ରତ୍ଲାମ୍ : ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ଘୋଷଣା କରିଛନ୍ତି । ମାଗଣା ରାସନ୍ ଯୋଜନା ଆଉ ପାଞ୍ଚବର୍ଷ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଛତିଶଗଡ଼ର ଦୁର୍ଗରେ ଘୋଷଣା କରିଛନ୍ତି । ଦେଶର ୮୦ କୋଟି ଗରିବଙ୍କ ନିମନ୍ତେ ମାଗଣା ରାସନ୍ ଯୋଜନାକୁ ଆଉ ପାଞ୍ଚବର୍ଷ ବୃଦ୍ଧି କରିବାକୁ ତାଙ୍କ ସରକାର ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି ।
ଦୁର୍ଗରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣମାନଙ୍କ ସ୍ନେହ ଏବଂ ଆଶୀର୍ବାଦ ଏହି ନିର୍ଣ୍ଣୟ ନେବାପାଇଁ ମୋତେ ଶକ୍ତି ପ୍ରଦାନ କରୁଛି । ରତଲାମ୍ରେ ଅନୁରୂପ ଘୋଷଣା କରି ପ୍ରଧାନମନ୍ତ୍ରୀ କହିଥିଲେ ମାଗଣା ରାସନ୍ ଯୋଜନା ସମ୍ପ୍ରସାରଣ ‘ମୋଦୀଙ୍କ ଗ୍ୟାରେଣ୍ଟି’ । ଯୋଜନାର ସମ୍ପ୍ରସାରଣ ଫଳରେ ଗରିବମାନେ ସଞ୍ଚୟ କରିଥିବା ଅର୍ଥ ସେମାନଙ୍କୁ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ । ସେ କହିଛନ୍ତି, ମୋଦୀଙ୍କ ଗ୍ୟାରେଣ୍ଟିର ଅର୍ଥ ହେଉଛି ପ୍ରତିଶ୍ରୁତି ପୂରଣ ।
ଗତବର୍ଷ ଡିସେମ୍ବରରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ଦେଶର ୮୧ ଲକ୍ଷରୁ ଅଧିକ ଲୋକଙ୍କୁ ଏକବର୍ଷ ପାଇଁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ । ଏହି ଯୋଜନା ଯୋଗୁଁ କେନ୍ଦ୍ର ସରକାରଙ୍କ ଉପରେ ପ୍ରତିବର୍ଷ ୨ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ୁଛି ।
ଦୁର୍ଗ ରାଲିରେ ପ୍ରଧାନମନ୍ତ୍ରୀ ସ୍ମରଣ କରାଇଥିଲେ ଯେ ଛତିଶଗଡ଼କୁ ବିଜେପି ନେତୃତ୍ୱାଧୀନ ସରକାର ଗଠନ କରିଥିଲେ । ସେ ଆହୁରି କହିଥିଲେ, ବିଜେପି ରାଜ୍ୟରେ ସମୃଦ୍ଧି ସୁନିଶ୍ଚିତ କରିବ ଏବଂ କଂଗ୍ରେସକୁ କଡ଼ା ଜବାବ ଦେବ । କଂଗ୍ରେସ ଗରିବଙ୍କୁ ପ୍ରତାରଣା ବ୍ୟତୀତ କେବେ ବି କିଛି ଦେଇନାହିଁ । ଗରିବଙ୍କ ପ୍ରତି ସମ୍ମାନ ନାହିଁ । ସେମାନେ କେବେ ବି ଗରିବଙ୍କ ଦୁଃଖ ଯନ୍ତ୍ରଣା ବୁଝନ୍ତି ନାହିଁ । ଏଥିପାଇଁ ଯେତେ ଦିନ କଂଗ୍ରେସ କେନ୍ଦ୍ରରେ କ୍ଷମତାରେ ରହିଛି, କେବଳ ଗରିବଙ୍କ ହକ୍ ଅର୍ଥ ଲୁଟି ନିଜ ନେତାଙ୍କ ଟ୍ରେଜେରୀ ଭରିଛି । ୨୦୧୪ରେ କ୍ଷମତାକୁ ଆସିବା ଆପଣମାନଙ୍କ ଏହି ପୁଅ ଗରିବ କଲ୍ୟାଣକୁ ନିଜର ସବୁଠୁ ବଡ଼ ପ୍ରାଥମିକତା କରିଛି । ଆମେ ଆମ ଗରିବ ଭାଇ-ଭଉଣୀଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇଛୁ ଯେ ସେମାନଙ୍କ ଦାରିଦ୍ୟ ଦୂର ହୋଇପାରିବ ।
ମୋଦୀ କହିଥିଲେ, ବିଜେପି ଶାସନର କେବଳ ୫ ବର୍ଷରେ ସାଢ଼େ ୧୩ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟରୁ ବାହାରକୁ ଆସିଛନ୍ତି । ଆମେ ଏପରି ନୀତି ପ୍ରସ୍ତୁତ କରିଛୁ, ଯେଉଁ ପ୍ରତ୍ୟେକ ଗରିବ ନିଜ ଦ୍ରାରିଦ୍ୟର ଅନ୍ତ ଘଟାଇବା ପାଇଁ ସବୁଠୁ ବଡ଼ ସିପାହୀ ଭାବେ ମୋଦୀର ସାଥୀ ହୋଇଯାଇଛନ୍ତି । ବିଜେପି ସରକାର ବହୁ ଧୈର୍ଯ୍ୟ ଓ ସଚ୍ଚୋଟତାର ସହ କାର୍ଯ୍ୟ କରୁଛି । ମୋଦୀ ପାଇଁ ଗରିବ ସବୁଠୁ ବଡ଼ ଜାତି । ମୋଦୀ ଗରିବର ସେବକ, ଭାଇ ଓ ପୁତ୍ର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଆହୁରି କହିଛନ୍ତି, ଦେଶର ଯେକୌଣସି ଅଞ୍ଚଳକୁ ଗଲେ ମଧ୍ୟ ମାଗଣା ରାସନ୍ ମିଳିବା ଜାରୀ ରହିବ । ଏଥିପାଇଁ ମୋଦୀ ୱାନ୍ ନେସନ୍-ୱାନ୍ ରାସନ୍ କାର୍ଡ ସୁବିଧା କରିଛି ।
ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି, କଂଗ୍ରେସ ସରକାର ମହାଦେବଙ୍କୁ ମଧ୍ୟ ଛାଡ଼ିନାହିଁ । ଦୁଇଦିନ ତଳେ ଛତିଶଗଡ଼ରେ ବଡ଼ ଧରଣର ଅପରେସନ୍ରେ ବିପୁଳ ପରିମାଣର ନଗଦ ଟଙ୍କା ଜବତ ହୋଇଥିଲା । ଏହି ଟଙ୍କା ଜୁଆଡ଼ିଙ୍କର ବୋଲି ଲୋକମାନେ କହୁଥିବା ବେଳେ ଏହି ଲୁଟ୍ ଅର୍ଥରେ କଂଗ୍ରେସ ନେତାମାନେ ନିଜର ଘର ଭରୁଛନ୍ତି ।
ଦୁବାଇରେ ବସିଥିବା ଏହି ଘୋଟାଲାର ଅଭିଯୁକ୍ତଙ୍କ ସହିତ ତାଙ୍କର କ’ଣ ସମ୍ବନ୍ଧ ରହିଛି, ଏଠାକାର ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସ୍ପଷ୍ଟ କରିବାକୁ ହେବ । ଏହି ସରକାର ଏକାଠାର ଲୋକଙ୍କ ବିଶ୍ୱାସ ହରାଇଛି ବୋଲି ମୋଦୀ କହିଛନ୍ତି । ସୂଚନାଯୋଗ୍ୟ, ୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭା ପାଇଁ ନଭେମ୍ବର ୭ ଓ ୧୭ ତାରିଖ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ ।