ଭାବନା ଥିବାବେଳେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ୭ ତାରିଖରେ କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସୀଜୀବୀମାନଙ୍କୁ ଗଭୀର ସମୁଦ୍ରକୁ ଯିବା ପାଇଁ  ବାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking