ଲଣ୍ଡନ : ଇଂଲଣ୍ଡରେ ଚାଲିଥିବା ୱାନ୍ଡେ କପ୍ ଟୁର୍ଣ୍ଣାମେଣ୍ଟ୍ ୨୦୨୩ରୁ ଭାରତୀୟ ବ୍ୟାଟର୍ ପୃଥ୍ୱୀ ଶ’ ବାଦ୍ ପଡ଼ିଛନ୍ତି । ଟୁର୍ଣ୍ଣାମେଣ୍ଟ୍ରେ ପୃଥ୍ୱୀ ନର୍ଥହାମ୍ପଟନ୍ଶାୟାର୍ ପକ୍ଷରୁ ଖେଳୁଛନ୍ତି । ରବିବାର ଡର୍ହାମ୍ ବିପକ୍ଷ ଏକ ମ୍ୟାଚ୍ରେ ଫିଲ୍ଡିଂ କରୁଥିବା ବେଳେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ସ୍କାନ୍ ପରେ ଆଘାତ ବହୁ ଗମ୍ଭୀର ଜଣାପଡ଼ିଥିବା ନର୍ଥହାମ୍ପଟନ୍ଶାୟାର ପକ୍ଷରୁ ଏକ ବୟାନରେ କୁହାଯାଇଛି । ଅବଶ୍ୟ ବିସିସିଆଇର ମେଡିକାଲ୍ ଟିମ୍ ପୃଥ୍ୱୀଙ୍କ ଦେଖାଶୁଣା କରୁଛି ଏବଂ ଶୁକ୍ରବାର ପୃଥ୍ୱୀ ଲଣ୍ଡନରେ ଜଣେ ଏକ୍ସପର୍ଟଙ୍କୁ ଭେଟିବାର ଅଛି ।
୨୩ ବର୍ଷୀୟ ପୃଥ୍ୱୀ ଅଗଷ୍ଟ ୯ ତାରିଖରେ ସମରସେଟ୍ ବିପକ୍ଷରେ ୧୫୩ ବଲ୍ରେ ୨୪୪ ରନ୍ର ରେକର୍ଡ ଇନିଂସ୍ ଖେଳିଥିଲେ । ଏହା ଟୁର୍ଣ୍ଣାମେଣ୍ଟ୍ ଇତିହାସରେ ସବୁଠୁ ବଡ଼ ବ୍ୟକ୍ତିଗତ ସ୍କୋର୍ । ଏହା ସହିତ ସେ ଓଲି ରବିନ୍ସନ୍ଙ୍କ ୨୦୬ ରନ୍କୁ ପଛରେ ପକାଇ ଦେଇଛନ୍ତି । ସେହିପରି ଲିଷ୍ଟ୍-ଏ’ ମ୍ୟାଚ୍ରେ ସର୍ବାଧିକ ସ୍କୋର୍ କରିବାରେ ସେ ଷଷ୍ଠ ବ୍ୟାଟର୍ ହୋଇଥିଲେ । ଏହି ତାଲିକାରେ ପ୍ରଥମ ନାମ ତାମିଲନାଡ଼ୁର ନାରାୟଣ ଜଗଦୀଶନ୍ଙ୍କର ରହିଛି । ଜଗଦୀଶନ୍ ବିଜୟ ହଜାରେ ଟ୍ରଫିରେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ୨୭୭ ରନ୍ର ଇନିଂସ୍ ଖେଳିଥିଲେ ।
ବାମହାତୀ ବ୍ୟାଟର୍ ଶ’ ବର୍ତ୍ତମାନ ସୁଦ୍ଧା ୱାନ୍ଡେ କପ୍ ୨୦୨୩ର ଚାରିଟି ମ୍ୟାଚ୍ରେ ଆକର୍ଷଣୀୟ ୧୪୩ ହାରରେ ମୋଟ ୪୨୯ ରନ୍ କରି ଟୁର୍ଣ୍ଣାମେଣ୍ଟ୍ର ଟପ୍ ସ୍କୋରର୍ ଅଛନ୍ତି । ତାଙ୍କ ନାମରେ ଚାରି ଇନିଂସ୍ରେ ଦୁଇଟି ଶତକ ରହିଛି । ଏହା ମଧ୍ୟରୁ ସମରସେଟ୍ ବିପକ୍ଷ ୧୫୩ ବଲ୍ରୁ ୨୪୪ ରନ୍ ସାମିଲ । ସେହିପରି ଅନ୍ୟ ତିନିଟି ଇନିଂସ୍ରେ ସେ ୧୨୫, ୨୬ ଓ ୩୪ ରନ୍ ସଂଗ୍ରହ କରିଛନ୍ତି ।