20.1 C
Bhubaneswar
Saturday, November 16, 2024
Homeଦେଶ ବିଦେଶ୯୬ ବର୍ଷୀୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ପେନ୍‌ସନ୍ ପ୍ରଦାନରେ ୪୦ ବର୍ଷ ବିଳମ୍ବ; କେନ୍ଦ୍ର ସରକାରଙ୍କୁ ୨୦...

୯୬ ବର୍ଷୀୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ପେନ୍‌ସନ୍ ପ୍ରଦାନରେ ୪୦ ବର୍ଷ ବିଳମ୍ବ; କେନ୍ଦ୍ର ସରକାରଙ୍କୁ ୨୦ ହଜାର ଜୋରିମାନା କଲେ କୋର୍ଟ

ନୂଆଦିଲ୍ଲୀ: ଜଣେ ୯୬ ବର୍ଷୀୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ପେନ୍‌ସନ୍ ପ୍ରଦାନରେ ୪୦ ବର୍ଷ ବିଳମ୍ବ ପାଇଁ ନିକଟରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ୨୦ ହଜାର ଟଙ୍କା ଜୋରିମାନା କରିଛନ୍ତି । ସ୍ୱାଧୀନତା ସଂଗ୍ରାମୀ ଉତ୍ତମ ଲାଲ ସିଂହଙ୍କ ଆବେଦନର ଫଇସଲା କରି ଜଷ୍ଟିସ୍ ସୁବ୍ରମଣ୍ୟମ୍ ପ୍ରସାଦଙ୍କ ଜଣିକିଆ ବେଞ୍ଚ୍ ସରକାରଙ୍କ ଏଭଳି ‘ଅସୁବିଧାଜନକ ଆଭିମୁଖ୍ୟ’କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ଜୋରିମାନା ଅର୍ଥ ଆସନ୍ତା ୬ ସପ୍ତାହ ମଧ୍ୟରେ ଆବେଦନକାରୀଙ୍କୁ ପ୍ରଦାନ କରିବା ନିମନ୍ତେ ହାଇକୋର୍ଟ କହିଛନ୍ତି । ଏହା ସହିତ ସିଂହଙ୍କ ସ୍ୱାଧୀନତା ସୈନିକ ସମ୍ମାନ ପେନ୍‌ସନ୍ ୧୯୮୦ ମସିହାରୁ ବାର୍ଷିକ ୬ ପ୍ରତିଶତ ସୁଧ ହାରରେ ୧୨ ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଦେଶ ସ୍ୱାଧୀନ ପାଇଁ ଯେଉଁ ସ୍ୱାଧୀନତା ସଂଗ୍ରାମୀମାନେ ନିଜ ରକ୍ତ ଦେଇଥିଲେ, ସେମାନଙ୍କୁ ସମ୍ମାନିତ କରିବା ନିମନ୍ତେ ଭାରତ ସରକାର ‘ସ୍ୱାଧୀନତା ସୈନିକ ସମ୍ମାନ ପେନ୍‌ସନ୍ ଯୋଜନା’ ଲାଗୁ କରିଥିଲେ । ଜଣେ ୯୬ ବର୍ଷୀୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ନିଜର ହକ୍ ପେନ୍‌ସନ୍ ପାଇବା ପାଇଁ ବାର ଦୁଆର ହେବାକୁ ପଡ଼ୁଛି ବୋଲି ନଭେମ୍ବର ଦୁଇ ତାରିଖର ଏହି ରାୟରେ ଜଷ୍ଟିସ୍ ପ୍ରସାଦ କହିଛନ୍ତି । ଜଷ୍ଟିସ୍ ପ୍ରସାଦ କହିଛନ୍ତି, ଏହି ତତ୍କାଳ ରିଟ୍ ପିଟିସନ୍ ସମ୍ପୂର୍ଣ୍ଣ ଦୁଃଖଦ ସ୍ଥିତିକୁ ପ୍ରତିଫଳିତ କରୁଛି । ବେଞ୍ଚ୍ ଉଲ୍ଲେଖ କରିଛନ୍ତି ବିହାର ସରକାର ଆବେଦନକାରୀଙ୍କ ମାମଲା ସୁପାରିସ କରି ମୂଳ କାଗଜପତ୍ର ସହିତ କେନ୍ଦ୍ର ନିକଟକୁ ପଠାଇଥିଲେ ମଧ୍ୟ କେନ୍ଦ୍ର ସରକାର ତାହା ହଜାଇ ଦେଇଥିଲେ ।

ପୁଣିଥରେ ବିହାର ସରକାର ୨୦୨୨ ଜୁଲାଇ ୧୪ରେ ଆବେଦକାରୀଙ୍କ ନାମ ଯାଞ୍ଚ କରିଥିଲେ । ମାତ୍ର ଦେଶର ସ୍ୱାଧୀନତା ପାଇଁ ଲଢ଼େଇ କରିଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ବ୍ୟବହାର ଏବଂ ଅସମ୍ବେଦନଶୀଳତା ଅତ୍ୟନ୍ତ ଦୁଃଖଦାୟକ ବୋଲି ବେଞ୍ଚ୍ କହିବା ସହିତ ନିଜ ଅସନ୍ତୋଷ ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ, ଉତ୍ତମ ଲାଲ ସିଂହ ଭାରତ ଛାଡ଼ ଆନ୍ଦୋଳନ ସହିତ ସ୍ୱାଧୀନତା ସଂଗ୍ରାମରେ ଜଡ଼ିତ ଅନ୍ୟ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking