ବେତନଟୀ : ବେତନଟୀ ଜେଏମ୍ଏଫ୍ସି କୋର୍ଟରେ ଏକ ଚେକ୍ ବାଉନ୍ସ ମାମଲାରେ ଶନିବାର ରାୟ ପ୍ରକାଶ ପାଇଛି । କୋର୍ଟର ବିଚାରପତି ଅଭିନାଶ ନାଇଡୁ ଅଭିଯୁକ୍ତଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରିବା ସହିତ ଏହି ଅର୍ଥ ଆଦାୟ ନହେଲେ ଏକ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଅଭିଯୁକ୍ତ ହେଉଛନ୍ତି ବୈଶିଙ୍ଗା ଥାନା ଅଧୀନ ଖୋଣ୍ଡଦେଉଳିଆ ଗ୍ରାମର ରଜତ କୁମାର ବିନ୍ଧାଣୀ । ଅଭିଯୋଗକାରୀ ବୈଶିଙ୍ଗା ଥାନା ଅଧୀନ ନୂଆଗାଁ ଗ୍ରାମର ସୁଧାଂଶୁ ଦାସ । ସେ ବୈଶିଙ୍ଗା- ମାଣତ୍ରୀ ରାସ୍ତାର ଷୀରିପଦା ଛକରେ ଏକ ହୋଟେଲ୍ କରିଥିଲେ । ସେହି ହୋଟେଲ୍କୁ ଠିକାଦାର କରୁଥିବା ଖଣ୍ଡଦେଉଳିଆ ଗ୍ରାମର ରଜତ କୁମାର ବିନ୍ଧାଣୀ ନଗଦ ୧୦ ଲକ୍ଷ ଟଙ୍କା ହାତ ଉଧାରୀ ନେଇଥିଲେ । ଠିକାଦାର କାମ ପରେ ବିଲ୍ ଉଠାଇଲେ ଟଙ୍କା ଫେରାଇବେ ବୋଲି କହିଥିଲେ । ଏଥିପାଇଁ ବିଶ୍ୱାସ ଦେଖାଇବା ପାଇଁ ରଜତ ନିଜ ନାମରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ମାଣତ୍ରୀ ଶାଖାର ଏକ ଚେକ୍ ସୁଧାଂଶୁକୁ ପ୍ରଦାନ କରିଥିଲେ । ମାତ୍ର ଏହି ଟଙ୍କା ନଫେରାଇବାରୁ ଚେକ ବାଉନ୍ସ ହୋଇଯାଇଥିଲା । ଏଥିପାଇଁ ସୁଧାଂଶୁ ୨୦୧୯ ମସିହାରେ କୋର୍ଟରେ ମାମଲା ଦାୟର କରିଥିଲେ । ଏହି ଘଟଣାର ଶୁଣାଣି କରିଥିବା ବିଚାରପତି ଅଭିନାଶ ନାଇଡୁ ଦଣ୍ଡାଦେଶ ଶୁଣାଇଛନ୍ତି । ଦଣ୍ଡରେ ଦୋଷୀକୁ ୧୦ ଲକ୍ଷ ୫୦ ହଜାର ପୈଠ ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ନଚେତ୍ ଏକ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ।