ନୂଆଦିଲ୍ଲୀ: ଆଜରବୈଜାନ୍ ରାଜଧାନୀ ବାକୁରେ ଚାଲିଥିବା ଶୁଟିଂ ୱାର୍ଲ୍ଡ ଚାମ୍ପିଅନ୍ଶିପ୍ରେ ଭାରତୀୟ ପୁରୁଷ ଟିମ୍ ୧୦ ମିଟର ଏୟାର ପିସ୍ତଲ୍ରେ ବ୍ରୋଞ୍ଜ୍ ପଦକ ଜିତିଛି । ଶିବ ନରୱାଲ୍, ସରବଜୋତ ସିଂହ ଓ ଅର୍ଜୁନ ସିଂହ ଚିମାଙ୍କ ଭାରତୀୟ ଟିମ୍ ୧୭୩୪ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଛି । ନରୱାଲ୍ ସର୍ବାଧିକ ୫୭୯, ସରବଜୋତ୍ ୫୭୮ ଏବଂ ଚିମା ୫୭୭ ପଏଣ୍ଟ ହାସଲ କରିଥିଲେ । ଜର୍ମାନୀ ଟିମ୍ ୧୭୪୩ ପଏଣ୍ଟ୍ ସହିତ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଚୀନ୍ ୧୭୪୯ ପଏଣ୍ଟ ହାସଲ କରି ପ୍ରଥମ ହୋଇଛି ।
ଅଗଷ୍ଟ ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଚାମ୍ପିଅନ୍ଶିପ୍ରେ ଭାରତର ୫୩ ଜଣିଆ ଟିମ୍ ଭାଗ ନେଉଛି । ଏହି ୱାର୍ଲ୍ଡ ଚାମ୍ପିଅନ୍ଶିପ୍ରେ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ ପାଇଁ ଶୁଟିଂର ୧୨ ଇଭେଣ୍ଟ୍ ପାଇଁ ୪୮ ଶୁଟର୍ଙ୍କ କୋଟା ରହିଛି । ଭାରତର ୧୯ ଶୁଟର୍ ଅଣଅଲିମ୍ପିକ୍ ଇଭେଣ୍ଟ୍ରେ ମଧ୍ୟ ଭାଗ ନେଉଛନ୍ତି । ୱାର୍ଲ୍ଡ ଶୁଟିଂ ଚାମ୍ପିଅନ୍ଶିପ୍ ଆରମ୍ଭ ପୂର୍ବରୁ ହିଁ ୩ ଭାରତୀୟ ଶୁଟର୍ ଅଲିମ୍ପିକ୍ ଗେମ୍ସ ପାଇଁ କୋଟା ହାସଲ କରିସାରିଛନ୍ତି । ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତର ସର୍ବାଧିକ ୧୫ ଶୁଟର୍ ଭାଗ ନେଇଥିଲେ ।