28.1 C
Bhubaneswar
Friday, October 18, 2024
Homeଦେଶ ବିଦେଶମିଜୋରାମ ବିଧାନସଭା ନିର୍ବାଚନ; ୧୭୪ରୁ ୧୧୨ ପ୍ରାର୍ଥୀ କୋଟିପତି

ମିଜୋରାମ ବିଧାନସଭା ନିର୍ବାଚନ; ୧୭୪ରୁ ୧୧୨ ପ୍ରାର୍ଥୀ କୋଟିପତି

ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଏଠାରେ ୪୦ ଆସନ ପାଇଁ ନଭେମ୍ବର ୭ ତାରିଖରେ ହେବାକୁ ଥିବା ମତଦାନ ପାଇଁ ବିଭିନ୍ନ ଦଳର ମୋଟ ୧୭୪ ପ୍ରାର୍ଥୀ ନିର୍ବାଚନ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି । ତେବେ ଆଶ୍ଚର୍ଯ୍ୟର ବିଷୟ ଏହି ୧୭୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୧୨ ଜଣ କୋଟିପତି । ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)ର ପ୍ରଦେଶ ଅଧ୍ୟକ୍ଷ ଆଣ୍ଡ୍ର‌୍ୟୁ ଲାଲ୍‌ରେମାକିମା ପଚୁଆଉ ସବୁଠୁ ଧନୀ ପ୍ରାର୍ଥୀ ବୋଲି ଜଣାଯାଇଛି । ପିଟିଆଇ ରିପୋର୍ଟ ଅନୁସାରେ ୬୪.୪% ପ୍ରାର୍ଥୀ ନିଜ ଆଭିଡେଭିଟ୍‌ରେ ଏକ କୋଟି କିମ୍ବା ତା’ଠାରୁ ଅଧିକ ସମ୍ପତ୍ତିର ଅଧିକାରୀ ଥିବା ଘୋଷଣା କରିଛନ୍ତି । ଏଥର ୧୬ କୋଟିପତି ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ କଂଗ୍ରେସର ମାରିୟମ୍ ଏଲ୍ ହ୍ନାଙ୍ଗଚଲ୍ (ଲୁଙ୍ଗ୍‌ଲେଇ ଦକ୍ଷିଣ ଆସନ) ୧୮.୬୩ କୋଟିର ସମ୍ପତ୍ତି ସହିତ ସର୍ବାଗ୍ରେ ରହିଛନ୍ତି । ପିଟିଆଇ ରିପୋର୍ଟ ଅନୁସାରେ ଆପ୍ ପ୍ରଦେଶାଧ୍ୟକ୍ଷ ଆଣ୍ଡ୍ର‌୍ୟୁ ଲାଲରେମାକିମାଙ୍କ ସମ୍ପତ୍ତି ମୂଲ୍ୟ ୬୮.୯୩ କୋଟି ଏବଂ ଚଳିତ ଥରର ସବୁଠୁ ଧନୀ ପ୍ରାର୍ଥୀ । ସେ ଆଇଜଲ୍ ଉତ୍ତର-୩ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଛନ୍ତି । ତାଙ୍କ ପରେ କଂଗ୍ରେସର ଆର୍ ବନ୍‌ଲାଲଟ୍‌ଲୁଆଙ୍ଗାଙ୍କ ନମ୍ବର ରହିଛି । ତାଙ୍କ ସମ୍ପତ୍ତି ମୂଲ୍ୟ ୫୫.୬ କୋଟି ଟଙ୍କା ହୋଇଥିବା ବେଳେ ସେ ସେରାଛିପ ଆସନରୁ ପ୍ରାର୍ଥୀ ହୋଇଛନ୍ତି । ଜୋରାମ୍ ପିପୁଲ୍ସ ମୁଭ୍‌ମେଣ୍ଟ୍‌ର ଏଚ୍ ଗିନ୍‌ଜାଲାଲ୍ ୩୬.୯ କୋଟି ଟଙ୍କାର ସମ୍ପତ୍ତି ସହିତ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ସେ ଚମ୍ଫାଇ ନର୍ଥରୁ ନିର୍ବାଚନ ଲଢ଼ୁଛନ୍ତି । ସେହିପରି ଗରିବ ପ୍ରାର୍ଥୀଙ୍କ ମଧ୍ୟରେ ସେରାଛିପ ଆସନରୁ ସ୍ୱାଧୀନ ପ୍ରାର୍ଥ ରାମହ୍ଲୁନ୍‌-ଏଡେନା ସବୁଠୁ ଗରିବ । ତାଙ୍କ ନିକଟରେ ମାତ୍ର ୧୫୦୦ ଟଙ୍କାର ଚଳନ୍ତି ସମ୍ପତ୍ତି ରହିଛି । ସେହିପରି ଏମ୍‌ଏନ୍‌ଏଫ୍ ଅଧ୍ୟକ୍ଷ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ୫ କୋଟିର ସମ୍ପତ୍ତି ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପାଞ୍ଚଟି ଦଳର ଅଧ୍ୟକ୍ଷଙ୍କ ମଧ୍ୟରେ ସବୁଠୁ ଧନୀ । ଜେଡ୍‌ପିଏମ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଲାଲହୁହୋମା (ସେରାଛିପ ଆସନ)ଙ୍କ ସମ୍ପତ୍ତି ମୂଲ୍ୟ ୪ କୋଟି ଟଙ୍କା ହୋଇଥିବା ବେଳେ ମିଜେରାମ କଂଗ୍ରେସ ଅଧ୍ୟକ୍ଷ ଲାଲସାୱତା (ଆଇଜଲ୍ ପଶ୍ଚିମ-୩ ଆସନ) ୬ କୋଟି ଟଙ୍କା ସମ୍ପତ୍ତିର ମାଲିକ ଥିବା ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ବିଜେପା ଅଧ୍ୟକ୍ଷ ବନଲାଲହମୁଅକା (ଡମ୍ପା)ଙ୍କ ପାଖରେ ୩୧.୩୧ ଲକ୍ଷ ଟଙ୍କାର ସମ୍ପତ୍ତି ଥିବା ନିର୍ବାଚନ କମିଶନ୍ ୱେବ୍‌ସାଇଟ୍‌ରେ ଅପଲୋଡ୍ ହୋଇଥିବା ଆଭିଡେଭିଟ୍‌ରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking