18.1 C
Bhubaneswar
Friday, November 22, 2024
Homeଦେଶ ବିଦେଶ‘ଏଆଇ ପିନ୍‌’ ନେଇପାରେ ସ୍ମାର୍ଟଫୋନ୍‌ର ସ୍ଥାନ

‘ଏଆଇ ପିନ୍‌’ ନେଇପାରେ ସ୍ମାର୍ଟଫୋନ୍‌ର ସ୍ଥାନ

ବ୍ୟୁରୋ : ବର୍ତ୍ତମାନ କୃତ୍ରିମ ପ୍ରଜ୍ଞା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ହେଉଛି ସବୁଠାରୁ ଅଧିକ ଚର୍ଚ୍ଚିତ ଶବ୍ଦ। ସବୁକ୍ଷେତ୍ରରେ କାର୍ଯ୍ୟକୁ ସହଜ ଓ ସରଳ କରିବା ପାଇଁ ଏଆଇର ବ୍ୟବହାର କରାଯାଉଛି । ଏପରିକି ହୋଟେଲ ମାନଙ୍କରେ ମଧ୍ୟ ଏଆଇ ପରିଚାରିକା ରଖାଯାଉଛି । ତେବେ ଖୁବ୍ ଶୀଘ୍ର ସ୍ମାର୍ଟଫୋନ୍‌ ଠାରୁ ଅଧିକ ବିଚକ୍ଷଣ କାମ ଦେଖାଉଥିବା ଏକ ବିକଳ୍ପ ଯନ୍ତ୍ର ବଜାରକୁ ଆସିବାକୁ ଯାଉଛି। ଏହି ବିକଳ୍ପ ଯନ୍ତ୍ର ହେଉଛି ‘ଏଆଇ ପିନ୍‌’ । ଏହି ଛୋଟ ଯନ୍ତ୍ରଟିରେ ସମସ୍ତ କାର୍ଯ୍ୟ କରିବା ସହଜ ହୋଇପାରିବ । ‘ଏଆଇ ପିନ୍‌’ ନାମକ ଏହି ଛୋଟ ଯନ୍ତ୍ରଟି ପୋଷାକରେ ଲଟକି ରହିପାରିବ।ଏହି ଯନ୍ତ୍ରଟି ଦୁଇ ପ୍ରକାର ଅଛି । ଗୋଟିଏ ହେଉଛି ଏକ ବର୍ଗାକୃତି ଯନ୍ତ୍ରାଂଶ ଓ ଅନ୍ୟଟି ହେଉଛି ଏହାର ବ୍ୟାଟେରି ଯାହା ଚୁମ୍ବକ ପରି ପୋଷାକପତ୍ର ବା କୌଣସି ସମତଳରେ ଲାଖି ରହିପାରିବ। ଏହା ‘ଓପନ୍‌ଏଆଇ’ର ଜିପିଟି-୪ ଦ୍ବାରା କ୍ରିୟାଶୀଳ ଏବଂ ମାଇକ୍ରୋସଫ୍‌ଟର ଏଆଇ ଜ୍ଞାନକୌଶଳରେ ପରିଚାଳିତ। ଆପଲ୍‌ କମ୍ପାନିର ଯନ୍ତ୍ରୀମାନଙ୍କ ଦ୍ବାରା ସ୍ଥାପିତ ‘ହ୍ୟୁମେନ୍‌’ ନାମକ କମ୍ପାନି ଏହି ଯନ୍ତ୍ରକୁ ଖୁବ ଶୀଘ୍ର ପ୍ରଥମ କରି ଏପରି ଉତ୍ପାଦ ବଜାରକୁ ଛାଡିବା ପାଇଁ ପ୍ରସ୍ତୁତ କରିଛି ।ଏହାର ମୂଲ୍ୟ ରହିଛି ୬୯୯ ଡଲାର ବା ପ୍ରାୟ ୫୮ ହଜାର ଟଙ୍କା । ଯଦି ଏହି ‘ଏଆଇ ପିନ୍‌’କୁ କରହି କିସ୍ତିରେ କିଣିବାକୁ ଚାହିଁବେ ତେବେ ମାସିକ ୨ ହଜାର ଟଙ୍କାର କିସ୍ତିରେ କିଣିପାରିବ। ଆଶ୍ଚର୍ଯ୍ୟ କଥାଟି ହେଲା ସ୍ମାର୍ଟଫୋନ୍‌ଠୁ ଅଧିକ ବିଚକ୍ଷଣ କାମ କରୁଥିବା ଏହି ଯନ୍ତ୍ରାଂଶର କୌଣସି ପରଦା ନାହିଁ।ବ୍ୟାଟେରୀ ସହ ଏହାର ଓଜନ ମାତ୍ର ୬୦ ଗ୍ରାମ ରହିଛି । ଏଥିସହ ଏହି ଯନ୍ତ୍ରରେ ସ୍ମାର୍ଟଫୋନ୍‌ ପରି ବ୍ଲୁଟୁଥ୍‌, କଲର ଆଇଡି ସମେତ ଏକ ୧୩-ମେଗାପିକ୍ସେଲ କ୍ୟାମେରା ରହିଛି। ଏଥିରେ ଏକ ସୂକ୍ଷ୍ମ ପ୍ରୋଜେକ୍ଟର ରହିଛି, ଯାହା ଯେ କୌଣସି ତଥ୍ୟକୁ ବ୍ୟବହାରକାରୀର ପାପୁଲିରେ ଦେଖାଇପାରିବ। ସବୁଠୁ ବଡ କଥା ହେଲା ‘ଏଆଇ ପିନ୍’ ସ୍ମାର୍ଟଫୋନ୍ ନିଶାକୁ ଦୂର କରିବାରେ ବିଶେଷ ସହାୟକ ହେବ ବୋଲି କୁହାଯାଉଛି।ତେବେ ‘ସ୍ନାପ୍‌ଡ୍ରାଗନ୍‌’ ପ୍ରସେସର ଓ ‘କସ୍ମୋସ୍‌’ ନାମକ ଓପରେଟିଙ୍ଗ ସିଷ୍ଟମ୍ ଦ୍ବାରା ପରିଚାଳିତ ଏହି ଯନ୍ତ୍ରରେ କୌଣସି ତୃତୀୟ ପକ୍ଷର ଆପ୍‌ସ ଡାଉନ୍‌ଲୋଡ୍‌ କରିବାର ଆବଶ୍ୟକତା ନାହିଁ। ବ୍ୟବହାରକାରୀର ଆବଶ୍ୟକତା ଅନୁଯାୟୀ ଏହା ଆପେ ଆପେ ନିର୍ଦ୍ଦିଷ୍ଟ ଆପ୍ଲିକେସନ୍‌ ପ୍ରସ୍ତୁତ କରିପାରିବ। ୨୦୨୪ ପ୍ରଥମାର୍ଦ୍ଧରେ ଏହି ଗ୍ୟାଜେଟ୍‌ ଗ୍ରାହକଙ୍କୁ ଯୋଗାଇ ଦିଆଯିବ ବୋଲି କମ୍ପାନି ତରଫରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking