ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ବଲିଉଡ୍ ଅଭିନେତା ରଣବୀର କପୁରଙ୍କ ବିରୋଧରେ ସମନ୍ ଜାରି କରାଯାଇଛି । ଏକ ଗେମିଙ୍ଗ୍ ଆପ୍ ପାଇଁ ବିଜ୍ଞାପନ କରିଥିବାରୁ ରଣବୀରଙ୍କୁ ଏଭଳି ସମନ୍ ଇସ୍ୟୁ କରାଯାଇଛି । ଆସନ୍ତା ୬ରେ ହାଜର ହେବାକୁ ରଣବୀରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମହାଦେବ ଅନ୍ଲାଇନ ବୁକ୍ ଆପ୍ ବିଜ୍ଞାପନରେ ଅଭିନୟ କରିଥିବାରୁ ରଣବୀରଙ୍କୁ ପ୍ରଚୁର ଅର୍ଥ ମିଳିଥିବା ଇଡି ସୂଚନା ପାଇଛି । ବେଆଇନଭାବେ ଅନ୍ଲାଇନ ବେଟିଂ (ଜୁଆ) ୱେବ୍ସାଇଟ୍ ଜରିଆରେ ମହାଦେବ ଆପ୍ ପ୍ରବଳ ଅର୍ଥ ସଂଗ୍ରହ କରିଥିବା ଇଡି ପକ୍ଷରୁ କୁହାଯାଇଛି । ଏହି ଆପ୍ ସହ ବଲିଉଡ୍ର ଆଉ କେତେକ କଳାକାର ସଂପୃକ୍ତ ଅଛନ୍ତି ଏବଂ ସେମାନଙ୍କୁ ପରବର୍ତ୍ତୀ ସମୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯିବ ବୋଲି ଇଡି ପକ୍ଷରୁ କୁହାଯାଇଛି । ଇଡି ପକ୍ଷରୁ ଗତମାସରେ ବିଭିନ୍ନ ଅନ୍ଲାଇନ ବେଟିଂ ସାଇଟ୍ ଉପରେ ଚଢଉ କରାଯାଇ ୪୧୭ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇସାରିଛି ।