ଆଇଜଲ : ନଭେମ୍ବର ୭ରୁ ୩୦ ମଧ୍ୟରେ ପାଞ୍ଚଟି ରାଜ୍ୟ ଯଥା ମିଜୋରାମ, ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇ ଡିସେମ୍ବର ୩ରେ ସବୁ ରାଜ୍ୟର ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ କମିଶନ (ଇସିଆଇ) ବିଜ୍ଞପ୍ତି ଜାରି କରିସାରିଛନ୍ତି । ଡିସେମ୍ବର ୩ ରବିବାର ହୋଇଥିବାରୁ ଭୋଟଗଣତି ତାରିଖ ପରିବର୍ତ୍ତନ କରିବାକୁ ମିଜୋରାମରେ କ୍ଷମତାସୀନ ଏମଏନ୍ଏଫ୍ ସରକାର ଇସିଙ୍କ ନିକଟରେ ଦାବି କରିଛନ୍ତି । ଏପରିକି ବିଜେପି ଓ କଂଗ୍ରେସ ଭଳି ଦଳ ମଧ୍ୟ ଏହି ଦାବିକୁ ସମର୍ଥନ ଜଣାଇଛନ୍ତି । ମିଜୋରାମ ହେଉଛି ଏକ ଖ୍ରୀଷ୍ଟ ଧର୍ମାବଲମ୍ବୀ ବହୁଳ ରାଜ୍ୟ । ଖ୍ରୀଷ୍ଟିଆନ୍ଙ୍କ ପାଇଁ ରବିବାର ଏକ ପବିତ୍ର ଦିନ । ସେଦିନ ଏହି ସଂପ୍ରଦାୟର ଲୋକେ ଚର୍ଚ୍ଚକୁ ଯାଇ ପ୍ରାର୍ଥନା କରିଥାନ୍ତି । ଏହି ପରିପ୍ରେକ୍ଷୀରେ ମିଜୋରାମରେ ଗଣତି ତାରିଖ ଡିସେମ୍ବର ୪କୁ ଘୁଞ୍ଚାଇ ଦେବାକୁ ଇସିଙ୍କ ନିକଟରେ ଆବେଦନ କରାଯାଇଛି ।