26.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶଦିଲ୍ଲୀ ଆକାଶ ପୁଣି ପ୍ରଦୂଷିତ; ସୁପ୍ରିମ୍‌କୋର୍ଟଙ୍କ କଟକଣାକୁ ବେଖାତିର

ଦିଲ୍ଲୀ ଆକାଶ ପୁଣି ପ୍ରଦୂଷିତ; ସୁପ୍ରିମ୍‌କୋର୍ଟଙ୍କ କଟକଣାକୁ ବେଖାତିର

ନୂଆଦିଲ୍ଲୀ:  ଦୀପାବଳୀ ପରେ ଦିଲ୍ଲୀ ଆକାଶ ପୁଣି ପ୍ରଦୂଷିତ ହୋଇପଡିଥିବା ଲକ୍ଷ୍ୟ କରାଯାଇଛି । ସୁପ୍ରିମ୍‌କୋର୍ଟଙ୍କ କଡା କଟକଣା ସତ୍ତ୍ୱେ ଦୀପାବଳିରେ ଦିଲ୍ଲୀ ଓ ଏନ୍‌ସିଆର (ନ୍ୟାସନାଲ କ୍ୟାପିଟାଲ ରିଜିଅନ୍‌)ରେ ପ୍ରଚୁର ବାଣ ଫୁଟାଇଥିବାରୁ ଏହାର କୁପ୍ରଭାବ ବାୟୁମଣ୍ଡଳ ଉପରେ ପଡିଛି ବୋଲି ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଦିଲ୍ଲୀରେ ବାଣ ବିକ୍ରି ଓ ବାଣଫୁଟାକୁ କେଜ୍ରିୱାଲ ସରକାର ଦୀର୍ଘ ବର୍ଷ ଧରି ବ୍ୟାନ୍ କରିଆସୁଥିବାବେଳେ ଏତେ ସଂଖ୍ୟାରେ ବାଣ କିପରି ଫୁଟିଲା ବୋଲି ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ ପଚାରିଥିଲେ । ଜବାବରେ ଗୋପାଳ କହିଛନ୍ତି ଯେ ବିଜେପି ଶାସିତ ଉତ୍ତର ପ୍ରଦେଶ ଓ ହରିୟାଣାରୁ ଚୋରାରେ ଦିଲ୍ଲୀକୁ ବାଣ ଯୋଗାଇ ଦିଆଯାଇଛି ।

ବାଣ ଚାଲାଣ କାର୍ଯ୍ୟକୁ ପ୍ରୋତ୍ସାହିତ କରିବାରେ ଦିଲ୍ଲୀ, ଉତ୍ତର ପ୍ରଦେଶ ଏବଂ ହରିୟାଣା ପୁଲିସର ଭୂମିକା ରହିଥିବା ମଧ୍ୟ ସେ ଆକ୍ଷେପ କରିଛନ୍ତି । ପ୍ରଦୂଷଣ ରୋକିବା ପ୍ରସଙ୍ଗରେ ଦିଲ୍ଲୀରେ କ୍ଷମତାସୀନ ଆପ୍ ସରକାର ସମାଲୋଚନାର ଶିକାର ହେଉଥିବାବେଳେ ଏହାକୁ ଅଧିକ ବଦନାମ କରିବାକୁ ବିଜେପି ଚକ୍ରାନ୍ତ ଚଳାଇଥିବା ସେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ପ୍ରାୟ ଦୁଇ ସପ୍ତାହ ଧରି ଦିଲ୍ଲୀର ଏକ୍ୟୁଆର ( ଏୟାର କ୍ୱାଲିଟୀ ଇଣ୍ଡେକ୍ସ) ବିପଦ ସଙ୍କେତଠାରୁ ଯଥେଷ୍ଟ ଉପରେ ରହିଆସୁଥିଲା । ତେବେ ଶୁକ୍ରବାର ବର୍ଷା ହେବାଫଳରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଯଥେଷ୍ଟ ହ୍ରାସ ପାଇଥିଲା । ଦୀପାବଳି ଅବସରରେ କେତେକ ବିଜେପି ନେତା ବାଣ ଫୁଟାଇବାକୁ ଲୋକଙ୍କୁ ଉସ୍‌କାଇଥିବା ଗୋପାଳ କହିଛନ୍ତି । ଯାହାଫଳରେ ଦୀପାବଳି ପରେ ଦିଲ୍ଲୀର ହାରାହାରି ଏକ୍ୟୁଆର ଆଉ ୧୦୦ ବୃଦ୍ଧି ପାଇଛି । ଏପରିକି ସୋମବାର ଜବାହାରଲାଲ ନେହେରୁ ଷ୍ଟାଡିୟମ ନିକଟରେ ଏକ୍ୟୁଆର ୯୧୦ ଛୁଇଁଥିବାବେଳେ ଲଜପତ୍ ନଗରରେ ଏହା ୯୫୯, କରୋଲବାଗ୍‌ରେ ୭୭୯ ରହିଥିବା ସେ ସୂଚନା ଦେଇଛନ୍ତି । ଦିଲ୍ଲୀ ବାସିନ୍ଦାମାନେ ବିଭିନ୍ନ ପାର୍କରେ ଏକତ୍ର ହୋଇ ପ୍ରବଳ ପରିମାଣରେ ବାଣ ଫୁଟାଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଦୀପାବଳିରେ ପାରମ୍ପରିକ ରାସାୟନିକ ବାଣକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଥିବାବେଳେ କେବଳ ସବୁଜ ବାଣ ବ୍ୟବହାରକୁ ଅନୁମତି ମିଳିଥିଲା । ପୁନଶ୍ଚ ନଡାପୋଡି ବନ୍ଦ କରିବାକୁ ସୁପ୍ରିମକୋର୍ଟ ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ ଓ ରାଜସ୍ଥାନ ସରକାରଙ୍କୁ କଡା ନିର୍ଦ୍ଦେଶ ଦେଇସାରିଛନ୍ତି । ଦିଲ୍ଲୀ ମଧ୍ୟକୁ ବିଏସ୍‌-୩ ଓ ବିଏସ୍‌-୪ ପେଟ୍ରୋଲ ଚାଳିତ ଯାନର ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ବିଭିନ୍ନ ସୀମାନ୍ତରେ ପଇଁତରା ମାରି ଏଭଳି ଯାନାବାହନ ଉପରେ କଡା ନଜର ରଖୁଛନ୍ତି । ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ସ୍ଥାପନ କରାଯାଇଥିବା ସ୍ମଗ୍ ମେସିନ୍‌ଗୁଡିକ କାର୍ଯ୍ୟ କରୁନଥିବାରୁ ସୁପ୍ରିମକୋର୍ଟ ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି । ଦିଲ୍ଲୀ ସରକାର ଚଳିତମାସ ୧୩ରୁ ସହରରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା କାର୍ଯ୍ୟକାରୀ କରିବାକୁ ପୂର୍ବରୁ ଯାହା ଘୋଷଣା କରିଥିଲେ, ତାହାକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking