ମସ୍କୋ: ରୁଷ୍ର ଏକ ଅଦାଲତ ବୁଧବାର ମାରିନା ଓଭ୍ସ୍ୟାନିକୋଭା ନାମ୍ନୀ ଜଣେ ମହିଳା ଟିଭି ସାମ୍ବାଦିକାଙ୍କୁ ୮ ବର୍ଷ ଜେଲ୍ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଗତବର୍ଷ ଫେବୃଆରୀରେ ୟୁକ୍ରେନ୍ ବିରୋଧରେ ରୁଷ୍ ଯୁଦ୍ଧ ଘୋଷଣା କରିଥିବାବେଳେ ମାରିନା ଏହାକୁ ତୀବ୍ର ବିରୋଧ କରିଥିଲେ । ସମ୍ବାଦ ପ୍ରସାରଣ ଚାଲିଥିବାବେଳେ ମାରିନା ହଠାତ୍ ହାତରେ ଏକ ପ୍ଲାକାର୍ଡ ଧରି ନ୍ୟୁଜ୍ରୁମ୍ରେ ପ୍ରବେଶ କରିଥିଲେ । ପ୍ଲାକାର୍ଡରେ ‘ଷ୍ଟପ୍ ଦି ୱାର’ ଏବଂ ‘ଦେ ଆର୍ ଲାଇଙ୍ଗ୍ ଟୁ ୟୁ’ ଲେଖାଯାଇଥିଲା ।
ସେତେବେଳେ ଏହି ଦୃଶ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ରୁଷ୍ ସେନା ବିରୋଧରେ ଅପପ୍ରଚାର ଚଳାଇଥିବା ଅଭିଯୋଗରେ ଅଦାଲତ ମାରିନାଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ଉପରୋକ୍ତ ଜେଲ୍ଦଣ୍ଡ ପ୍ରଦାନ କରିଛନ୍ତି । ତେବେ ବିବାଦୀୟ ହୋଇପଡିବାପରେ ୪୫ ବର୍ଷୀୟା ମାରିନା ନିଜର କନ୍ୟା ସନ୍ତାନ ସହ ରୁଷ୍ ଛାଡି କୌଣସି ଏକ ୟୁରୋପୀ ରାଷ୍ଟ୍ରକୁ ପଳାଇ ଯାଇଥିଲେ । ତେଣୁ ଏହି ଦଣ୍ଡାଦେଶ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ମାରିନାଙ୍କ ଓକିଲ ଗଣମାଧ୍ୟମକୁ କହିଛନ୍ତି ।