ବେଙ୍ଗାଲୁର: ଭାରତୀୟ ଜନତା ପାର୍ଟି (ବିଜେପି) ଶୁକ୍ରବାର କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କ ପୁତ୍ର ବିୱାଇ ବିଜୟେନ୍ଦ୍ରଙ୍କୁ ପାର୍ଟିର ରାଜ୍ୟ ୟୁନିଟ୍ ପ୍ରମୁଖ ଭାବେ ନିଯୁକ୍ତ କରିଛି । ବିଜୟେନ୍ଦ୍ରଙ୍କ ଆଶ୍ଚର୍ଯ୍ୟଜନକ ନିଯୁକ୍ତି ଭେଟେରାନ୍ ଲିଙ୍ଗାୟତ୍ ନେତା ୟେଦିୟୁରପ୍ପାଙ୍କ ପ୍ରଭାବକୁ ପାର୍ଟି ନେତୃତ୍ୱର ସ୍ୱୀକୃତିକୁ ରେଖାଙ୍କିତ କରୁଛି । ନଳୀନ କୁମାର କତିଲ୍ଙ୍କ ସ୍ଥାନରେ ନିଯୁକ୍ତ ବିଧାୟକ ବିଜୟେନ୍ଦ୍ର ଜଣେ କୁଶଳ ସଂଗଠନାତ୍ମକ ନେତା ଭାବେ ଜଣାଶୁଣା ।
ୟେଦିୟୁରପ୍ପାଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ଦେଖାଯାଉଥିବା ବିଜୟେନ୍ଦ୍ର (୪୭)ଙ୍କ ନିଯୁକ୍ତି ସହିତ ବହୁଦିନ ଧରି ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଗତ ମେ ମାସରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସଠାରୁ ବିଜେପିର ଶୋଚନୀୟ ପରାଜୟ ପରେ ପାର୍ଟିର ରାଜ୍ୟ ନେତୃତ୍ୱରେ ପରିବର୍ତ୍ତନ କରାଯିବାର ସମ୍ଭାବନା ସୃଷ୍ଟି ହୋଇଥିଲା ।