ମୁମ୍ବାଇ : ଫିଲ୍ମ ‘ଯବାନ’ ସେପ୍ଟେମ୍ବର ୭ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଫିଲ୍ମରେ ଶାହରୁଖ୍ ଖାନ୍ ଓ ତାଙ୍କ ଲେଡି ଗ୍ୟାଙ୍ଗ୍କୁ ନେଇ ଖୁବ୍ ଜୋର୍ ଚର୍ଚ୍ଚା ହେଉଛି। ଫିଲ୍ମରେ ଏପରି ଜଣେ ଅଭିନେତ୍ରୀ ଅଛନ୍ତି, ଯାହାଙ୍କ ସହ ପୁଣି ଥରେ କାମ କରିବାକୁ ବଲିଉଡ୍ ବାଦ୍ଶାହା ଇଚ୍ଛା ପ୍ରକାଶ କରିଛନ୍ତି।ସେହି ଅଭିନେତ୍ରୀ ହେଉଛନ୍ତି ରିଧି ଡୋଗ୍ରା। ଫିଲ୍ମରେ ୩୮ ବର୍ଷୀୟା ରିଧି କିଙ୍ଗ୍ଖାନ୍ଙ୍କ ମାଆଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ତାଙ୍କୁ ଏହି ଚରିତ୍ରରେ ଦେଖିବା ପାଇଁ ପ୍ରଶଂସକ ବେଶ୍ ଉତ୍ସାହିତ ଅଛନ୍ତି। ରିଧିଙ୍କ କାମକୁ ଶାହରୁଖ୍ ଖୁବ୍ ପସନ୍ଦ କରିଛନ୍ତି ଓ ତାଙ୍କ ସହ ସେ ଆଗକୁ ଆହୁରି ଫିଲ୍ମ କରିବାକୁ ନିଜର ଇଚ୍ଛା ପ୍ରକାଶ କରିଛନ୍ତି। କିଙ୍ଗ୍ଖାନ୍ କହିଛନ୍ତି ଯେ ଆଗାମୀ ଫିଲ୍ମରେ ଦୁଇ କଳାକାର ସେମାନଙ୍କ ବାସ୍ତବ ବୟସ ଅନୁସାରେ ଚରିତ୍ର ନିଭାଇବେ। ରିଧି ପୂର୍ବରୁ ଅନେକ ଟିଭି ସୋ’ରେ ନଜର ଆସିଛନ୍ତି। ଗୁରୁବାର ‘ଯବାନ’ର ଟ୍ରେଲର ରିଲିଜ୍ କରି ନିଜ ପ୍ରଶଂସକଙ୍କ ପ୍ରତୀକ୍ଷାର ଅନ୍ତ ଘଟାଇଥିଲେ ବଲିଉଡର କିଙ୍ଗଖାନ୍ ଶାହରୁଖ। ଟ୍ରେଲର ରିଲିଜ୍ ହେଉ ହେଉ ଏହା ଲୋକଙ୍କ ମନ କିଣିଥିବା ବେଳେ ପଠାନ୍ ଭଳି ଏହି ଫିଲ୍ମ ମଧ୍ୟ ବକ୍ସ ଅଫିସ କିଙ୍ଗ ପାଲଟିବ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି। ଫିଲ୍ମର ଟ୍ରେଲର ସହ ଏଥିରେ ଥିବା ଶାହରୁଖଙ୍କ ସଂଳାପ ଖୁବ ଭାଇରାଲ ହେଉଛି। ସଂଳାପ ଜରିଆରେ ଶାହରୁଖ, ପୂର୍ବତନ ଏନସିବି ଅଫିସର ସମୀର ୱାଙ୍ଖେଡେଙ୍କୁ ଟାର୍ଗେଟ କରିଥିବା ଚର୍ଚ୍ଚା ହେଉଛି।