25.1 C
Bhubaneswar
Thursday, October 24, 2024
Homeଓଡିଶାହାଇକୋର୍ଟରେ ନାଟମଣ୍ଡପ ମରାମତି ମାମଲା: ପ୍ରତ୍ନତତ୍ତ୍ୱ ବିଭାଗକୁ ସବିଶେଷ ତଥ୍ୟ ଦାଖଲ ନିର୍ଦ୍ଦେଶ

ହାଇକୋର୍ଟରେ ନାଟମଣ୍ଡପ ମରାମତି ମାମଲା: ପ୍ରତ୍ନତତ୍ତ୍ୱ ବିଭାଗକୁ ସବିଶେଷ ତଥ୍ୟ ଦାଖଲ ନିର୍ଦ୍ଦେଶ

କଟକ: ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ସମ୍ପର୍କିତ ମାମଲାରେ କି କି ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ସବିଶେଷ ବିବରଣୀ ବିସ୍ତୃତ ଭାବେ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ହାଇକୋର୍ଟ ପ୍ରତ୍ନତତ୍ତ୍ୱ ବିଭାଗକୁ ଆଦେଶ ଦେଇଛନ୍ତି । ହାଇକୋର୍ଟ ଏହି ମାମଲାରେ ଶ୍ରୀମନ୍ଦିର ପ୍ରଶାସନକୁ ମଧ୍ୟ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ମାମଲାର ଶୁଣାଣିବେଳେ କଣ ପାଇଁ ୨୦୧୭ ମସିହାରୁ ନାଟମଣ୍ଡପର ମରାମତି କାର୍ଯ୍ୟ ଶେଷ ହୋଇନାହିଁ ସେ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ଅନ୍ୟପକ୍ଷରେ କେତେକ ପ୍ରସଙ୍ଗରେ ପ୍ରତିପକ୍ଷ ବାରମ୍ବାର ମହଲତ ନେଉଛନ୍ତି ବୋଲି ମଧ୍ୟ ଅଦାଲତ ଦର୍ଶାଇଥିଲେ । ତେବେ ନାଟମଣ୍ଡପର ମରାମତି ସମ୍ପର୍କରେ କି କି ମରାମତି କାର୍ଯ୍ୟ ବାକି ରହିଛି ସେ ସମ୍ପର୍କରେ ମଧ୍ୟ ଅଦାଲତ ପ୍ରତ୍ନତତ୍ତ୍ୱ ବିଭାଗର ପୁରୀ ସର୍କଲ୍‌ର ସୁପରିଟେଣ୍ଡିଙ୍ଗ୍ ଆର୍କିଓଲୋଜିଷ୍ଟ୍ ଡ. ଦିବିଶାଦ ବ୍ରଜସୁନ୍ଦର ଗଡନାୟକଙ୍କୁ ରିପୋର୍ଟ ମାଗିଛନ୍ତି । ହାଇକୋର୍ଟରେ ମାମଲାର ଶୁଣାଣିବେଳେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଅଦାଲତଙ୍କୁ ଅବଗତ କରାଯାଇଥିଲା ଯେ ବିଭାଗ ପକ୍ଷରୁ ଆଇଆଇଟି ମାଡ୍ରାସ୍‌କୁ ବୈଷୟିକ ପରାମର୍ଶ ଲୋଡାଯାଇଛି । ମରାମତି ସମ୍ପର୍କରେ ସେଠାରୁ ସବିଶେଷ ପରାମର୍ଶ ଆସିଲେ ବିଭାଗ ପକ୍ଷରୁ କାର୍ଯ୍ୟର ଅଗ୍ରଗତି ହେବ ।

ସେହିପରି ଆମିକସ୍‌କ୍ୟୁରୀ ଇଞ୍ଜିନିୟର୍ ଏନ୍‌.କେ. ମହାନ୍ତି ନାଟମଣ୍ଡପ ମରାମତି ସମ୍ପର୍କରେ ଏକ ରିପୋର୍ଟ ଅଦାଲତରେ ଦାଖଲ କରି ଅନୁରୁପ ମନ୍ତବ୍ୟ ଦେଇଥିଲେ । ଦାଖଲ ରିପୋର୍ଟରେ ଆଇଆଇଟି ମାଡ୍ରାସ୍‌ଙ୍କ ନିଷ୍କ୍ରିୟତା ଯୋଗୁ ନାଟମଣ୍ଡପ ମରାମତି କାର୍ଯ୍ୟର ଅଗ୍ରଗତି ହୋଇପାରୁନାହିଁ ବୋଲି ଦର୍ଶାଯାଇଛି । ଆବେଦନକାରୀ ଅଭିଷେକ୍ ଦାସ, ଦିଲ୍ଲୀପ୍ ମହାପାତ୍ର ଓ ଅନ୍ୟମାନଙ୍କ ପକ୍ଷରୁ ରୁଜୁ ଆବେଦନର ଶୁଣାଣି କରି ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ ଓ ବିଚାରପତି ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ଆଦେଶ ଦେବା ସହିତ ଆସନ୍ତା ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି । ସେହିପରି ଏହି ଦିନ ରତ୍ନଭଣ୍ଡାର ଓ କୋଣାର୍କ ସୂର୍ଯ୍ୟମନ୍ଦିର ମରାମତି ଓ ସଂରକ୍ଷଣ ସମ୍ପର୍କିତ ମାମଲାର ମଧ୍ୟ ଶୁଣାଣି ହେବ ବୋଲି ଅଦାଲତ କହିଛନ୍ତି । ସୂଚନାଥାଉକି ଶ୍ରୀମନ୍ଦିର ନାଟମଣ୍ଡପ ତୁରନ୍ତ ମରାମତି ପାଇଁ ହାଇକୋର୍ଟରେ ମାମଲାର ମୂଳ ଆବେଦନକାରୀ ଅଭିଷେକ୍ ଦାସଙ୍କ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି ।

ଏଥିରେ ଶ୍ରୀମନ୍ଦିର ସୁରକ୍ଷା ପାଇଁ ନାଟମଣ୍ଡପର ମରାମତି ତୁରନ୍ତ ଆବଶ୍ୟକ ବୋଲି ଦର୍ଶାଯାଇଛି । ଗତ ଅଗଷ୍ଟ ୧୧ତାରିଖରେ ଆମିକସ୍‌କ୍ୟୁରୀ ନାଟମଣ୍ଡର ମରାମତି ଆବଶ୍ୟକ ଥିବା ଦର୍ଶାଇ ଯେଉଁ ରିପୋର୍ଟ ପ୍ରଦାନ କରିଥିଲେ ତାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଆବେଦନ କରାଯାଇଛି । ଆମିକସ୍‌କ୍ୟୁରୀ ତାଙ୍କ ରିପୋର୍ଟରେ ନାଟମଣ୍ଡପ କ୍ରାକ୍ ବିମ୍‌କୁ ପିଡବ୍ଲ୍ୟୁଡି ମୁଖ୍ୟଯନ୍ତ୍ରୀଙ୍କ ଓ ଏକ୍ସ୍‌ପର୍ଟ ସହ ପରାମର୍ଶ କରି ଅଗ୍ରୀମ ଭିତିରେ ପ୍ରତ୍ନତତ୍ତ୍ୱ ବିଭାଗକୁ ମରାମତି କରିବାକୁ ରିପୋର୍ଟରେ ଦର୍ଶାଇଥିଲେ ।

ତେବେ ମାମଲାର ପ୍ରତିପକ୍ଷମାନେ ନାଟମଣ୍ଡପ ମରାମତି କରିବାରେ ଅତ୍ୟଧିକ ବିଳମ୍ବ କରୁଥିବା ରୁଜୁ ମାମଲାରେ ଆବେଦନକାରୀ ଅଭିଯୋଗ କରିଛନ୍ତି । ଶ୍ରୀମନ୍ଦିର ଏକ ଐତିହାସିକ ମନ୍ଦିର ହୋଇଥିବାବେଳେ ଏହାର ସୁରକ୍ଷା ଓ ସଂରକ୍ଷଣ ଜରୁରୀ ହୋଇପଡିଛି ବୋଲି ମାମଲାରେ କୁହାଯାଇଛି । ପୂର୍ବରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଜଗମୋହନ ଓ କୋଣାର୍କ ମନ୍ଦିର ମରାମତି ସମ୍ପର୍କିତ ଜନହିତ ମାମଲାରେ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ) ପକ୍ଷରୁ ହାଇକୋର୍ଟରେ ଜବାବ ରଖଯାଇଥିଲା । ଏଥିରେ ଶ୍ରୀମନ୍ଦିର ଜଗମୋହନ ଓ ନାଟ ମଣ୍ଡପର ମରାମତି କାର୍ଯ୍ୟ ଶେଷ ହୋଇଥିବା ସମ୍ପର୍କରେ ପ୍ରତ୍ନତତ୍ତ୍ୱ ବିଭାଗ ତରଫରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା ।

ବିଭାଗ ପକ୍ଷରୁ କୁହାଯାଇଥିଲା ଯେ, ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶଗୁଡିକୁ ସବୁ ପାଳନ କରାଯାଇ ମରାମତି କାର୍ଯ୍ୟ ଶେଷ ହୋଇଛି । ତେବେ ଜଗମୋହନ ଓ ନାଟମଣ୍ଡପ ମରାମତି ପ୍ରସଙ୍ଗରେ କୋର୍ କମିଟି ଓ ଏକ୍ସପର୍ଟ ମତାମତ ହସ୍ତଗତ ହୋଇଛି । ବୈଷୟିକ କମିଟି ଏହାକୁ ଅନୁମୋଦନ କଲେ ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା । ହାଇକୋର୍ଟ ମାମଲାର ଶୁଣାଣି କରି ଶେଷ ହୋଇଥିବା ଜଗମୋହନଦ ଓ ନାଟମଣ୍ଡପ ମରାମତି କାର୍ଯ୍ୟର ବିସ୍ତୃତ ତଥ୍ୟ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ଆଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking