19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶ୨୬ ସପ୍ତାହର ଗର୍ଭପାତକୁ ସର୍ବୋଚ୍ଚ କୋର୍ଟଙ୍କ ଅସହମତି

୨୬ ସପ୍ତାହର ଗର୍ଭପାତକୁ ସର୍ବୋଚ୍ଚ କୋର୍ଟଙ୍କ ଅସହମତି

ନୂଆଦିଲ୍ଲୀ: ଜଣେ ବିବାହିତା ମହିଳାଙ୍କୁ ୨୬ ସପ୍ତାହ ଗର୍ଭାବସ୍ଥାରେ ଗର୍ଭପାତ କରିବାକୁ ଅନୁମତି ଦେବା ସମ୍ପର୍କିତ ମାମଲାରେ ଆଜି ସର୍ବୋଚ୍ଚ କୋର୍ଟ ଅସହମତି ପ୍ରକାଶ କରିଛନ୍ତି । ପୂର୍ବରୁ ସର୍ବୋଚ୍ଚ କୋର୍ଟ ଏହି ମହିଳାଙ୍କୁ ଗର୍ଭପାତ କରିବାର ଅନୁମତି ମଧ୍ୟ ପ୍ରଦାନ କରିଥିଲେ । ମାତ୍ର ଆଜି ମାମଲାର ପୁନର୍ବିଚାର ଆବେଦନର ଶୁଣାଣି ଦୁଇ ମହିଳା ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠରେ ହୋଇଥିଲା । ଏହି ମାମଲାରେ ଅନୁମତି ଦେବାକୁ ନେଇ ସହମତି ପ୍ରକାଶ ପାଇନାହିଁ । ଫଳରେ ଏହି ମାମଲାକୁ ଉଚ୍ଚତର ଖଣ୍ଡପୀଠକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ପୂର୍ବରୁ ଦୁଇ ସନ୍ତାନଙ୍କ ମା’ ହୋଇ ସାରିଥିବା ଓ ଏବେ ତୃତୀୟ ଥର ୨୬ ସପ୍ତାହର ଗର୍ଭବତୀ ଥିବା ଜଣେ ମହିଳା ଆବେଦନକାରୀ ନିଜ ଶାରୀରିକ ଓ ମାନସିକ ଅସୁସ୍ଥତା କାରଣରୁ ଗର୍ଭପାତ ପାଇଁ ଅନୁମତି ମାଗି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଆଜି ଏହି ମାମଲାର ଶୁଣାଣି ଜଷ୍ଟିସ୍ ହିମା କୋହଲି ଓ ବି.ଭି ନାଗରତ୍ନାଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠରେ ହୋଇଥିଲା । ହେଲେ ମାମଲାରେ ଉଭୟ ବିଚାରପତିଙ୍କ ଭିନ୍ନ ରାୟ ଥିଲା । ଜଷ୍ଟିସ କୋହଲି ଗର୍ଭପାତକୁ ଅନୁମତି ନଦେବା ସପକ୍ଷରେ ମତ ରଖିଥିଲେ । ବର୍ତ୍ତମାନ ସମୟରେ ଗର୍ଭପାତ ପାଇଁ ଅନୁମତିକୁ ଦିଆଯାଇ ପାରିବନାହିଁ ବୋଲି କହିଥିଲେ । ମାତ୍ର ଜଷ୍ଚିସ ନାଗରତ୍ନା ଏଥିରେ ଅସହମତି ପ୍ରକାଶ କରିଥିଲେ । ଫଳରେ କୌଣସି ସାର୍ବଜନୀନ ରାୟ ପ୍ରକାଶ ପାଇପାରିନଥିଲା ।

ତେବେ ଏହାକୁ ଏବେ ଉଚ୍ଚତର ଖଣ୍ଡପୀଠଙ୍କୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ସମ୍ବେଦନଶୀଳ ମାମଲାରେ ପରବର୍ତ୍ତୀ ଶୁଣାଣି କରିପାରନ୍ତି । ଜଷ୍ଚିସ ନାଗରତ୍ନା ନିଜ ଟିପ୍ପଣୀରେ କହିଥିଲେ, ଆବେଦନ କେବଳ ଗର୍ଭପାତ କିମ୍ବା ଗର୍ଭସ୍ଥ ଶିଶୁ ସମ୍ପର୍କରେ ନୁହେଁ ବରଂ ଆବେଦନକାରୀ ତାଙ୍କ ଶାରୀରିକ ଓ ମାନସିକ ଅସୁସ୍ଥତା କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ତେଣୁ ଏପରି ସ୍ଥିତିରେ ଆବେଦନକାରୀଙ୍କ ପରିସ୍ଥିତି ଓ ଇଚ୍ଛାକୁ ସମ୍ମାନ ଦେବା ମଧ୍ୟ ଉଚିତ । ତେବେ ଆଜି ଶୁଣାଣି ଦୁଇ ବରିଷ୍ଠ ମହିଳା ବିଚାରପତିଙ୍କ ଖଣ୍ଡପୀଠରେ ହୋଇଥିଲେ ସୁଦ୍ଧା ଭିନ୍ନ ରାୟ କାରଣରୁ ଆନୁପାତିକ ଆଧାରରେ କୌଣସି ରାୟ ପ୍ରକାଶ ପାଇପାରିନଥିଲା । ମାମଲା ଏବେ ୩ ଜଣିଆ କିମ୍ବା ୫ ଜଣିଆ ଉଚ୍ଚତର ଖଣ୍ଡପୀଠ ଦ୍ୱାରା ଶୁଣାଣି ହେବ । ମଙ୍ଗଳବାର ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନେତ୍ୱତ୍ୱାଧୀନ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି କରିପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking