25.1 C
Bhubaneswar
Monday, October 21, 2024
Homeଓଡିଶାବିଷାକ୍ତ ସାପ କାମୁଡ଼ାରେ ବାପ-ଝିଅଙ୍କ ମୃତ୍ୟୁ

ବିଷାକ୍ତ ସାପ କାମୁଡ଼ାରେ ବାପ-ଝିଅଙ୍କ ମୃତ୍ୟୁ

ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଏନ ଏ ସି ୱାର୍ଡ ନ-୧ ଅନ୍ତର୍ଗତ ଅନ୍ତର୍ଗତ କାଞ୍ଜିଆପଲ୍ଲୀ ଗ୍ରାମରେ ବିଷାକ୍ତ ସାପ କାମୁଡାରେ ବାପ ଓ ଝିଅଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଶିବରାମ ନାୟକ(୩୫) ଓ ତାଙ୍କ ଝିଅ ଶ୍ରାବଣୀ ନାୟକ (୬ ) । ସୂଚନା ଅନୁସାରେ ଗୁରୁବାର ରାତି ବିଦ୍ୟୁତ ନଥିବା ବେଳେ ଶିବରାମ ଓ ଝିଅ ଶ୍ରାବଣୀ ଗୋଟିଏ ବଖରାରେ ଶୋଇଥିବା ବେଳେ ଅନ୍ୟ ଏକ ବଖରାରେ ୨ ମାସର ଶିଶୁ କନ୍ୟାକୁ ନେଇ ସ୍ତ୍ରୀ ମମତା ଶୋଇଥିଲେ । ବିଦ୍ୟୁତ ନଥିବାରୁ ସାରା ଅଞ୍ଚଳ ଅନ୍ଧକାର ଥିଲା । ରାତି ପ୍ରାୟ ୨ ଟା ବେଳେ ଶ୍ରାବଣୀ ନିଦରୁ ଉଠି ପଡି କାନ୍ଦିବା ସହ ବାନ୍ତି କରିଥିଲା । ତାକୁ ତୁରନ୍ତ ବୁଗୁଡ଼ା ଡାକ୍ତରଖାନାକୁ ଅଣା ଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଶିବରାମ ମଧ୍ୟ ସକାଳୁ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ମଧ୍ୟ ବୁଗୁଡ଼ା ମେଡିକାଲ ଅଣାଯାଇଥିଲା ତେବେ ଚିକିତ୍ସାଧୀନ ଅବସ୍ଥାରେ ଦିନ ସାଢେ ୨ଟା ସମୟରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ରାତିରେ ଶିବରାମଙ୍କ କାନକୁ କୌଣସି ଏକ ସରୀସୃପ କିମ୍ବା କୀଟ କାମୁଡି ଦେବାରୁ ସେ ତାକୁ ହାତରେ ବାହାର କରି ଫୋପାଡ଼ି ଦେଇଥିବା କହି ଥିବାରୁ କାଳ କୁଟ କିମ୍ବା କୌଣସି ବିଷାକ୍ତ କୀଟ କାମୁଡାରେ ଉଭୟଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ଖବର ପାଇ ପୁଲିସ ଏସ୍‌ଆଇ ସମୀର କୁମାର ସେଠୀ ମେଡିକାଲରେ ପହଞ୍ଚି ଶବକୁ ଜବତ କରିଥିବା ବେଳେ ଶନିବାର ବ୍ୟବଚ୍ଛେଦ ନିମନ୍ତେ ପଠାଯିବ ବୋଲି ଜଣାଯାଇଛି । ଏ ନେଇ ବୁଗୁଡା ଥାନାରେ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ସୂଚନା ଦେଇଛନ୍ତି । ଶିବରାମଙ୍କ ନିଜ ଗ୍ରାମ ପୋଲସରା ବ୍ଲକ ଅନ୍ତର୍ଗତ ମାଳ ତେନ୍ତୁଳିଆ ହୋଇଥିବା ବେଳେ ସେ ଶଶୁର ଘର ଗ୍ରାମ କାଞ୍ଜିଆପଲ୍ଲୀରେ ଦୀର୍ଘ ବର୍ଷ ହେଲା ରହି ମୁଲ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ଗୋଟିଏ ଦିନରେ ବାପ, ଝିଅଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ଏହି ଗରୀବ ହରିଜନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking