କଟକ: ବଲିଉଡ୍ ଗାୟକ ସୌରୀନ ଭଟ୍ଟଙ୍କ ଜାମିନ ଆବେଦନ ମାମଲାର ଶୁଣାଣି ଶେଷ ହୋଇଛି । ବିଚାରପତି ଚତ୍ତରଞ୍ଜନ ଦାଶ ମାମଲାର ରାୟକୁ ସଂରକ୍ଷିତ ରଖିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସିଆରପିସି ଧାରା ୧୬୪ରେ ସୌରୀନ୍ଙ୍କ ରେକର୍ଡ କରାଯାଇଥିବା ବୟାନ ସମେତ କେସ୍ ଡାଏରୀ ପୁଲିସ ପକ୍ଷରୁ ଦାଖଲ କରାଯାଇଛି । ମାମଲାର ବିବରଣୀ ଅନୁସାରେ, ଜଗତପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସୌରୀନ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିବା ଓ ତାଙ୍କୁ ନିର୍ଯାତନ ଦେଉଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଥିଲା ।
ସୌରୀନ ବିବାହିତ ବୋଲି ଜାଣିବା ପରେ ଯୁବତୀ ଜଣକ ତାଙ୍କଠାରୁ ସମ୍ପର୍କ ତୁଟାଇବାକୁ ଚାହିଁଥିଲେ ବି ସୌରୀନ ତାଙ୍କୁ ଧମକଚମକ ଦେଇ ଆସୁଥିଲେ ବୋଲି ଯୁବତୀ ତାଙ୍କ ଏତଲାରେ ଦର୍ଶାଇଥିଲେ । ପୁଲିସ ସୌରିନ୍ଙ୍କ ନାମରେ ମାମଲା ରୁଜୁ କରିଥିଲା ତାଙ୍କୁ ଥାନାରେ ହାଜର ହେବା ପାଇଁ ସମନ ଜାରି କରାଯାଇଥିଲେ ବି ସେ ଆସିନଥିଲେ । ଅପରପକ୍ଷରେ ପୁଲିସ ତାଙ୍କୁ ଗିରଫ ପାଇଁ କଲକାତା ଯାଇ ନିରାଶରେ ଫେରିଥିଲା । ତେବେ ଗିରଫଦାରୀରୁ ବର୍ତ୍ତିବା ଲାଗି ସୌରୀନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।