30.1 C
Bhubaneswar
Friday, September 20, 2024
Homeଖେଳଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗ୍‌; ଷଷ୍ଠକୁ ଉଠିଲେ ରୋହିତ ଶର୍ମା

ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗ୍‌; ଷଷ୍ଠକୁ ଉଠିଲେ ରୋହିତ ଶର୍ମା

ଦୁବାଇ: ଆଇସିସି ପକ୍ଷରୁ ପ୍ରକାଶିତ ଦିନିକିଆ ର‌୍ୟାଙ୍କିଙ୍ଗ୍‌ରେ ଟିମ୍ ଇଣ୍ଡିଆ କ୍ୟାପ୍‌ଟେନ୍ ରୋହିତ ଶର୍ମାଙ୍କୁ ବିଶ୍ୱକପ୍ ପ୍ରଦର୍ଶନର ଲାଭ ମିଳିଛି । ଆଫଗାନିସ୍ତାନ ଓ ବାକିସ୍ତାନ ବିପକ୍ଷରେ ଯଥାକ୍ରମେ ୧୩୧ ଓ ୮୬ ରନ୍ କରିଥିବା ରୋହିତ ପାଞ୍ଚଟି ସ୍ଥାନର ଉନ୍ନତି ସହିତ ବ୍ୟାଟିଂ ର‌୍ୟାଙ୍କିଙ୍ଗ୍‌ର ଷଷ୍ଠରେ ପହଞ୍ଚିଛନ୍ତି । ଏବେ ତାଙ୍କ ରେଟିଂ ପଏଣ୍ଟ୍ ୭୧୯ ହୋଇଛି । ସେହିପରି ଚଳିତ ବିଶ୍ୱକପ୍‌ରେ କ୍ରମାଗତ ଦୁଇଟି ଶତକ (୧୦୦ ଓ ୧୦୯ ରନ୍‌) କରିଥିବା ସାଉଥ୍ ଆଫ୍ରିକା ୱିକେଟ୍‌କିପର୍ ବ୍ୟାଟର୍ କ୍ୱିଣ୍ଟନ୍ ଡି କକ୍ (୭୪୨) ତିନିଟି ସ୍ଥାନ ଉପରକୁ ଉଠି ତୃତୀୟରେ ପହଞ୍ଚିଛନ୍ତି । ପୂର୍ବତନ ଟିମ୍ ଇଣ୍ଡିଆ କ୍ୟାପ୍‌ଟେନ୍ ବିରାଟ କୋହଲି ସପ୍ତମରୁ ନବମ ସ୍ଥାନକୁ ଖସିଆସିଛନ୍ତି । ଦୀର୍ଘ ସମୟ ଧରି ଏହି ସ୍ଥାନରେ ରହିଆସିଥିବା ତାଙ୍କ ଟିମ୍‌ର ରାସି ଭାନ୍ ଡୁର୍ ଡୁସେନ୍ (୭୩୨) ଗୋଟିଏ ସ୍ଥାନ ତଳକୁ ଚତୁର୍ଥକୁ ଖସିଆସିଛନ୍ତି । ଅନ୍ୟପକ୍ଷରେ ପାକିସ୍ତାନୀ କ୍ୟାପ୍‌ଟେନ୍ ବାବର୍ ଆଜମ୍ ୮୩୬ ରେଟିଂ ପଏଣ୍ଟ ସହ ଶୀର୍ଷରେ କାଏମ୍ ରହିଛନ୍ତି । ତାଙ୍କ ପଛକୁ ଭାରତୀୟ ଓପ୍ନର୍ ଶୁବମନ ଗିଲ୍ ୮୧୮ ପଏଣ୍ଟ୍ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଆୟର୍ଲାଣ୍ଡର ହ୍ୟାରୀ ଟାକ୍ଟର୍ ୭୨୯ ପଏଣ୍ଟ ସହ ପଞ୍ଚମ ସ୍ଥାନ ବଜାୟ ରଖିଛନ୍ତି । ଆଫଗାନିସ୍ତାନ ଓପ୍ନର୍ ରେହମନୁଲ୍ଲାହ ଗୁରବାଦ (୧୯ ସ୍ଥାନ ଉପରକୁ ଉଠି ୧୮ତମ ସ୍ଥାନରେ) ଏବଂ ନେଦାରଲାଣ୍ଡ କ୍ୟାପ୍‌ଟେନ୍ ସ୍କଟ୍ ଏଡ୍‌ୱାଡର୍ସ (୧୬ ସ୍ଥାନ ଉପରକୁ ଉଠି ୨୭ତମ ସ୍ଥାନରେ)ଙ୍କୁ ଚଳିତ ର‌୍ୟାଙ୍କିଙ୍ଗ୍‌ରେ ଜୋରଦାର ଲାଭ ମିଳିଛି ।

ସେହିପରି ବୋଲିଂ ର‌୍ୟାଙ୍କିଙ୍ଗ୍ ନ୍ୟୁଜିଲାଣ୍ଡ୍ ଫାଷ୍ଟ୍ ବୋଲର୍ ଟ୍ରେଣ୍ଟ୍ ବୋଲ୍ଟ ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ତାଙ୍କର ରେଟିଂ ପଏଣ୍ଟ୍ ୬୬୦ ହୋଇଥିବା ବେଳେ ଅଷ୍ଟ୍ରେଲୀୟ ପେସର୍ ଜୋସ୍ ହେଜଲ୍‌ଉଡ୍‌ଙ୍କ ଠାରୁ ଗୋଟିଏ ପଏଣ୍ଟ୍ ପଛରେ ରହିଛନ୍ତି । ଫଳରେ ଭାରତର ମହମ୍ମଦ ସିରାଜ୍ (୬୫୬) ତୃତୀୟ ସ୍ଥାନକୁ ଖସିଆସିଛନ୍ତି । ଆଫଗାନିସ୍ତାନ ସ୍ପିନ୍ ଯାଦୁକାର ରଶିଦ୍ ଖାନ୍ ଦୁଇଟି ସ୍ଥାନ ଉପରକୁ ଉଠି ଚତୁର୍ଥରେ ପହଞ୍ଚିଥିବା ବେଳେ ସାଉଥ୍ ଆଫ୍ରିକା ସ୍ପିନର୍ କେଶବ ମହାରାଜ ସାତ ସ୍ଥାନ ଉପରକୁ ଉଠି ମୁଜିବ୍ ଉର୍ ହରମାନ୍‌ଙ୍କ ସହ ପଞ୍ଚମ ସ୍ଥାନରେ ରହିଛନ୍ତି । ଫାଷ୍ଟ ବୋଲର୍‌ଙ୍କ ମଧ୍ୟରେ ଭାରତର ଜସ୍‌ପ୍ରୀତ ବୁମ୍‌ରା (୭ ସ୍ଥାନ ଉନ୍ନତି) ଏବଂ ସାଉଥ୍ ଆଫ୍ରିକାର କାଗିସୋ ରବାଡ଼ା (ଗୋଟିଏ ସ୍ଥାନର ଉନ୍ନତି) ସମାନ ୧୪ତମ ସ୍ଥାନରେ ପହଞ୍‌ଚିଛନ୍ତି । ଲୁଙ୍ଗି ଏନ୍‌ଗିଡ଼ି ଛଅ ସ୍ଥାନ ଉପରକୁ ଉଠି ୧୬ତମ ସ୍ଥାନରେ ପହଞ୍ଚିଛନ୍ତି । ଦିନିକିଆ ଅଲ୍‌ରାଉଣ୍ଡର୍ ତାଲିକାରେ ବାଂଲାଦେଶର ଅଭିଜ୍ଞ ଖେଳାଳି ସାବିକ୍ ଅଲ୍ ହସନ୍ ୩୪୩ ରେଟିଂ ପଏଣ୍ଟ ସହ ଶୀର୍ଷରେ କାଏମ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking