ନୂଆଦିଲ୍ଲୀ: ପ୍ୟାରିସ୍ରେ ଚାଲିଥିବା ୱାର୍ଲ୍ଡ କପ୍ ଷ୍ଟେଜ୍-୪ରେ ଭାରତୀୟ ଆର୍ଚର୍ମାନେ ଗୁରୁବାର ପୁରୁଷ ଓ ମହିଳା ଟିମ୍ ଇଭେଣ୍ଟ୍ରେ ଦୁଇଟି ବ୍ରୋଞ୍ଜ୍ ପଦକ ଜିତିଛନ୍ତି । ଧିରାଜ୍ ବୋମ୍ମାଦେବରା, ଅତନୁ ଦାସ ଏବଂ ତୁଷା ଶେଲ୍କେଙ୍କ ଭାରତୀୟ ଟିମ୍ ଗୁରୁବାର ଅନୁଷ୍ଠିତ ବ୍ରୋଞ୍ଜ୍ ପଦକ ପ୍ଲେଅଫ୍ ମ୍ୟାଚ୍ରେ ସ୍ପେନ୍ ଟିମ୍କୁ ୬-୨ (୫୪-୫୬, ୫୭-୫୫, ୫୬-୫୪, ୫୭-୫୫)ରେ ହରାଇ ଦେଇଛି । ଦ୍ୱିତୀୟ ସିଡ୍ ଭାରତୀୟ ପୁରୁଷ ଟିମ୍ ସେମିଫାଇନାଲ୍ରେ ଗୋଟିଏ ମିସ୍ ଫାୟାର୍ କରି ଚୀନା ତାଇପେଇ ଠାରୁ ପରାସ୍ତ ହୋଇ ସ୍ୱର୍ଣ୍ଣ ପଦକ ମ୍ୟାଚ୍ ହରାଇଥିଲା । ସେମିଫାଇନାଲ୍ରେ ଭାରତୀୟ ଟିମ୍ ସିଧା ୦-୬ ସେଟ୍ରେ ପରାଜିତ ହୋଇଥିଲା । ମହିଳା ଟିମ୍ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିଥିଲା ।
ସେମିଫାଇନାଲ୍ରେ ଟିମ୍ ଚୀନା ତାଇପେଇ ଠାରୁ ୦-୬ରେ ପରାଜିତ ହୋଇଥିଲା । ଅଙ୍କିତା ଭକତ, ଭଜନ କୌର ଏବଂ ସିମ୍ରନ୍ଜିତ୍ କୌର ପ୍ରଥମ ସେଟ୍ରେ ତିନିଥର ରେଡ୍ ସର୍କଲ୍କୁ ହିଟ୍ କରିଥିଲେ ମଧ୍ୟ ଦ୍ୱିତୀୟ ସେଟ୍ରେ ତିନିଟି ୭ ଓ ଗୋଟିଏ ୮ ସହିତ ୪୭ ପଏଣ୍ଟ୍ ହାସଲ କରିଥିଲା । ତୃତୀୟ ସେଟ୍ରେ ଚୀନା ତାଇପେଇ ଆର୍ଚର୍ ୫୩ ସ୍କୋର୍ କରିଥିଲେ ମଧ୍ୟ ଭାରତୀୟ ଆର୍ଚର୍ ଗୋଟିଏ ପଏଣ୍ଟ୍ ପଛରେ ରହି ସ୍ୱର୍ଣ୍ଣ ପଦକ ମ୍ୟାଚ୍ ହରାଇଥିଲେ । ବ୍ରୋଞ୍ଜ୍ ପଦ ପ୍ଲେଅଫ୍ରେ ଦୁଇଟି ସେଟ୍ ପଛୁଆ ଥିବା ଭାରତୀୟ ମହିଳା ଟିମ୍ ମେକ୍ସିକୋକୁ ୫-୪ (୫୨-୫୫, ୫୨-୫୩, ୫୫-୫୨, ୫୪-୫୨, ୨୭-୨୫)ରେ ହରାଇ ତୃତୀୟ ସ୍ଥାନ ହାସଲ କରିଛି ।