ଚଣ୍ଡିଗଡ଼: ମଙ୍ଗଳବାରଠାରୁ ହିମାଚଳ ପ୍ରଦେଶରେ ସିମଳା-କାଲ୍କା ମଧ୍ୟରେ ଟୟ ଟ୍ରେନ୍ ଚଳାଚଳ ପୁଣି ଆରମ୍ଭ ହୋଇଥିବା ଜଣାପଡିଛି । କିଛିମାସ ପୂର୍ବେ ହିମାଚଳରେ ବର୍ଷା ବିତ୍ପାତ ଯୋଗୁଁ ଏହି ଟ୍ରେନ୍ ଲାଇନ୍ ବ୍ୟାପକ କ୍ଷତିଗ୍ରସ୍ତ ହେବାରୁ ଏହାର ଚଳାଚଳକୁ ସ୍ଥଗିତ ରଖାଯାଇଥିଲା । ଅତଡା ଖସିବାରୁ କେତେକ ସ୍ଥାନରେ ଟୟ ଟ୍ରେନ୍ ରେଳଧାରଣା ଭୂପୃଷ୍ଠ ଉପରେ ଝୁଲି ରହିଥିଲା ।
ଫଳରେ ଜୁଲାଇ ୧୦ରୁ ଟୟ ଟ୍ରେନ୍ ସେବାକୁ ସାମୟିକଭାବେ ବାତିଲ କରାଯାଇଥିଲା । ୩୫୨ଟି ସ୍ଥାନରେ ରେଳଧାରଣା କ୍ଷତିଗ୍ରସ୍ତ ହୋଇଥିବାବେଳେ ଏହାକୁ ରେକର୍ଡ ସମୟ ମଧ୍ୟ ମରାମତି କରାଯାଇଛି । ପର୍ଯ୍ୟଟକଙ୍କ ପାଇଁ ସିମଳାରୁ କାଲ୍କା ମଧ୍ୟରେ ୪ଟି ଟୟ ଟ୍ରେନ୍ ପ୍ରତ୍ୟହ ଚଳାଚଳ କରିଥାଏ । ବର୍ତ୍ତମାନ ଟୟ ଟ୍ରେନ୍ ପୁଣି ଚଳାଚଳ କରିବା ଫଳରେ ପର୍ଯ୍ୟଟନ ଶିଳ୍ପକୁ ଏହା ପ୍ରୋତ୍ସାହିତ କରିବ ବୋଲି ରାଜ୍ୟ ସରକାର ଆଶାବ୍ୟକ୍ତ କରିଛନ୍ତି ।