ନୂଆଦିଲ୍ଲୀ: କୋରିଆର ଚାଙ୍ଗୱନଠାରେ ଚାଲିଛି ଏସିଆନ୍ ଚାମ୍ପିଅନ୍ଶିପ୍ । ଏହି ପ୍ରତିଯୋଗିତାରେ ଭାରତୀୟ ଶୁଟର ଶୁକ୍ରବାର ତିନିଟି ପଦକ ଜିତିବା ସହ ଅଲିମ୍ପିକ୍ସ କୋଟା ମଧ୍ୟ ହାସଲ କରିଛନ୍ତି । ୧୦ ମିଟର ଏୟାର ରାଇଫଲରେ ଭାରତୀୟ ପୁରୁଷ ଶୁଟର ଅର୍ଜୁନ ବାବୁତା ଏବଂ ମହିଳା ଶୁଟର ତିଲୋତ୍ତମା ସେନ ବ୍ୟକ୍ତିଗତ ବର୍ଗରେରୌପ୍ୟ ପଦକ ଜିତିଛନ୍ତି ।
ଏହା ସହ ଉଭୟ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସର ମେନ୍ ଇଭେଣ୍ଟ ପାଇଁ ଟିକେଟ୍ ମଧ୍ୟ ହାସଲ କରିଛନ୍ତି । ଏହାପୂର୍ବରୁ ୨୪ ବର୍ଷୀୟ ବାବୁତା ଦଳଗତ ବର୍ଗରେ ଦିବ୍ୟାଂଶ ସିଂହ ପନୱର ଓ ହୃଦୟ ହଜାରିକାଙ୍କୁ ସହ ୧୮୯୨.୪ ପଏଣ୍ଟ ହାସଲ କରି ଦଳକୁ ସ୍ୱର୍ଣ୍ଣ ପଦକ ଜିତାଇବାରେ ସହାୟତା କରିଥିଲେ । ବବିତା ନବମ ଭାରତୀୟ ସୁଟର ଭାବେ ଅଲିମ୍ପିକ୍ କୋଟା ହାସଲ କରିଛନ୍ତି ।
ମହିଳା ବ୍ୟକ୍ତିଗତ ବର୍ଗରେ ୧୫ ବର୍ଷୀୟା ତିଲୋତ୍ତମା ମଧ୍ୟ ଅନୁରୂପ ପ୍ରଦର୍ଶନ କରି ମହିଳା ଫାଇନାଲରେ ମୋଟ ୨୫୨.୩ ପଏଣ୍ଟ ହାସଲ କରି ଭାରତ ପାଇଁ ୧୦ମ ଅଲିମ୍ପିକ୍ କୋଟା ହାସଲ କରିଥିଲେ । ତିଲୋତ୍ତମା ସ୍ୱର୍ଣ୍ଣରୁ ଅଳ୍ପକେ ବଞ୍ଚିତ ହୋଇଥିଲେ । କୋରିଆର କ୍ୱାନ୍ ୟୁଞ୍ଜି ୨୫୨.୪ ପଏଣ୍ଟ ହାସଲ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ । ଅନ୍ୟତମ ଭାରତୀୟ ସାଥୀ ରମିତା ଜିନ୍ଦଲ ୨୩୦.୬ ପଏଣ୍ଟ ହାସଲ କରି ବ୍ରୋଞ୍ଜ ପଦକ ଜିତିଥିଲେ । ଅଲିମ୍ପିକ୍ସ ପାଇଁ ତିଳୋତ୍ତମା ୬୩୦.୫ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହି ଯୋଗ୍ୟତା ଅର୍ଜନ କରିଥିବା ବେଳେ ରମିତା ୬୨୯.୫ ପଏଣ୍ଟ ସହ ସପ୍ତମ ସ୍ଥାନ ଅଧିକାର କରିଥିଲେ । ଭାରତୀୟ ଶୁଟରମାନେ ରାଇଫଲରେ ସାତଟି, ସଟ୍ଗନ୍ରେ ଦୁଇଟି ଏବଂ ପିସ୍ତଲରେ ମାତ୍ର ଗୋଟିଏ କୋଟା ହାସଲ କରିଛନ୍ତି ।
ବବିତା ୮ ସୁଟର ଫାଇନାଲରେ ୨୫୧.୨ ପଏଣ୍ଟ ହାସଲ କରିଥିଲେ । ୨୦୨୨ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ଚୀନର ଶେଙ୍ଗ ଲିହାଓ୨୫୨.୧ ପଏଣ୍ଟ ପାଇଁ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଦିବ୍ୟାଂଶ ମଧ୍ୟ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ୪ର୍ଥ ସ୍ଥାନରେ ରହି ୨୦୯.୬ ପଏଣ୍ଟ ହାସଲ କରିଥିଲେ ।
ଦଳଗତ ସ୍ୱର୍ଣ୍ଣ ପାଇଁ କେବଳ ଯୋଗ୍ୟତା ପର୍ଯ୍ୟାୟ ସ୍କୋରକୁ ବିବେଚନା କରାଯାଉଥିବା ବେଳେ ବାବୁତା ୬୩୩.୪, ଦିବ୍ୟାଂଶ ୬୩୨.୩ ଏବଂ ହଜାରିକା ୬୨୬.୭ ପଏଣ୍ଟ ହାସଲ କରିଥିଲେ । ଯାହା ମିଳିତ ଭାବେ ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଥିଲା ।