29.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଗାଜା ସମ୍ପର୍କିତ ଅସ୍ତ୍ରବିରତି ପ୍ରସ୍ତାବ; ଜାତିସଂଘରେ ଭାରତ ଭୋଟଦାନରୁ ବିରତ

ଗାଜା ସମ୍ପର୍କିତ ଅସ୍ତ୍ରବିରତି ପ୍ରସ୍ତାବ; ଜାତିସଂଘରେ ଭାରତ ଭୋଟଦାନରୁ ବିରତ

ଜାତିସଂଘ: ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନାହିଁ । ଇସ୍ରାଏଲ ପକ୍ଷରୁ ସ୍ଥଳପଥରେ ଗାଜା ଉପରେ ଆକ୍ରମଣକୁ ଜୋରଦାର କରାଯାଉଥିବାବେଳେ ସେଠାରେ ଧ୍ୱଂସର ତାଣ୍ଡବଲୀଳା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଶନିବାର ଜାତିସଂଘ ସାଧାରଣ ପରିଷଦ ବୈଠକରେ ଏକ ପ୍ରସ୍ତାବ ଆଗତ କରାଯାଇଛି । ଗାଜା ଉପରେ ଆକ୍ରମଣକୁ ଇସ୍ରାଏଲ ତୁରନ୍ତ ବନ୍ଦ କରୁ ବୋଲି ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି ।

ତେବେ ଭାରତ ଭୋଟଦାନରୁ ବିରତ ରହିଥିବା ଜଣାପଡିଛି । ଜୋର୍ଡାନ ପକ୍ଷରୁ ଆଗତ ଏହି ପ୍ରସ୍ତାବକୁ ୧୨୦ ସଦସ୍ୟ ସମର୍ଥନ ଜଣାଇଥିବାବେଳେ ୧୪ଟି ରାଷ୍ଟ୍ର ବିରୋଧ କରିଛନ୍ତି । ଅପରପକ୍ଷରେ ଭାରତ ସମେତ ୪୫ ରାଷ୍ଟ୍ର ଭୋଟଦାନରୁ ବିରତ ରହିଥିବା କୁହାଯାଇଛି । ଭାରତ ବ୍ୟତୀତ ଅଷ୍ଟ୍ରେଲିଆ, କାନାଡା, ଜର୍ମାନୀ, ଜାପାନ, ୟୁକ୍ରେନ୍ ଓ ବ୍ରିଟେନ ମଧ୍ୟ ଭୋଟଦାନରୁ ବିରତ ରହିଛନ୍ତି ।

ଅକ୍ଟୋବର ୭ରେ ପାଲେଷ୍ଟାଇନର ଗାଜା ଉପତ୍ୟକାରେ ସକ୍ରିୟ ଥିବା ହାମାସ୍ ସଂଗଠନ ପକ୍ଷରୁ ଇସ୍ରାଏଲର ବିଭିନ୍ନ ସହର ଉପରେ ୫୦୦୦ରୁ ଅଧିକ ରକେଡ ମାଡ କରାଯାଇଥିଲା । ଫଳରେ ଇସ୍ରାଏଲ ପାଲଟା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଗାଜା ଉପରେ ଆକାଶମାର୍ଗରୁ ପ୍ରବଳ ବୋମାମାଡ କରିବା ଫଳରେ ଗାଜା ଏକପ୍ରକାର ଧ୍ୱଂସସ୍ତୂପରେ ପରିଣତ ହୋଇଛି । ଭୋଟଦାନରୁ ବିରତ ରହିବା ପ୍ରସଙ୍ଗରେ ଭାରତ ସରକାର ସ୍ପଷ୍ଟୀକରଣ ମଧ୍ୟ ଦେଇଛନ୍ତି ।

ପ୍ରସ୍ତାବରେ ହାମାସ୍ ସଂଗଠନ ସମ୍ପର୍କରେ କୌଣସି ଉଲ୍ଲେଖ କରାଯାଇନଥିବାରୁ ଭୋଟଦାନର କୌଣସି ଯଥାର୍ଥତା ନଥିଲା ବୋଲି କୁହାଯାଇଛି । ଇସ୍ରାଏଲ ପ୍ରଥମେ ଆକ୍ରମଣ କରିନଥିଲା, ବରଂ ହାମାସ୍ ଆକ୍ରମଣ କରିବାପରେ ଇସ୍ରାଏଲ ଏହାର ଜବାବ ଦେଇଛି । ତେଣୁ ଗାଜାରେ ଅସ୍ତ୍ରବିରତି ପାଇଁ ଇସ୍ରାଏଲ ଉପରେ ଚାପ ପକାଇବା ଅପେକ୍ଷା ହାମାସ୍‌କୁ ଦାୟୀ କରାଯିବା ଉଚିତ ହୋଇଥାନ୍ତା ବୋଲି ଭାରତ ପକ୍ଷରୁ କୁହାଯାଇଛି ।

ଆତଙ୍କବାଦକୁ କଡା ଭାଷାରେ ସମାଲୋଚନା କରାଯିବା ସହ ପ୍ରସ୍ତାବରେ ହାମାସ୍ ସଂଗଠନର ନାମ ଉଲ୍ଲେଖ କରାଯିବା ଯଥାର୍ଥ ହୋଇଥାନ୍ତା ବୋଲି ଜାତିସଂଘରେ ଅବସ୍ଥାପିତ ଭାରତର ଡେପୁଟୀ ସ୍ଥାୟୀ ପ୍ରତିନିଧି ଯୋଜନା ପଟେଲ କହିଛନ୍ତି । ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ରକେଟ୍ ଆକ୍ରମଣକୁ ଦୃଡ ସ୍ୱରରେ ନିନ୍ଦା କରାଯିବା ସହ ହାମାସ୍‌କୁ ସମ୍ପୂର୍ଣ୍ଣଭାବେ ଦାୟୀ କରିବାକୁ ଭାରତ ଯୁକ୍ତି ଉପସ୍ଥାପନ କରିଛି । ପୁନଶ୍ଚ ହାମାସ୍ ଆତଙ୍କବାଦୀମାନେ ଯେଉଁ ୨୦୦ ଇସ୍ରାଏଲୀ ସୈନ୍ୟ ଓ ନାଗରିକଙ୍କୁ ପଣବନ୍ଦୀ ରଖିଛନ୍ତି, ସେମାନଙ୍କୁ ବିନା ସର୍ତ୍ତରେ ଖଲାସ କରିବାକୁ ମଧ୍ୟ ଭାରତ ଦାବି ଜଣାଇଛି ।

ବିଭିନ୍ନ ରାଷ୍ଟ୍ର ମଧ୍ୟରେ ମତଭେଦ ରହିବା ସ୍ୱାଭାବିକ କିନ୍ତୁ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତାକୁ ସବୁ ରାଷ୍ଟ୍ର ସମର୍ଥନ ଜଣାଇବା ଜରୁରୀ ବୋଲି ଭାରତ ପକ୍ଷରୁ କୁହାଯାଇଛି । ଗାଜାରେ ଘଟୁଥିବା ନରସଂହାର ନିଶ୍ଚିତଭାବେ ଦୃଦୟ ବିଦାରକ, ତେଣୁ ଏହା ତୁରନ୍ତ ବନ୍ଦ ହେବା ଜରୁରୀ ବୋଲି ଭାରତ କହିଛି । ଅତୀତରେ ଭାରତ ସବୁବେଳେ ଦୁଇ ରାଷ୍ଟ୍ର (ଇସ୍ରାଏଲ ଓ ପାଲେଷ୍ଟାଇନ) ନୀତିକୁ ସମର୍ଥନ ଜଣାଇ ଆସୁଛି ।

ଏହାର ଅର୍ଥ ନୁହେଁ ଯେ ଏମାନଙ୍କ ମଧ୍ୟରୁ ଗୋଟିଏ ରାଷ୍ଟ୍ର ଆତଙ୍କବାଦ କାର୍ଯ୍ୟକଳାପ ଜରିଆରେ ଅନ୍ୟ ରାଷ୍ଟ୍ରର କ୍ଷତି ପହଞ୍ଚାଇବ । ଅପରପକ୍ଷରେ ପ୍ରସ୍ତାବକୁ ସଂଶୋଧନ କରାଯାଇ ହାମାସ୍ ସଂଗଠନର ନାମ ଉଲ୍ଲେଖ କରିବାକୁ କାନାଡା ପ୍ରସ୍ତାବ ଦେଇଥିଲେ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking