29.1 C
Bhubaneswar
Saturday, September 21, 2024
Homeଓଡିଶାପ୍ଲାଷ୍ଟିକ୍‌ କାରଖାନାରେ ବିସ୍ଫୋରଣ: ଆଖି ବୁଜିଲେ ଓଡ଼ିଆ ପ୍ରବାସୀ ଶ୍ରମିକ

ପ୍ଲାଷ୍ଟିକ୍‌ କାରଖାନାରେ ବିସ୍ଫୋରଣ: ଆଖି ବୁଜିଲେ ଓଡ଼ିଆ ପ୍ରବାସୀ ଶ୍ରମିକ

ଜଳେଶ୍ୱର: ହାଇଦ୍ରାବାଦର ଏକ ପ୍ଲାଷ୍ଟିକ୍‌ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ପ୍ରବାସୀ ରହିଛନ୍ତି। ପ୍ରବାସୀ ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ସୁଗୋ ପଞ୍ଚାୟତ ଅଧୀନ ବାଣିଦା ଗାଁ’ର ଶିବଶଙ୍କର ପାତ୍ରଙ୍କ ବଡ଼ପୁଅ ଜୟଦେବ (୨୪)। ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଜୟଦେବ ୩ ବର୍ଷ ତଳେ ପାଠପଢ଼ା ଛାଡ଼ି ହାଇଦ୍ରାବାଦ ଚାଲିଯାଇଥିଲେ। ସେଠାରେ ଗ୍ରାଣ୍ଡ କଲର୍ସ ପ୍ଲାଷ୍ଟିକ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ କାରଖାନାରେ ଶ୍ରମିକ ଭାବେ କାମ କରୁଥିଲେ। ତେବେ ପ୍ରାୟ ୨୫ ଦିନ ତଳେ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା।

ଏହି ବିସ୍ଫୋରଣରେ ୫ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଜୟଦେବଙ୍କ ସହ ଅନ୍ୟ କିଛି ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହାଇଦ୍ରାବାଦସ୍ଥିତ ଆପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଜୟଦେବଙ୍କ ପରଲୋକ ହୋଇଯାଇଛି। ଜୟଦେବ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ବେଳେ ତାଙ୍କର ଏପରି ଅସ୍ବାଭାବିକ ମୃତ୍ୟୁ ପରିବାର ସହ ପୂରା ବାଣିଦା ଗାଁ’ରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ଗତକାଲି ସନ୍ଧ୍ୟାରେ ଜୟଦେବଙ୍କ ମରଶରୀର ତାଙ୍କ ଘରେ ପହଞ୍ଚିବା ପରେ କାନ୍ଦ ବୋବାଳିରେ ପରିବେଶ ଫାଟି ପଡ଼ିଥିଲା। ଜୟଦେବଙ୍କ ମୃତ୍ୟୁରେ ସିଆଇଟିୟୁ ଶ୍ରମିକ ସଂଗଠନର ବ୍ଲକ୍‌ ସଂପାଦକ ପଲଟୁ, ବାମପନ୍ଥୀ ନେତା ଦିଲ୍ଲୀପ କୁମାର ଗିରି, ଦୀପ୍ତିମାନ ଆଚାର୍ଯ୍ୟ, ଗୌରୀକାନ୍ତ ମହାନ୍ତି, ଅଜିତ ଦାସ, ମଦନ ମାହାଲି, ମମତା ରାଜ, ମହାମାୟା ରାଜ, ନୀଳକଣ୍ଠ ମହାନ୍ତି, ଗଣେଶ ଜେନା ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହ ମୃତ ଜୟଦେବଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking