27.1 C
Bhubaneswar
Sunday, September 22, 2024
Homeଓଡିଶାଗଞ୍ଜାମ ଜିଲ୍ଲା ଗସ୍ତରେ ୫ଟି ସଚିବ; ୧୮୦ କୋଟି ବ୍ୟୟରେ ରଙ୍ଗେଇଲୁଣ୍ଡା, ଛତ୍ରପୁର ମେଗା ପାଇପ୍...

ଗଞ୍ଜାମ ଜିଲ୍ଲା ଗସ୍ତରେ ୫ଟି ସଚିବ; ୧୮୦ କୋଟି ବ୍ୟୟରେ ରଙ୍ଗେଇଲୁଣ୍ଡା, ଛତ୍ରପୁର ମେଗା ପାଇପ୍ ଜଳ ପ୍ରକଳ୍ପ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଓ ଛତ୍ରପୁର ବ୍ଲକ୍‌ରେ ନିର୍ମାଣାଧୀନ ମେଗା ପାଇପ୍ ଜଳ ପ୍ରକଳ୍ପ ପାଇଁ ୧୮୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା ହୋଇଛି । ଏହି ପ୍ରକଳ୍ପ ଜୁଲାଇ ୨୦୨୪ ଠାରୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ ହେବ । ସେହିପରି ବେଗୁନିଆପଡ଼ାର ୧୯ ଗ୍ରାମ ପଞ୍ଚାୟତରେ ୭୦ କୋଟି ବ୍ୟୟରେ ମେଗା ପାଇପ୍ ଜଳ ପ୍ରକଳ୍ପ ହେବ । ସାଳିଆ ଡ୍ୟାମ୍‌ରୁ ଜଳ ଯୋଗାଇ ଦିଆଯିବ । ଜୁଲାଇ ୨୦୨୫ ସୁଦ୍ଧା ତାହା ସମାପ୍ତ ହେବ । ୧୭୮ କୋଟି ବ୍ୟୟରେ ‘ମାର୍କଣ୍ଡି ୱାଟର ୱେ’ର ନବୀକରଣ କରାଯିବ । ତେଣୁ କାର୍ଯ୍ୟର ଗୁଣବତ୍ତା ଓ ଧାର୍ଯ୍ୟ ସମୟରେ ନିର୍ମାଣ କାର୍ଯ୍ୟ ସମାପ୍ତ କରିବାକୁ ୫-ଟି ସଚିବ ଭିକେ ପାଣ୍ଡିଆନ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ଶୁକ୍ରବାର ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ଉପରେ ସମୀକ୍ଷା କରିଛନ୍ତି । ଏଥିରେ ୧୮ କୋଟି ବ୍ୟୟରେ କୋଦଳା ଓ କବିସୂର୍ଯ୍ୟନଗରରେ ଇନ୍‌ଡୋର୍ ଷ୍ଟାଡିୟମ୍ ନିର୍ମାଣ ହେବ । ଏହି ପ୍ରକଳ୍ପଗୁଡ଼ିିକ ସେପ୍ଟେମ୍ବର ୨୦୨୩ ସୁଦ୍ଧା ସମାପ୍ତ ହେବ । କୋଦଳା ଏନ୍‌ଏସିରେ ଆମ ହସ୍ପିଟାଲ ଯୋଜନାରେ ୩.୬ କୋଟି ବ୍ୟୟରେ ଡାକ୍ତରଖାନା ଉନ୍ନତି କରାଯିବ । ସେସବୁ କାର୍ଯ୍ୟ ଅକ୍ଟୋବର ୨୦୨୩ ସୁଦ୍ଧା ସମାପ୍ତ ହେବ । ସେହିପରି ବ୍ରହ୍ମପୁର-ଗୋପାଳପୁର ରାସ୍ତା ଉନ୍ନତୀକରଣ ପାଇଁ ୯.୫ କୋଟି ବ୍ୟୟ ହେବ । ନଭେମ୍ବର ୨୦୨୩ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବ ।

ଗୋପାଳପୁର ଓ ରଙ୍ଗେଇଲୁଣ୍ଡା ଅଞ୍ଚଳରେ ଶ୍ରୀ ପାଣ୍ଡିଆନ୍ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ସେ କହିଛନ୍ତି ଯେ ୬ କୋଟି ବ୍ୟୟରେ ହରିପୁର ଓ ମାର୍କାଣ୍ଡି ନଦୀ ମୁହାଣ ଖୋଲିବା କାର୍ଯ୍ୟ ଆରମ୍ଭ ହେବ । ୨୨ କୋଟି ବ୍ୟୟରେ ରଙ୍ଗେଲୁଣ୍ଡାର ବିକ୍ରମପୁରରେ ପ୍ଲାନେଟୋରିୟମ୍ ନିର୍ମାଣ ହେବ । ନଭେମ୍ବର ୨୦୨୩ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମାପ୍ତ ହେବ । ସେହିପରି ୯୯ କୋଟି ବ୍ୟୟରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ର ଆଧୁନିକୀକରଣ କରାଯିବ । ୪୬ କୋଟି ବ୍ୟୟରେ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟରେ ହଷ୍ଟେଲ ଓ ଅଡିଟୋରିୟମ୍ ନିର୍ମାଣ ହେବ । ଗଞ୍ଜାମ ବ୍ରହ୍ମପୁରରେ ଜିଲ୍ଲାର ବିଭିନ୍ନ ଜୁନିଅର ଓ ଡିଗ୍ରୀ କଲେଜର ଛାତ୍ରମାନଙ୍କ ସହ ୫-ଟି ସଚିବ କଥାବାର୍ତ୍ତା କରିଛନ୍ତି । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ସବୁ କଲେଜ ୫-ଟି ରୂପାନ୍ତର ପ।।ଇଁ ୯୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ତେଣୁ ଛାତ୍ରଛାତ୍ରୀମାନେ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରନ୍ତୁ । ଏଥିରେ ରାଜ୍ୟ ସରକାରଙ୍କ ପୂର୍ଣ୍ଣ ସମର୍ଥନ ରହିଛି ।

ଅନ୍ୟପକ୍ଷରେ ପୁରୁଷୋତ୍ତମପୁରରେ ମିଶନ ଶକ୍ତି ଗୋଷ୍ଠୀ ମହିଳାଙ୍କ ସହ ୫ଟି ସଚିବ ମଧ୍ୟ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ ମହିଳା ସଶକ୍ତୀକରଣ ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ପ୍ରାଥମିକତା ଦେଇଛନ୍ତି । ସେଥିପାଇଁ ସୁଧମୁକ୍ତ ଋଣ ନେଇ ସଚେତନତା ତଥା ପଞ୍ଚାୟତ ସ୍ତରରେ ଋଣ ମେଳା ଆୟୋଜନ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନସୁଦ୍ଧା ଜିଲ୍ଲାର ମିଶନ ଶକ୍ତି ସ୍କୁଟି ଯୋଜନାରେ ୫ ହଜାର ଦରଖାସ୍ତ ଆସିସାରିଛି । ତେଣୁ ଆବେଦନଗୁଡ଼ିିକର ଅନୁମୋଦନ ଓ ଯାନଗୁଡ଼ିିକର ଯଥାଶୀଘ୍ର ବିତରଣ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ରଙ୍ଗେଇଲୁଣ୍ଡା, ବେଗୁନିଆପଡ଼ାରେ ଜନସାଧାରଣଙ୍କ ସହ ଶ୍ରୀ ପାଣ୍ଡିଆନ କଥାବାର୍ତ୍ତା କରି ସବୁ ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ । ଏହି ଗସ୍ତକାଳରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ୍ କୃଷ୍ଣ, ଆଇଜି ସତ୍ୟବ୍ରତ ଭୋଇ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ୍‌ପି ଜଗନ୍ନାଥ ମିନା ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରର ଅଧିକାରୀମାନେ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking