32.1 C
Bhubaneswar
Friday, September 20, 2024
Homeଦେଶ ବିଦେଶ୨୦୨୪-୨୫ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବୃଦ୍ଧି; ଗହମ କ୍ୱିଣ୍ଟାଲ ମୂଲ୍ୟ ୨୨୭୫...

୨୦୨୪-୨୫ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବୃଦ୍ଧି; ଗହମ କ୍ୱିଣ୍ଟାଲ ମୂଲ୍ୟ ୨୨୭୫ ଟଙ୍କା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ୨୦୨୪-୨୫ ବିପଣନ ଋତୁ ପାଇଁ ସମସ୍ତ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ôଥକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଏମ୍‌ଏସ୍‌ପି ବୃଦ୍ଧିକୁ ଅନୁମୋଦନ କରାଯାଇଛି ।

କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ସରକାର ବିପଣନ ଋତୁ ୨୦୨୪-୨୫ ଲାଗି ରବି ଫସଲର ଏମଏସପି ବୃଦ୍ଧି କରିଛନ୍ତି । ଡାଲି (ମସୁର) ପାଇଁ କୁଇଣ୍ଟାଲ ପିଛା ୪୨୫ ଟଙ୍କା ଏବଂ ରେପସିଡ ଓ ସୋରିଷ ପାଇଁ କ୍ୱିଣ୍ଟାଲ ପିଛା ୨୦୦ ଟଙ୍କା ଏମଏସପି ବୃଦ୍ଧିକୁ ଅନୁମୋଦନ କରାଯାଇଛି । ଗହମ ଓ କୁସୁମ ପାଇଁ କ୍ୱିଣ୍ଟାଲ ପିଛା ୧୫୦ ଟଙ୍କା ଲେଖାଏଁ ବୃଦ୍ଧିକୁ ଅନୁମୋଦନ ମିଳିଛି । ବାର୍ଲି ଓ ଚଣାର ଏମଏସପି କ୍ୱିଣ୍ଟାଲ ପିଛା ଯଥାକ୍ରମେ ୧୧୫ ଟଙ୍କା ଓ ୧୦୫ ଟଙ୍କା ବୃଦ୍ଧି କରାଯାଇଛି । ୨୦୨୩-୨୪ ରବି ଋତୁରେ ଗହମ କ୍ୱିଣ୍ଟାଲ ୨୧୨୫ ଟଙ୍କା ଥିବା ବେଳେ ୨୦୨୪-୨୫ ପାଇଁ ୨୨୭୫ ଟଙ୍କା କରାଯାଇଛି । କ୍ୱିଣ୍ଟାଲ ପିଛା ଯଅ ୧୭୩୫ ଟଙ୍କା ଥିବା ବେଳେ ୧୮୫୦ ଟଙ୍କା ଓ ଚଣା ୫୩୩୫ ଟଙ୍କା ଥିବା ବେଳେ ୫୪୪୦ ଟଙ୍କାକୁ ବୃଦ୍ଧି ହୋଇଛି । ସେହିପରି ଡାଲି (ମସୁର) କ୍ୱିଣ୍ଟାଲ ମୂଲ୍ୟ ୬ ହଜାର ଟଙ୍କା ଥିବା ବେଳେ ତାହା ୬୪୨୫ ଟଙ୍କାକୁ, ସୋରିଷ ଓ ରେପସିଡ ୫୪୫୦ ଟଙ୍କାରୁ ୫୬୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । କୁସୁମ କ୍ୱିଣ୍ଟାଲ ମୂଲ୍ୟ ୫୬୫୦ ଟଙ୍କା ଥିବା ବେଳେ ତାହା ୫୮୦୦ ଟଙ୍କାକୁ ବୃଦ୍ଧି ହୋଇଛି ।

ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରୀ ଉତ୍ପାଦନ ଖର୍ଚ୍ଚର ପାଖାପାଖି ଦେଢ଼ଗୁଣା ସ୍ତରରେ ଏମଏସପି ନିର୍ଦ୍ଧାରଣ କରିବା ଲାଗି କେନ୍ଦ୍ରୀୟ ବଜେଟ୍ ୨୦୧୮-୧୯ରେ ଘୋଷଣା କରାଯାଇଥିଲା । ଏହି ଘୋଷଣା ଅନୁରୂପ ୨୦୨୪-୨୫ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବୃଦ୍ଧି କରାଯାଉଛି । ଏମଏସପି ବୃଦ୍ଧି ଫଳରେ ଗହମ ଉପରେ ୧୦୨ ପ୍ରତିଶତ, ସୋରିଷ ଓ ରେପସିଡ୍ ଉପରେ ୯୮ ପ୍ରତିଶତ, ମସୁର ଉପରେ ୮୯ ପ୍ରତିଶତ, ଚଣା ଉପରେ ୬୦ ପ୍ରତିଶତ, ଯଅ ଉପରେ ୬୦ ପ୍ରତିଶତ ଏବଂ କୁସୁମ ଉପରେ ୫୨ ପ୍ରତିଶତ କୃଷି ଉତ୍ପାଦନ ଖର୍ଚ୍ଚର ରିଟର୍ଣ୍ଣ ବା ଲାଭ ମୂଲ୍ୟ ମିଳିପାରିବ । ଚାଷୀମାନଙ୍କୁ ଉଚିତ୍ ଲାଭଜନକ ମୂଲ୍ୟ ପ୍ରଦାନ କରିବା ଏବଂ ଫସଲ ବିବିଧକରଣକୁ ପ୍ରୋତ୍ସାହନ ଦେବା ଏମଏସପି ବୃଦ୍ଧିର ଉଦ୍ଦେଶ୍ୟ ।

ଖାଦ୍ୟ ନିରାପତ୍ତା ଓ କୃଷକଙ୍କ ଆୟ ବୃଦ୍ଧି ଏବଂ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ସରକାର ତୈଳବୀଜ, ଡାଲି ଏବଂ ମାଣ୍ଡିଆ ବାଜରା ଭଳି ମିଲେଟ୍ସ ବା ଶ୍ରୀ ଅନ୍ନ ଶସ୍ୟର ଅମଳ ବୃଦ୍ଧି ପାଇଁ ଫସଲ ବିବିଧକରଣକୁ ପ୍ରୋତ୍ସାହିତ କରୁଛନ୍ତି । ତୈଳବୀଜ ଓ ଡାଲି ଚାଷ ପାଇଁ କୃଷକମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ମିଶନ (ଏନ୍‌ଏଫ୍‌ଏସ୍‌ଏମ୍‌), ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ପିଏମକେଏସୱାଇ) ଏବଂ ଜାତୀୟ ତୈଳବୀଜ ଓ ତାଳ ତେଲ ମିଶନ (ଏନ୍‌ଏମ୍‌ଓଓପି) ଭଳି ବିଭିନ୍ନ ପଦକ୍ଷେପ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking