28.1 C
Bhubaneswar
Friday, November 15, 2024
Homeଦେଶ ବିଦେଶନଭେମ୍ବର ୭ରୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ; ଇସିଙ୍କ ନିର୍ଦ୍ଦେଶରେ ଏକାଧିକ ଜିଲ୍ଲାପାଳ,ଏସ୍‌ପିଙ୍କ ବଦଳି

ନଭେମ୍ବର ୭ରୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ; ଇସିଙ୍କ ନିର୍ଦ୍ଦେଶରେ ଏକାଧିକ ଜିଲ୍ଲାପାଳ,ଏସ୍‌ପିଙ୍କ ବଦଳି

ନୂଆଦିଲ୍ଲୀ : ନଭେମ୍ବର ୭ରୁ ୩୦ ମଧ୍ୟରେ ପାଞ୍ଚଟି ରାଜ୍ୟ ଯଥା ମିଜୋରାମ, ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ କରାଯାଉଥିବାବେଳେ ଡିସେମ୍ବର ୩ରେ ଗଣତି ହେବ ବୋଲି ନିର୍ବାଚନ କମିଶନ ଘୋଷଣା କରିସାରିଛନ୍ତି । ଭୋଟଗ୍ରହଣର ଅବ୍ୟବହିତ ପୂର୍ବରୁ ନିର୍ବାଚନ କମିଶନ ବୁଧବାର ଏହି ସବୁ ରାଜ୍ୟରେ ଏକାଧିକ ଜିଲ୍ଲାପାଳ (ଆଇଏଏସ୍‌) ଓ ଏସ୍‌ପି (ଆଇପିଏସ୍‌)ଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବଦଳି ହେବାକୁ ଥିବା ଅଫିସରଙ୍କ ମଧ୍ୟରେ ୯ ଜଣ ଜିଲ୍ଲାପାଳ, ୨୫ ଜଣ ପୁଲିସ ଅଧିକାରୀ (ପୁଲିସ କମିଶନର, ଏସ୍‌ପି ଓ ଅତିରିକ୍ତ ଏସ୍‌ପି)ଙ୍କ ସମେତ ୪ ଜଣ ସଚିବ ଓ ସ୍ୱତନ୍ତ୍ର ସଚିବ ସାମିଲ ଥିବା ଜଣାପଡିଛି । ଗୁରୁବାର ଅପରାହ୍ନ ୫ଟା ସୁଦ୍ଧା ଜୁନିଅର ଅଫିସରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ଇସି କଡା ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଇସିଙ୍କୁ ଅବଗତ କରାଇବାକୁ ମଧ୍ୟ ସଂପୃକ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ପରିଚାଳନାରେ ଏହି ଅଫିସରମାନେ ପକ୍ଷପାତ ନୀତି ଅବଲମ୍ବନ କରିବାର ଆଶଙ୍କା ରହିଥିବାରୁ ସେମାନଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରିବାକୁ ଇସି ନିର୍ଦ୍ଦେଶ ଦେଇଛନ୍ତି । ବଦଳି ତାଲିକାଭୁକ୍ତ ହୋଇଥିବା ଏହି ଅଫିସରମାନେ ସରକାରଙ୍କ ହାତବାରିସି ପାଲଟିଥିବା ଏବଂ ସେମାନଙ୍କର ସିସିଆର ଭଲ ନଥିବା କୁହାଯାଇଛି । ବଦଳି ହୋଇଥିବା ପୁଲିସ ଅଧିକାରୀଙ୍କ ମଧ୍ୟରେ ତେଲେଙ୍ଗାନାର ୩ ଜଣ ପୁଲିସ କମିଶନର (ହାଇଦ୍ରାବାଦ, ୱାରଙ୍ଗଲ ଓ ନିଜାମାବାଦ) ଅନ୍ତର୍ଭୁକ୍ତ । ଏଥିସହିତ ତେଲେଙ୍ଗାନାର ପରିବହନ ସଚିବ, ଅବକାରୀ କମିଶନର ଏବଂ ବିକ୍ରିକର କମିଶନର ମଧ୍ୟ ଇସିଙ୍କ ସ୍କାନରରେ ପଡିଛନ୍ତି । ରାଜସ୍ଥାନରେ ହନୁମାନଗଡ, ଚୁରୁ ଓ ଭିୱାଡି ଏସ୍‌ପିଙ୍କୁ ବଦଳି କରାଯାଇଥିବାବେଳେ ଛତିଶଗଡରେ ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ ଅନ୍ୟତ୍ରମ ବଦଳି ହୋଇଛନ୍ତି । ବଦଳି ହୋଇଥିବା ଜିଲ୍ଲାପାଳଙ୍କ ମଧ୍ୟରେ ରଙ୍ଗାରେଡ୍ଡି, ମେଦଚଲ ମାଲକାଜଗିରି, ୟାଦାଦ୍ରି ଭୁବନଗିରି ଓ ନିର୍ମଲ (ତେଲେଙ୍ଗାନା), ରତ୍‌ଲାମ ଓ ଖର୍ଗୋନ (ମଧ୍ୟପ୍ରଦେଶ), ଅଲୱାର (ରାଜସ୍ଥାନ), ରାୟଗଡ ଓ ବିଳାସପୁର (ଛତିଶଗଡ) ସାମିଲ ଅଛନ୍ତି । ଭୋଟରଙ୍କୁ ପ୍ରଭାବିତ କରିବାକୁ ବିଭିନ୍ନ ରାଜନୈତିକ ଦଳ ନଗଦ ଟଙ୍କାଠାରୁ ଆରମ୍ଭ କରି ସୁନାରୁପା, ମଦ ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଲାଞ୍ଚ ଦେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରିବାକୁ ଇସିଙ୍କ ପକ୍ଷରୁ ପୁଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ରଖିବା ଦିଗରେ ଜିଲ୍ଲାପାଳ ଓ ଏସ୍‌ପିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଶେଷକରି ପଡୋଶୀ ରାଜ୍ୟରୁ ଏହି ସବୁ ସାମଗ୍ରୀ ଚାଲାଣ କରାଯାଉଥିବାବେଳେ ସୀମାରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି । ନିର୍ବାଚନ ମୁହାଁ ୫ ରାଜ୍ୟର ସୀମାରେ ମୋଟ ୯୪୦ଟି ପ୍ରବେଶ ପଥ (ଚେକ୍ ପୋଷ୍ଟ୍‌) ରହିଛି । ପଞ୍ଜାବ ଓ ହରିୟାଣାରୁ ଚୋରା ସାମଗ୍ରୀ ରାଜସ୍ଥାନରେ ପହଞ୍ଚୁଥିବା ସୂଚନା ମିଳିବାପରେ ଇସି ରାଜସ୍ଥାନରେ ୩ ଏସ୍‌ପି ଓ ଜଣେ ଜିଲ୍ଲାପାଳଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାବ୍ୟତୀତ ରାଜସ୍ଥାନ (ପାକିସ୍ତାନ ସଂଲଗ୍ନ) ଓ ମିଜୋରାମ (ମିଆଁମାର ସଂଲଗ୍ନ)ରେ ଆନ୍ତର୍ଜାତିକ ସୀମା ରହିଥିବାରୁ ଏଭଳି ସାମଗ୍ରୀର ଚାଲାଣ ଉପରେ ନଜର ରଖିବାକୁ ବିଏସଏଫ୍ ଓ ଆସାମ ରାଇଫଲ୍‌ସକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking