34.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଉତ୍ତରକାଶୀ ଟନେଲ ଦୁର୍ଘଟଣା ମାମଲା; ଶ୍ରମିକଙ୍କ ନିକଟରେ ପହଞ୍ଚିଲା ୬ ଇଞ୍ଚ୍ ଓସାର ପାଇପ୍‌

ଉତ୍ତରକାଶୀ ଟନେଲ ଦୁର୍ଘଟଣା ମାମଲା; ଶ୍ରମିକଙ୍କ ନିକଟରେ ପହଞ୍ଚିଲା ୬ ଇଞ୍ଚ୍ ଓସାର ପାଇପ୍‌

ଡେରାଡୁନ : ଉତ୍ତରାଖଣ୍ଡର ଉତ୍ତରକାଶୀଠାରେ ନିର୍ମାଣାଧୀନ ଏକ ଟନେଲ ଗତ ରବିବାର ଭୁଶୁଡି ପଡିଛି । ସୋମବାର ସୁଦ୍ଧା ଦୁର୍ଘଟଣାର ନଅ ଦିନ ବିତିଯାଇଥିବା ସତ୍ତ୍ୱେ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ ମଧ୍ୟରୁ କାହାରିକୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇପାରିନାହିଁ । ତେବେ ସୋମବାର ଉଦ୍ଧାରକାରୀ ଦଳକୁ ସାମାନ୍ୟ ସଫଳତା ମିଳିଛି । ୬ ଇଞ୍ଚ୍ ଗୋଲେଇ ବିଶିଷ୍ଟ ଏକ ପାଇପ୍‌କୁ ଟନେଲ ମଧ୍ୟରେ ପ୍ରବେଶ କରାଯାଇଥିବାବେଳେ ଏହା ଫସିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିଛି । ଏହି ପାଇପ୍ ଯୋଗେ ଶ୍ରମିକଙ୍କୁ ସ୍ୱତନ୍ତ୍ର ଖାଦ୍ୟ ଓ ଆବଶ୍ୟକ ଔଷଧପତ୍ର ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଅବଶ୍ୟ ଡାକ୍ତରୀ ଦଳର ପରାମର୍ଶକ୍ରମେ ଶ୍ରମିକଙ୍କୁ ପୁଷ୍ଟିକର ଖାଦ୍ୟ ଓ ଔଷଧ ଯୋଗାଇବାର ବ୍ୟବସ୍ଥା କରାଯାଉଛି ।

ସୋମବାର ରାତି ସୁଦ୍ଧା ଶ୍ରମିକଙ୍କୁ ଏହି ପାଇପ୍ ବାଟେ ମୁଗଡାଲି ଖେଚୁଡି ପଠାଯିବ ବୋଲି ଜଣାପଡିଛି । ଫସିଥିବା ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ଠାକ୍ ରଖିବାକୁ ସମସ୍ତ ଉଦ୍ୟମ କରାଯାଉଥିବା ଉତ୍ତରାଖଣ୍ଡ ସରକାର କହିଛନ୍ତି । ଏହାବ୍ୟତୀତ ଶ୍ରମିକଙ୍କୁ ଶୁଖିଲା ଫଳ ଏବଂ ଆଣ୍ଟି-ଡିପ୍ରେସାଣ୍ଟ୍ (ମାନସିକ ଅବସାଦରୁ ମୁକ୍ତି) ଔଷଧ ପଠାଇବାର ଯୋଜନା ମଧ୍ୟ ରହିଛି । ଶ୍ରମିକଙ୍କ ସହ ଯୋଗାଯୋଗ ରକ୍ଷା କରିବାକୁ ଏକ ଚାର୍ଜର ସହ ମୋବାଇଲ ଫୋନ୍ ମଧ୍ୟ ଏହି ପାଇପ୍ ମାଧ୍ୟମରେ ଟନେଲ ମଧ୍ୟକୁ ପଠାଯିବ ବୋଲି ଉଦ୍ଧାରକାରୀ ଦଳର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ସୋମବାର ଆନ୍ତର୍ଜାତିକ ଟନେଲ ବିଶେଷଜ୍ଞ ଆର୍ନୋଲ୍ଡ ଡିସ୍କ୍ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି । ଆର୍ନୋଲ୍ଡ ହେଉଛନ୍ତି ଇଣ୍ଟରନ୍ୟାସନାଲ ଟନେଲିଂ ଆଣ୍ଡ୍ ଅଣ୍ଡରଗ୍ରାଉଣ୍ଡ ସ୍ପେସ୍ ଆସୋସିଏସନ୍‌ର ସଭାପତି ।

ଟନେଲ ମଧ୍ୟରୁ ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରାଯିବ ବୋଲି ସେ କହିଛନ୍ତି । କେବଳ ଶ୍ରମିକ ନୁହନ୍ତି, ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସବୁ କର୍ମଚାରୀଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି । ନିର୍ଦ୍ଧାରିତ ଶୈଳୀରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଥିବା ସେ ସୂଚନା ଦେଇଛନ୍ତି । ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆରଏଫ୍‌, ଆଇଟିବିପି, ଏସ୍‌ଡିଆରଏଫ୍ ଯବାନଙ୍କୁ ସାମିଲ କରାଯାଇଛି । ତିନିଟି ଉଦ୍ୟମ ବିଫଳ ହେବାପରେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଅନ୍ୟ ଯୋଜନା ହାତକୁ ନିଆଯାଇଛି । ତଦନୁଯାୟୀ ଟନେଲ ମଧ୍ୟକୁ ସିଧାସଳଖ ମେସିନ୍ ଭର୍ତ୍ତି ନକରି ପାହାଡର ଉପରିଭାଗରୁ ଭର୍ଟିକାଲ ଉପାୟରେ ସମାନ୍ତରାଳ ଗର୍ତ୍ତ ଖନନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଓଏନ୍‌ଜିସି, ଆରଭିଏନ୍‌ଏଲ, ସତ୍‌ଲେଜ ଜଳ ବିକାଶ ନିଗମ, ବର୍ଡର ରୋଡ୍ ଅର୍ଗାନାଇଜେସନ ଏବଂ ରାଜ୍ୟ ପୂର୍ତ୍ତ ବିଭାଗ ଇଞ୍ଜିନିୟରଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking