28.1 C
Bhubaneswar
Friday, October 18, 2024
Homeଦେଶ ବିଦେଶରାଜସ୍ଥାନ ପେପର୍ ଲିକ୍ ମାମଲା ; କଂଗ୍ରେସ ପ୍ରଦେଶାଧ୍ୟକ୍ଷ ଡୋଟାସରାଙ୍କ ଘରେ ଇଡି ଚଢ଼ଉ

ରାଜସ୍ଥାନ ପେପର୍ ଲିକ୍ ମାମଲା ; କଂଗ୍ରେସ ପ୍ରଦେଶାଧ୍ୟକ୍ଷ ଡୋଟାସରାଙ୍କ ଘରେ ଇଡି ଚଢ଼ଉ

ଜୟପୁର/ସିକର : ରାଜସ୍ଥାନ ଶିକ୍ଷକ ନିଯୁକ୍ତ ପ୍ରଶ୍ନପତ୍ର ଲିକ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗୁରୁବାର ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଗୋବିନ୍ଦ ସିଂହ ଡୋଟାସରା ଏବଂ ସ୍ୱାଧୀନ ବିଧାୟକ ସମ୍ ପ୍ରକାଶ ହୁଡ୍‌ଲାଙ୍କ ପରିସରରେ ଚଢ଼ଉ କରିଛି । ଏହା ସହିତ ବିଦେଶୀ ମୁଦ୍ରା ଉଲ୍ଲଂଘନ (ଫେମା) ମାମଲାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ପୁତ୍ର ବୈଭବ ଗେହଲଟ୍‌ଙ୍କୁ ଏଜେନ୍ସି ପକ୍ଷରୁ ସମନ ଜାରି କରାଯାଇଛି । ବୈଭବଙ୍କୁ ସମନ ଜାରି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି, ରାଜସ୍ଥାନରେ ବିକାଶ କାର୍ଯ୍ୟକୁ ଅଟକାଇବା ପାଇଁ ଇଡି ପ୍ରତ୍ୟେକ ଦିନ ସମନ ଜାରୀ କରୁଛି । ସୋସିଆଲ୍ ମିଡିଆ ଏକ୍ସ’ରେ ଏକ ପୋଷ୍ଟ୍ କରି ମୁଖ୍ୟମନ୍ତ୍ରୀ ଗେହଲଟ୍ ଲେଖିଛନ୍ତି ୨୫ ତାରିଖରେ ରାଜସ୍ଥାନ ମହିଳାଙ୍କ ପାଇଁ କଂଗ୍ରେସ ଗ୍ୟାରେଣ୍ଟି ଜାରି କରିବାର ଗୋଟିଏ ଦିନ ପରେ ୨୬ ତାରିଖରେ ଡୋଟାସରାଙ୍କ ଘରେ ଇଡି ଚଢ଼ଉ ସହିତ ମୋ ପୁଅକୁ ସମନ ଜାରି କରାଯାଇଛି । ବିଜେପି ଚାହୁଁଛି ରାଜ୍ୟର ମହିଳା, କୃଷକ ଏବଂ ଗରିବଙ୍କୁ କଂଗ୍ରେସ ଦ୍ୱାରା ପ୍ରଦତ୍ତ ଗ୍ୟାରେଣ୍ଟିର ଲାଭ ନମିଳୁ । ସେଥିପାଇଁ ପ୍ରତିଦିନ ଇଡି ଚଢ଼ଉ କରାଯାଉଛି ବୋଲି ଗେହଲଟ୍ ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି ।
ଇଡି ଅଧିକାରୀ ଗୁରୁବାର ସକାଳ ୮ଟା ବେଳେ ଡୋଟାସରାଙ୍କ ଜୟପୁରସ୍ଥିତ ସରକାରୀ ଏବଂ ସିକରସ୍ଥିତ ପୈତୃକ ବାସଭବନରେ ପହଞ୍ଚିଥିଲେ । ଚଢ଼ଉ ବେଳେ ଡୋଟାସରା ସିକରସ୍ଥିତ ବାସଭବନରେ ଉପସ୍ଥିତ ଥିଲେ । ମିଡିଆ ରିପୋର୍ଟ ଅନୁସାରେ ଇଡି ସିକରସ୍ଥିତ ଏକ କୋଚିଂ ସେଣ୍ଟର୍ ସହିତ ଅନ୍ୟ ୬ଟି ସ୍ଥାନରେ ତଲାସୀ ନେଇଛି । ଏହା ସହିତ ଏଜେନ୍ସି ତାଙ୍କ ସମ୍ପର୍କୀୟମାନଙ୍କୁ ପଚରା ଉଚରା ମଧ୍ୟ କରିଛି । କୋଚିଂ ସେଣ୍ଟର୍‌ରେ ଡୋଟାସରାଙ୍କ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିବା ବେଳେ ସେ ଏହାକୁ ଅସ୍ୱୀକାର କରିଛନ୍ତି । କେନ୍ଦ୍ରୀୟ ଏଜେନ୍ସି ପ୍ରଥମ ଥର ପାଇଁ ଆଜି ଡୋଟାସରାଙ୍କ ଘରେ ଏହି ଚଢ଼ଉ କରିଛି । ଚଢ଼ଉ ବେଳେ ଦିଲ୍ଲା ଏବଂ ଜୟପୁର ଟିମ୍ ସହିତ କେନ୍ଦ୍ରୀୟ ସୁରକ୍ଷା ବଳ ଅଧିକାରୀ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଡୋଟାସରା ଚଳିତ ବିଧାନସଭା ନିର୍ବାଚନ ପାଇଁ ଡୋଟାସରା ବିଜେପିର ସୁଭାଷ ମହାରିୟାଙ୍କ ବିପକ୍ଷରେ ସିକର୍ ଜିଲ୍ଲାର ଲକ୍ଷ୍ମଣଗଡ଼ ଆସନରୁ କଂଗ୍ରେସ ଦଳର ପ୍ରାର୍ଥୀ ହୋଇଛନ୍ତି । ଅନ୍ୟପକ୍ଷରେ ମହୱାର ସ୍ୱାଧୀନ ବିଧାୟକ ହୁଡ୍‌ଲା ଚଳିତ ଥର ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking