29.1 C
Bhubaneswar
Saturday, September 21, 2024
Homeଓଡିଶା୫ଟି ସ୍କୁଲ ରୂପାନ୍ତର ଏକ ପ୍ରହସନ - ଭୁବନେଶ୍ୱର ଜିଲ୍ଲା କଂଗ୍ରେସ

୫ଟି ସ୍କୁଲ ରୂପାନ୍ତର ଏକ ପ୍ରହସନ – ଭୁବନେଶ୍ୱର ଜିଲ୍ଲା କଂଗ୍ରେସ

ଭୁବନେଶ୍ୱର – ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଭୁବନେଶ୍ୱରର ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମରେ ଥିବା ନୃସିଂହନାଥ ହାଇସ୍କୁଲକୁ ପରିଦର୍ଶନ

କରିଥିଲେ । ସେହି ହାଇସ୍କୁଲଟି ୫ଟି ବ୍ୟବସ୍ଥାରେ ରୂପାନ୍ତରିତ ହୋଇଛି । ମୂଖ୍ୟ ପ୍ରସଙ୍ଗଟି ହେଉଛି ଏହି କଲ୍ୟାଣପୁର ସ୍କୁଲଟି ୧୯୧୬
ମସିହାରେ ପ୍ରାଥମିକ ସ୍କୁଲ ଭାବରେ ସ୍ଥାପିତ ହୋଇଥିଲା । ୧୯୭୬ ମସିହାରେ ଏହି ବିଦ୍ୟାଳୟ ପରିସରରେ ହାଇସ୍କୁଲ ସ୍ଥାପିତ
ହେଲା । ଏହା ଏକ ପୂରୁଣା ସ୍କୁଲ ହୋଇଥିଲେ ମଧ୍ୟ ଏଠାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାତ୍ର ୫ ଜଣ ଶିକ୍ଷୟତ୍ରୀ ଅଛନ୍ତି । ଏହି
ଶିକ୍ଷୟତ୍ରୀ ପାଠପଢ଼ା ସହ କିରାଣୀକାମ ଏବଂ ସ୍କୁଲର ଅନ୍ୟାନ୍ୟ ଯାବତୀୟ କାର୍ଯ୍ୟକରିବାପାଇଁ ବାଧ୍ୟ ହେଉଛନ୍ତି । କାରଣ ସ୍କୁଲରେ
ଆଜକୁ ଦୀର୍ଘବର୍ଷ ଧରି ଆବଶ୍ୟକୀୟ ଶିକ୍ଷକ ସହିତ ଅନ୍ୟାନ୍ୟ ଷ୍ଟାଫ ମଧ୍ୟ ନାହାନ୍ତି ।
କଲ୍ୟାଣପୁର ଗ୍ରାମବାସୀ ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ପଦବୀ ପୂରଣ ପାଇଁ ବିଭାଗୀୟ କତୃପର୍କ୍ଷଙ୍କ ନିକଟରେ ବାରମ୍ବାର ଦାବି
କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିଲାନାହିଁ । ପରିଶେଷରେ ଗ୍ରାମବାସୀଙ୍କ ପକ୍ଷରୁ ସ୍କୁଲର ମୁଖ୍ୟ ଫାଟକରେ ଆଜକୁ ୫ ଦିନ ହେଲାଣି
ତାଲା ପକାଇଦିଆଯାଇଛି । ବର୍ତମାନ ଛାତ୍ରଛାତ୍ରୀମାନେ ନିକଟସ୍ଥ ନୃସିଂହନାଥ ମନ୍ଦିରରେ ପାଠପଢ଼ୁଛନ୍ତି । ସ୍କୁଲର ଛାତ୍ରଛାତ୍ରୀ ସଂଖ୍ୟା ୨୦୦ରୁ ଉର୍ଦ୍ଧ୍ୱ ହୋଇଥିଲେ ମଧ୍ୟ ମାତ୍ର ୫ଜଣ ଶିକ୍ଷୟତ୍ରୀ କିଭଳି ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରିବେ? ସବୁଠାରୁ
ଅତ୍ୟନ୍ତ ଦୁଃଖର କଥା ଗୋଟିଏ ଶ୍ରେଣୀଗୃହରେ ଉଭୟ ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀମାନେ ବସୁଥିଲା ବେଳେ ଜଣେମାତ୍ର
ଶିକ୍ଷୟତ୍ରୀ ତାଙ୍କୁ କିପରି ଶିକ୍ଷାଦାନ କରୁଛନ୍ତି? ଗ୍ରାମବାସୀମାନେ ସ୍କୁଲର ଉପଯୁକ୍ତ ସଂଖ୍ୟକ ଶିକ୍ଷକ ଦାବିକରି ଏକାମ୍ର ନିର୍ବାଚନ ମଣ୍ଡଳୀର
ପ୍ରତିନିଧି ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ପାଖକୁ ଯାଇଥିଲେ ବୋଲି ଗ୍ରାମର ବରିଷ୍ଠ ନାଗରିକ ଗୋପାଳ ଆଚାର୍ଯ୍ୟ ପ୍ରତିନିଧି ଦଳଙ୍କୁ
କହିଥିଲେ । ମନ୍ତ୍ରୀ ଅଶୋକ ପଣ୍ଡା ଏ ବାବଦରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଲେ ପରେ ମଧ୍ୟ ଆଜକୁ ଦୁଇବର୍ଷ ହୋଇଗଲାଣି
ଆବଶ୍ୟକୀୟ ସଂଖ୍ୟକ ଶିକ୍ଷକ ନିଯୁକ୍ତି କରାଗଲା ନାହିଁ । ଏ ରାଜ୍ୟରେ ମନ୍ତ୍ରୀଙ୍କର ଯୋଗ୍ୟତା କ’ଣ ବୋଲି ଗ୍ରାମବାସୀ ମାନେ ଅତି
କ୍ଷୋଭର ସହ ପ୍ରକାଶ କରିଥିଲେ ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହି ସ୍କୁଲକୁ ୫ଟି ସ୍କୁଲ ଅଧିନରେ ରୂପାନ୍ତରିତ କରିବାପାଇଁ ୪୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଖର୍ଚ୍ଚ କରାହୋଇଛି ବୋଲି ଗ୍ରାମବାସୀମାନେ କହୁଥିଲାବେଳେ କେବଳ ରଙ୍ଗ ମାରିଦେଲେ ଶିକ୍ଷା ବ୍ୟବସ୍ଥା ଉତକର୍ଷ ହୋଇଯାଏ ନାହିଁ । ଶିକ୍ଷକ
ନିଯୁକ୍ତି ନକରି ଶିକ୍ଷାଦାନ କିଭଳି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ କେବଳ କେତେକ ହାଇସ୍କୁଲ କାନ୍ଥରେ ରଙ୍ଗମାରି ଏବଂ କିଛି ନିମ୍ନମାନର ଘର ଛିଡ଼ାକରି ନବୀନ ସରକାର ୫ଟି ବ୍ୟବସ୍ଥା ମାଧ୍ୟମରେ ଓଡ଼ିଶାରେ ସ୍କୁଲ ଶିକ୍ଷାଦାନ ବ୍ୟବସ୍ଥାର ବୈପ୍ଳବିକ ପରିବର୍ତନ କରିଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି । ଶିକ୍ଷାର ଗୁଣାତ୍ମକମାନ ବଢ଼ିଛି ବୋଲି ଚିତ୍କାର କରୁଛନ୍ତି । ଅସଲ କଥାଟି ହେଉଛି ୫ଟି ସ୍କୁଲରେ ପରିବର୍ଦ୍ଧିତ ପ୍ରାୟ ସମସ୍ତ ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ସଂଖ୍ୟା ଠାରୁ ଅଧାରୁ କମ ଶିକ୍ଷକ ରହିଛନ୍ତି । ଦ୍ୱୀପତଳ ଅନ୍ଧାର ଥିବା ଭଳି ଏହାର ଜ୍ୱଳନ୍ତ ନମୁନା ଏକାମ୍ର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର କଲ୍ୟାଣପୁର ନୃସିହନାଥ ହାଇସ୍କୁଲୁର ପରିଦୃଷ୍ଟ । ସାରା ଭାରତବର୍ଷରେ ବିଭିନ୍ନ ରାଜ୍ୟରେ ଥିବା ଶିକ୍ଷାଦାନ ବ୍ୟବସ୍ଥା ଭିତରୁ ଓଡ଼ିଶାର ଯେଉଁ ସ୍ଥିତି ଅଛି ତାହା ସବୁଠାରୁ ନିକୃଷ୍ଟ ବୋଲି ଅନୁଭୂତ ହେଉଛି । ୫ଟି ବ୍ୟବସ୍ଥାରେ ସରକାର ରାଜ୍ୟର ୬୮୭୨ ଟି ହାଇସ୍କୁଲର ବୈପ୍ଳବିକ ରୂପାନ୍ତର କରିଛନ୍ତି ବୋଲି ଦାବି କରୁଛନ୍ତି ଏବଂ ଏଥିରେ ପ୍ରାୟ ୩୪୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ବାସ୍ତବ କ୍ଷେତ୍ରରେ ଭିତିଭୂମି ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ବେଳେ ସ୍କୁଲର ଅସଲ ସମସ୍ୟାକୁ ସମାଧାନ କରିବାରେ ସରକାର ବିଫଳ ହୋଇଛନ୍ତି । ବର୍ଷ ବର୍ଷ ଧରି ଖାଲିପଡ଼ିଥିବା ଶିକ୍ଷକ ପଦବୀ ସରକାର ଏପର୍ଯ୍ୟନ୍ତ ପୂରଣ କରିପାରିଲେ ନାହିଁ । ସରକାର ୨୦୦୦ ମସିହା ପରଠାରୁ ନବୀନ ସରକାର ଖୋର୍ଦ୍ଧା ଜିଲ୍ଲାରେ କୌଣସି ନୂତନ ସରକାରୀ ସ୍କୁଲ ଖୋଲି ନାହାନ୍ତି । ମାତ୍ର ଶିକ୍ଷାର ଘରୋଇକରଣକୁ ପ୍ରୋତ୍ସାହନ ଦେବା ଫଳରେ ଖୋର୍ଦ୍ଧା ଜିଲ୍ଳାରେ ଶହଶହ ଘରୋଇ ସ୍କୁଲ ଖୋଲା ହୋଇଛି । କଲ୍ୟାଣପୁରର ନୃସିଂହନାଥ ହାଇସ୍କୁଲରେ ତୁରନ୍ତ ଆବଶ୍ୟକୀୟ ଶିକ୍ଷକ ବ୍ୟବସ୍ଥା ନକଲେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ
ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାଶ କହିଛନ୍ତି ।
ଏହି ପ୍ରତିନିଧି ଦଳରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନନୁଗୋ, ସୁବ୍ରତ ମହାପାତ୍ର, ରଶ୍ମି ମହାପାତ୍ର, ୟାସିର ନୱାଜ, ରଜନୀ ମହାନ୍ତି, ବିସ୍ମୟ ମହାପାତ୍ର, ଆଶିଷ ମଲ୍ଲିକ, ମିହିର ଆଚାର୍ଯ୍ୟ, ପ୍ରଶନ୍ନ ନାୟକ,ସୌମେନ୍ଦ୍ର ମହାନ୍ତି, ସାଗର ପଟ୍ଟନାୟକ, ବିଂରଚି ବାରିକ, କାର୍ତିକେଶ୍ୱର କାଣ୍ଡି, ସ୍ପନ୍ଦନ କୁମାର ସ୍ୱାଇଁ, ଜୟକୃଷ୍ଣ ସୁବୁଦ୍ଧି, କୁସୁମ ପ୍ରଧାନ, ରିନା ସାହୁ, ଇନ୍ଦ୍ରିଜିତ ପରିଡ଼ା, ସମିର ରାଉତ, କ୍ଷୀରୋଦ ବେହେରା, ମୋହନ ଜେନା, ଅକ୍ଷୟ ମହାନ୍ତି, ଦୀପକ ମହାପାତ୍ର, ସେକ ନିଆଜୁଲ ଇସଲାମ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking