ଭବାନୀପାଟଣା: ରବିବାର କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଭବାନୀପାଟଣା ସହର । ମୂଳାଷ୍ଟମୀ ଦିନ ଭବାନୀପାଟଣା ରାଜପ୍ରାସାଦରେ ଥିବା ମାଣିକେଶ୍ୱରୀ ପୀଠରେ ମୁଣ୍ଡବସା ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ପୂଜା କରାଯାଏ । ମାଆ ମାଣିକେଶ୍ୱରୀଙ୍କୁ ମହାଷ୍ଟମୀ ମଧ୍ୟରାତ୍ରରେ ରାଜବାଟୀରୁ ପାଖାପାଖି ୩ କିଲୋମିଟର ଦୂର ଜେନାଖାଲକୁ ନିଆଯାଏ । ମହାଷ୍ଟମୀ ସକାଳେ ନଗର ପରିଭ୍ରମଣରୁ ଏହି ଯାତ୍ରା ଆରମ୍ଭ ହୁଏ । ପୁଣି ମାଆଙ୍କୁ ରାଜବାଟୀକୁ ଫେରାଇ ଅଣାଯାଏ ।
ଏହି ଅବସରରେ ମାନସିକ ରଖିଥିବା ଶ୍ରଦ୍ଧାଳୁ ରାସ୍ତାରେ କୁକୁଡ଼ା, ବୋଦା, ଛେଳି ସହ ଭକ୍ତମାନେ ଧୂପଦୀପ, ନୈବେଦ୍ୟ ଅର୍ପଣ କରିଥାନ୍ତି । ଏହାସହ ଶାନ୍ତିର ପ୍ରତୀକ ଭାବେ ଶହଶହ ପାରାଙ୍କୁ ଦେବୀଙ୍କ ଛତର ଉପରେ ଉଡ଼ାଇବାର ପରମ୍ପରା ରହିଛି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଓ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ପ୍ରତି ଦୃଷ୍ଟି ରଖାଯାଇଛି । ୧୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ । କଳାହାଣ୍ଡିର ବୀରବାଦ୍ୟ ଘୁମୁରା ସହ ୨୫ଟି ସାଂସ୍କୃତିକ ଦଳ ଚଳିତ ବର୍ଷ ଅଂଶଗ୍ରହଣ କରିଛନ୍ତି । ୬ଟି ପାର୍କିଂ ବ୍ୟବସ୍ଥା କରାଯାଇଥିବା ନେଇ କଳାହାଣ୍ଡି ଏସ୍ପି ସୂଚନା ଦେଇଛନ୍ତି ।