ଭୁବନେଶ୍ୱର: ଗାଜା, ୟୁକ୍ରେନ୍ରେ କଅଁଳାଶିଶୁକୁ ଅତି ବର୍ବର ଭାବରେ ହତ୍ୟା କରୁଥିବାର ଫଟୋଗ୍ରାଫ୍ ଟିଭି, ସମ୍ବାଦପତ୍ରରେ ଦେଖି ବିଶ୍ୱଜନଗଣଙ୍କ ମତାମତ ନଦେବା ମନୁଷ୍ୟତ୍ୱ ପ୍ରତି କୁଠାରଘାତ । କାରଣ ଏ ମାନବସମାଜ ପୂର୍ବରୁ ଅନେକ ବିଭତ୍ସ ଫଟୋ, ବିପର୍ଯ୍ୟୟ ଦେଖିଛି । ତା’ଠାରୁ ଆହୁରି ଭୟଙ୍କର ଗାଜାରେ ହସ୍ପିଟାଲ, ସ୍କୁଲ, ଶରଣାର୍ଥୀ ଶିବିର ଉପରେ ଅହରହ ରକେଟ୍ ମାଡକରି ଇସ୍ରାଏଲ ହିଂସ୍ର ସୈନ୍ୟବାହିନୀ ଏପର୍ଯ୍ୟନ୍ତ ପାଖାପାଖି ସାଢେ ୪ହଜାର ‘ଶିଶୁହତ୍ୟା’ କଲେଣି ।
ହଜାରହଜାର ଶିଶୁ ଆହତ । ଡାକ୍ତରଖାନାରେ ବିଜୁଳି, ପାଣି, ଖାଦ୍ୟ, ଔଷଧ ନାହିଁ । କେତେଯେ ନିର୍ଦ୍ଦୋଷ ଶିଶୁ ଅକାଳରେ ଝଡିପଡିବେ – ତା’ର ଉତ୍ତର ଦେବ କିଏ ? ଶିଶୁମାନେ ରକ୍ତାକ୍ତ ଅବସ୍ଥାରେ କାନ୍ଦୁଛନ୍ତି– କହୁଛନ୍ତି– “ଆମର ଦୋଷ ନାହିଁ । କାହିଁକି ଆମକୁ ମାରୁଛ ।” ଆପଣମାନଙ୍କର ମନେ ଥିବ କି ନଥିବ – ଇତିହାସ ଲିପିବଦ୍ଧ କରିଯାଇଛି । ଆମେରିକା-ଭିଏତନାମ ଯୁଦ୍ଧ ୨୦ବର୍ଷରୁ ଉର୍ଦ୍ଧ ଚାଲିଲା । ଆମେରିକାନ୍ ବର୍ବର ସୈନ୍ୟମାନେ ଭିଏତନାମର ଝିଅବୋହୂଙ୍କୁ ଘରୁ ଟାଣିଆଣି ଯୌନାଚାର କରୁଥିଲେ । ଯିଏ ରାଜି ନହେଲା – ତାକୁ ଲଙ୍ଗଳାକରି ହାଟବଜାରରେ ଗୋଡ ଦୁଇଟାକୁ ବାନ୍ଧି ଟାଙ୍ଗିଦେଇ ତାହା ଗାଲ, ସ୍ତନ, ପେଟ ଓ ସମ୍ବେଦନଶୀଳ ସ୍ଥାନରେ ବନ୍ଧୁକ ଖେଞ୍ôଚଦେଉଥିଲେ ।
ଏହା ସତ୍ତ୍ୱେ ବି ଭିଏତନାମବାସୀ ମଥାନତ କରିନଥିଲେ । ଶେଷରେ ନାପମ୍ବମ୍ ପକାଇଦେଲେ । ଜଣେ ଛୋଟଝିଅ ଲଙ୍ଗଳା ହୋଇ ରାଜରାସ୍ତ୍ରାରେ ଦଉଡିଥିଲା । ପଛରେ ଆମେରିକା ସୈନ୍ୟ । ଏ ଫଟୋଟିକୁ ଫଟୋଗ୍ରାଫର ନିକ୍ ଉଠାଇ ସମ୍ବାଦପତ୍ରକୁ ଛାଡିଦେଇଥିଲେ । ବିଶ୍ୱର ସମ୍ବାଦପତ୍ରରେ ପ୍ରଥମ ପୃଷ୍ଠାରେ ଛପାହୋଇଥିଲା । ସାରାବିଶ୍ୱରେ ଆମେରିକା ବିରୁଦ୍ଧରେ ଜନମତ, ବିକ୍ଷୋଭ ଦେଖାଦେଲା । ଆମେରିକା ଯୁଦ୍ଧ ବନ୍ଦକରି ୧୯୭୨ରୁ ଭିଏତନାମରୁ ପଳାୟନ କଲା ।
ସେଇଭଳି ୨୦୧୫ ମସିହାରେ ସିରିଆ ଗୃହଯୁଦ୍ଧରେ ୨ ବର୍ଷର ଶିଶୁଟିଏ ସମୁଦ୍ରବାଲିରେ ମରିଯାଇ ମୁହଁମାଡି ପଡିଛି । ୧୯୧୬ରେ ୫ବର୍ଷର ପିଲାଙ୍କୁ ଘରୁ ଟାଣି ବନ୍ଧୁକମୂନରେ ଚାରିଆଡେ ରକ୍ତାକ୍ତ କରିଦେଲେ । ସେ ପିଲା ମୁହଁରୁ ରକ୍ତ ଝରଝର ହୋଇ ବହୁଛି । ଅଥଚ ସେ କାନ୍ଦୁନାହିଁ । ଭିଏତନାମ, ସିରିଆରେ ଏଇ ୩ଟି ଫଟୋ ସାରାଦୁନିଆକୁ ଦୋହଲାଇ ଦେଇଥିଲା । ହଜାରହଜାର ଶଦ୍ଦ ଛାପିବା ଅପେକ୍ଷା ଛୋଟ ଫଟୋଟି ଯଥେଷ୍ଟ ଥିଲା ।
ଏବେ ୨୦୨୨ରୁ ରୁଷ-ୟୁକ୍ରେନ୍ ଯୁଦ୍ଧ ଲାଗିରହିଛି । ୟୁକ୍ରେନ୍ର ସାଧାରଣ ମଣିଷ, ମହିଳା, ଶିଶୁଙ୍କର ପ୍ରାଣ ଚାଲିଯାଉଛି । ଏଇ ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧରେ ଗାଜାର ଡାକ୍ତରଖାନା, ଆମ୍ବୁଲାନ୍ସ, ସ୍କୁଲ, ରିଫ୍ୟୁଜି କ୍ୟାମ୍ପ ଏବଂ ସହରର କୋଠାବାଡିକୁ ବର୍ବର ଇସ୍ରାଏଲ ସୈନ୍ୟ ଧ୍ୱଂସ କରିଚାଲିଛନ୍ତି । ହଜାରହଜାର ଶିଶୁଙ୍କ ମୃତ୍ୟୁ ହେଲାଣି – ଆହତ କଅଁଳା ଛୁଆ, ଶିଶୁମାନଙ୍କ ଛାତିଥରା କାନ୍ଦଣାରେ ଏ ବିଶ୍ୱବାସୀଙ୍କ କାନରେ କ’ଣ ଶୁଭାଯାଉନି । ସେ ଦୃଶ୍ୟ ଦେଖିଲେ – ଶତ୍ରୁ ବି ମୁହଁ ତଳକୁ କରିଦେବ ।
ଏବେ ଆମ ଭାରତରେ ମଣିପୁର ରକ୍ତତାଣ୍ଡବ ଚାଲିଛି । ମଣିପୁରର ମଣିଷ ଏବେ ଦିଲ୍ଲୀ ରାଜଧାନୀର ରାଜରାସ୍ତାରେ । ମାନବିକ, ଆଧ୍ୟାତ୍ମିକ ଅବବୋଧର ନିତ୍ୟନାଗରା ଶୁଣାଇଆସୁଥିବା ଏ ଭାରତବର୍ଷରେ ହଜାରେ ପାଖାପାଖି ଅଣସ୍ୱୀକୃତିପ୍ରାପ୍ତ ବଂଧୁକଧାରୀ, ବନ୍ୟବିକୃତ ଗୁଣ୍ଡାବାହିନୀ, ବର୍ବରବାହିନୀଙ୍କ ଅବର୍ଣ୍ଣନୀୟ ଅତ୍ୟାଚାରର କୁତ୍ସିତ କ୍ରିୟାକାଣ୍ଡ ଯୋଗୁଁ ୨୦୨୩ ମେ ୪ ତାରିଖରେ ତମାମ୍ ମଣିପୁର ପାଲଟିଯାଇଛି ମଣିଷପଣର ମଶାଣିପଦା ! ମଣିପୁରରେ ବଢ଼ିଲାଝିଅକୁ ଘରୁ ଟାଣିଆଣି ବିଚ୍ରାସ୍ତାରେ ଲଙ୍ଗଳାକରି ରାସ୍ତାରେ ଗୋଡ଼େଇ ଗୋଡ଼େଇ ବଳାତ୍କାର କରିବାର ବିଭୀଷିକାମୟ ଜଘନ୍ୟ ଘଟଣା କେବଳ ୧୪୨କୋଟି ୮୬ଲକ୍ଷ ଭାରତୀୟଙ୍କ ମନରେ ବ୍ୟଥା,ବେଦନା,ଘୃଣା,କ୍ଷୋଭ, ଅସନ୍ତୋଷ ଭରିଦେଇନି – ସାରାବିଶ୍ୱର ଆଠଶହକୋଟି ନରନାରୀଙ୍କ ମୁହଁର ରଙ୍ଗକୁ ଳଜ୍ଜାରୁଣ କରିସାରିଲାଣି ।
ପ୍ରାଚୀନ ପୌରାଣିକ ଯୁଗର ମାତୃଜାତିକୁ ଯେପରି ବର୍ବର ଅସୁରବର୍ଗ ବଳାତ୍କାର, ଯୌନାଚାର, ହରଣଚାଳ୍ କରି ସାଂସାରିକ ସନ୍ତ୍ରାସର ସୃଷ୍ଟିକର୍ତ୍ତା ସାଜି ସର୍ବସମ୍ମୁଖରେ ବିଜେ କରିଥିଲେ ବୀଭତ୍ସ ବସ୍ତ୍ରହରଣକାରୀ ଭୂମିକାରେ, ସେ ସମସ୍ତେ ଶେଷରେ ସେପରି ଧ୍ୱଂସ ପାଇଯାଇଛନ୍ତି ବିଦ୍ରୋହୀ ମାନବକୁଳର ବଜ୍ରବାହୁରେ – ଆଜି ଏ ଯୁଗରେ ସେଇ ବର୍ବର ଆଧୁନିକ ଅସୁରମାନେ ମଣିପୁରରେ ଘଟାଇଚାଲିଲେ ଏହି ଅଚିନ୍ତନୀୟ ଅପକର୍ମ ତଥା ବିଶ୍ୱଲଜ୍ଜାଦାୟକ ପ୍ରକାଣ୍ଡ ପାପକର୍ମ ।
ଏ କାନ ଶୁଣିଲା – ଆଖି ଦେଖିଲା – ଶାସନ ମୂକ ହେଲା – ପ୍ରଶାସନ ଅନ୍ଧ ହେଲା – ଆଇନ୍ଶୃଙ୍ଖଳା ସୁରକ୍ଷକ ବିଚାରବିଭାଗ ମଧ୍ୟ ବଧିର ହେଲା – ଧିକ୍ ଆମ ଆଖିକାନକୁ, ଶତସହସ୍ରବାର ଧିକ୍ !! ଧିକ୍ – ଧିକ୍ – ଧିକ୍ !! ଲଗାତାର୍ ୫ ମାସ ହେବ ମଣିପୁରରେ ଚାଲିଛି ଅହୋରାତ୍ର ରକ୍ତଯୁଦ୍ଧ – ଅନ୍ତରହିତ ରକ୍ତତାଣ୍ଡବ । ରକ୍ତମିଶା ପାଉଁଶର ପଲସ୍ତରା ତଳେ କ୍ରମେ ଚାପା ପଡ଼ିଯାଉଛି ମଣିପୁରର ମର୍ମଂତୁଦ ମାନଚିତ୍ର । ଆକ୍ରମଣ – ପ୍ରତିଆକ୍ରମଣରେ ଥରହର ପାହାଡ଼, ପର୍ବତ, ସମତଳ ଅଞ୍ଚଳ । ଋକ୍ତପ୍ରଳୟ ପୟୋଧିରେ କ୍ଷୁଦ୍ର ବଟପତ୍ରଭଳି ଭାସୁଛି ମଣିପୁର ।
ଏହି ଲେଖକ ୧୯୭୧ରେ ନବଜନ୍ମିତ ବଂଗଳାଦେଶକୁ ଜଣେ ସାମ୍ବାଦିକ ଭାବରେ ଗସ୍ତ କରିଥିଲା । ଢାକା ପାଖ ‘ଗଳାମାରି’ ବିଲରେ ପାକ୍ସେନା ପାଖାପାଖି ମାସମାସ ପୂର୍ବବଂଗର ସୁନ୍ଦରୀଝିଅବୋହୂମାନଙ୍କୁ ଜବରଦସ୍ତ ଘରୁ ଟେକିନେଇ ସେନାଛାଉଣୀରେ ଉପଭୋଗ କରୁଥିଲେ – ଜଣେ ନୁହେଁ – ସେଇ ଏକାଧିକ ବର୍ବର ପାକ୍ସେନାଙ୍କ ଯୌଥ ଯୌନାଚାରରେ କେତେକଙ୍କ ପ୍ରାଣବାୟୁ ସୁଦ୍ଧା ଉଡ଼ିଯାଉଥିଲା – ଆଉ କେତେକ ଗର୍ଭବତୀ ହୋଇ ଆସନ୍ନ ମୃତ୍ୟୁକୁ ଅପେକ୍ଷା କରିରହିଥିଲେ ।
ସେମାନଙ୍କୁ ହତ୍ୟାକରି ଏଇ ଗଳାମାରି ବିଲରେ ଫିଙ୍ଗିଦିଆଯାଇଥିଲା । ମୁଁ ଯେତେବେଳେ ସେଇ ସ୍ଥାନକୁ ଦେଖିବାକୁ ଯାଇଥିଲି – ସେତେବେଳେ ଶହଶହ ହତଭାଗା ସ୍ୱାମୀ, ବାପଭାଇମାନେ ଅଣ୍ଡାଳୁଥିଲେ ଆତ୍ମୀୟମାନଙ୍କ ଲୁଗାପଟା । ଗଳାମାରିର କାନ୍ଦଣା ଏବେବି ମୋ ଆତ୍ମାକୁ ମନ୍ଥିତ କରେ, ମନେପଡିଗଲେ । ସେଇଭଳି ଘଟଣା ଏବେ ମଣିପୁରରେ ଘଟିଗଲା – କେବଳ ମଣିପୁର ନୁହେଁ, ସାରାବିଶ୍ୱରେ ଘଟିଚାଲିଛି ଏଭଳି ଅଘଟଣ, ଗୋପନରେ ଅବଶ୍ୟ ।
୨୧ବର୍ଷ ତଳର ଗୁଜୁରାଟ ପରେ ଆଉ ଏକ ଇତିହାସ ଲେଖାହେବ ଏବେ – ମଣିପୁର ! ଆମେ ଦେଖିଛେ – ଦିଲ୍ଲୀର ନିର୍ଭୟାଠାରୁ ବେଗମ୍ ବିଲକିସ୍, ଆମେ ଶୁଣିଛେ – ତାଲିବାନ୍ ଦେଶ, ଆଇ.ଏସ୍. ଜଙ୍ଗିମାନଙ୍କ ବର୍ବରଲୀଳା – ଆମେ ଶୁଣୁଛେ, ଦେଖୁଛେ ମଣିପୁର ଝିଅମାନଙ୍କ ବ୍ୟଥା ଓ ବେଦନା । କେବଳ ଆମେ ଦେଖୁନୁ – ଏ ଅମାନୁଷିକ ହିଂସ୍ରତା ହତଭାଗ୍ୟା ଦୁଇରମଣୀଙ୍କ ଉପରେ ପ୍ରକାଶ୍ୟ ଗଣବଳାତ୍କାରର ଦୃଶ୍ୟ ଦେଖୁଥିଲା ଭାରତୀୟ ଗଣତନ୍ତ୍ର ଓ ସାରାବିଶ୍ୱ । ସମସ୍ତେ କ’ଣ ଅନ୍ଧ ପାଲଟିଗଲେ ! କଳିଯୁଗର ଏପରି ଏକ କରାଳ କାଳଖଣ୍ଡରେ ଦୁଷ୍ଟ ଦୁଃଶାସନମାନଙ୍କ ଦ୍ୱାରା, ଦିନ ଦ୍ୱିପହରରେ ନାରୀର ଇଜ୍ଜତ ହରଣ ହେଉଥିବାବେଳେ କେହି ରକ୍ଷାକରିବାକୁ ଆସୁନାହାଁନ୍ତି ।
ମଣିପୁର ଝିଅଙ୍କ ଲଙ୍ଗଳା ଦେହକୁ ନେଇ ଆଠଶହରୁ ହଜାରେ ପାଖାପାଖି ଦୁଃଶାସନର ଦଳ ଖେଳ ଖେଳୁଥିବା ମାତ୍ର ୨୬ ସେକେଣ୍ଡର ଭିଡିଓ ସାମ୍ନାକୁ ଆସିଗଲା ପରେ ସାରାଦେଶ – ସାରାବିଶ୍ୱରେ ଲଜ୍ଜା ଲଜ୍ଜା ଧ୍ୱନି ପ୍ରକମ୍ପିତ କରୁଛି ଗଗନପବନ । ଏସବୁ ଯେଉଁ ବୀଭତ୍ସ ଘଟଣାମାନ ପ୍ରତିନିୟତ ଘଟିଯାଉଛି – ତା’ର ମୂଳକାରଣ ଆମର ପ୍ରତାରିତ ସମାଜ ବ୍ୟବସ୍ଥା । ମନେରଖିବାକୁ ହେବ – ନାରୀପ୍ରତି ଅତ୍ୟାଚାର, ଶୋଷଣ, ଦମନ, ଅପମାନ, ପୁରା ମାନବତା ପାଇଁ କଳଙ୍କ । ଇତିହାସ ବଡ଼ ନିଷ୍ଠୁର । ସେ ନିଶ୍ଚୟ ଲିପିବଦ୍ଧ କରିଦେବ ଭାରତର ଏକ କୋଣରେ ମହିଳାଙ୍କୁ ଲଙ୍ଗଳା କରି ଗଣଯୌନାଚାର କରାଯାଇଥିଲା–ସେତେବେଳେ ସାରାଦେଶ, ସାରାବିଶ୍ୱ କେବଳ ଆରୋପ-ପ୍ରତ୍ୟାରୋପରେ ହିଁ ଶେଷକରିଦେଇଥିଲେ ସମୟ ।
ଏବେ ଇସ୍ରାଏଲ ସୈନ୍ୟମାନେ ୧୮ବର୍ଷର ଗାଜା ଯୁବତୀମାନଙ୍କୁ ଧରିନେଇ ସେନା କ୍ୟାମ୍ପରେ ରଖି ବିଭତ୍ସ ଅତ୍ୟାଚାର କରିଚାଲିଛନ୍ତି । ଧରିନିଅନ୍ତୁ ଗାଜାର କି ମଣିପୁରର ସେ ଝିଅମାନେ କେହିନୁହଁନ୍ତି – କେବଳ ନାରୀ । ଆମ ମା’, ଭଉଣୀ, ଝିଅ । ସାରାବିଶ୍ୱରେ ମହିଳାମାନଙ୍କ ଉପରେ ଗଣବଳାତ୍କାର କରିବା ଘଟଣା ଏପର୍ଯ୍ୟନ୍ତ ଆମକୁ କ’ଣ ବ୍ୟଥିତ କରୁନି ? ଅବଶ୍ୟ ସାରାବିଶ୍ୱରେ ବିଭିନ୍ନ ଦେଶରେ ଇସ୍ରାଏଲ ବିରୁଦ୍ଧରେ ପାଲେଷ୍ଟାଇନ୍ ସମର୍ଥନରେ ଯୁଦ୍ଧ ବନ୍ଦ କରିବାପାଇଁ ବିକ୍ଷୋଭ ଚାଲିଛି । ବିଶ୍ୱବାସୀ ବିଭାଜିତ ଗଣମାଧ୍ୟମରେ ଶିଶୁମାନଙ୍କ କରୁଣକ୍ରନ୍ଦନ ଶୁଣୁଛନ୍ତି, ଦେଖୁଛନ୍ତି । ବୋଧହୁଏ ସେମାନଙ୍କ ଆର୍ତ୍ତନାଦ ଶୁଣିପାରିବା ଭଳି ଅବସ୍ଥାରେ ଆଉ ନାହାଁନ୍ତି କୌଣସି ସତ୍ବିବେକୀ ।
କୋଉ ଦେଶରେ କୋଉ ନଦୀ ଅଛି – ସାରାବିଶ୍ୱରେ ଘଟୁଥିବା ଏଭଳି ବର୍ବର ଯୌନବିଭତ୍ସତାକୁ ଧୋଇଦେବ ? କୋଉ ଭଗବାନ ବିଶ୍ୱରେ ଅଛନ୍ତି – ଏ ଜଘନ୍ୟ କାଣ୍ଡକୁ ଦେଖି ପ୍ରତିକାର କରିବେ । ବିଶ୍ୱର କୌଣସି ସ୍ଥାନ ବର୍ତ୍ତମାନ ସୁରକ୍ଷିତ ନୁହେଁ । ଆଜି ଦେଶଦେଶ ମଧ୍ୟରେ, ଜାତିଜାତି ମଧ୍ୟରେ, ଧର୍ମଧର୍ମ ମଧ୍ୟରେ ପ୍ରଚଣ୍ଡ ହିଂସ୍ରତାର ବିଷବାର୍ତ୍ତା ପ୍ରଚାର କରାଯାଉଛି । କଥାରେ ଅଛି– “କ୍ଷୀର ଉତୁରିଲେ ଚୁଲିକି – ମଣିଷ ଉତୁରିଲେ ଗାତକୁ ।
” ଯେତେବେଳେ ଯୁଦ୍ଧରେ ଯୁଦ୍ଧାସ୍ତ୍ର ସବୁ ପୋଡି ପାଉଁଶ ହୋଇଯିବ – ଲୋକେ ଭୋକ ଓ ରୋଗରେ ପଡି ପୋକମାଛି ଭଳି ମରିଯାଉଥିବେ – ସେତେବେଳେ ଯୁଦ୍ଧଖୋର ପାଗଳମାନଙ୍କୁ ସାଧାରଣ ଲୋକେ ଠେଙ୍ଗା, ଟେକାପଥର, ଖଣ୍ଡାରେ ଗୋଡେଇ ଗୋଡେଇ ହାଣିବେ । ଏ ମୋର ସତର୍କବାଣୀ ନୁହେଁ କି ଡରେଇବାକୁ ଆପଣଙ୍କୁ କହୁନାହିଁ । ବିଶ୍ୱ ନିଜର ଭବିଷ୍ୟତହୀନତାକୁ ଭେଟିବାକୁ ଯାଉଛି – ସାମ୍ନାରେ ସେଇ ମହାସନ୍ଧିକ୍ଷଣର ସୂତ୍ରପାତ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇସାରିଲାଣି ।