ମୁମ୍ବାଇ: ଆୟର୍ଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ ସହିତ କୋଚିଂ ଷ୍ଟାଫ୍ ମୁଖ୍ୟ ଭାବେ ଭିଭିଏସ୍ ଲକ୍ଷ୍ମଣ ଯିବେନାହିଁ । ରାହୁଲ ଦ୍ରାବିଡ୍ ଏବଂ ତାଙ୍କ କୋଚିଂ ଟିମ୍ ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଆମେରିକାରେ ଅଛନ୍ତି ଏବଂ ଆୟର୍ଲାଣ୍ଡ ବିପକ୍ଷ ସିରିଜ୍ ପାଇଁ ଟିମ୍ ସହିତ ଗସ୍ତ କରିବେ ନାହିଁ । ତେଣୁ ଲକ୍ଷ୍ମଣ କୋଚିଂ ଷ୍ଟାଫ୍ର ଦାୟିତ୍ୱ ସମ୍ଭାଳିବେ ବୋଲି ଅନୁମାନ କରାଯାଉଥିଲା । ମାତ୍ର ଏବେ ଜଣାପଡ଼ିଛି ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍ସିଏ) ମୁଖ୍ୟ ଏହି ଗସ୍ତରେ ସାମିଲ ହେବେନାହିଁ ।
ଏହା ପରିବର୍ତ୍ତେ ସୀତାଂଶୁ କୋଟକ ଏବଂ ସାଇରାଜ ବାହୁତୁଲେଙ୍କ ପରି ଅନ୍ୟ କୋଚ୍ ସପୋର୍ଟ ଷ୍ଟାଫ୍ର ସଦସ୍ୟ ହେବେ । ଲକ୍ଷ୍ମଣ ଏନ୍ସିଏର ଇମର୍ଜିଂ କ୍ୟାମ୍ପ୍ରେ ଅଂଶଗ୍ରହଣ କରିବେ । ଏହି କ୍ୟାମ୍ପ୍ରେ ସେ ଯୁବ ଖେଳାଳିଙ୍କ ଦକ୍ଷତା ପରୀକ୍ଷା କରିବେ । ୱେଷ୍ଟଇଣ୍ଡିଜ୍ ଗସ୍ତ ପରେ ଟିମ୍ ଇଣ୍ଡିଆ ଆୟର୍ଲାଣ୍ଡ ବିପକ୍ଷରେ ଆୟର୍ଲାଣ୍ଡରେ ଟି-୨୦ ସିରିଜ୍ ଖେଳିବ । ଏଥିପାଇଁ ଜସ୍ପ୍ରୀତ୍ ବୁମ୍ରାଙ୍କ ନେତୃତ୍ୱାଧୀନ ଟିମ୍ର ଖେଳାଳିମାନେ ଅଗଷ୍ଟ ୧୫ ତାରିଖରେ ଡବ୍ଲିନ୍ରେ ଏକାଠି ହେବେ । ଇଣ୍ଡିଜ୍ ବିପକ୍ଷ ଅନ୍ତିମ ଦୁଇଟି ଟି-୨୦ ମ୍ୟାଚ୍ ପାଇଁ ଫ୍ଲୋରିଡାରେ ଥିବା ଟିମ୍ର ଗୋଟିଏ ବ୍ୟାଚ୍ ଆମେରିକାରୁ ଡବ୍ଲିନ୍ ଅଭିମୁଖେ ଯାତ୍ରା କରିବ ।
ସେହିପରି ବୁମ୍ରାଙ୍କ ସମେତ ଟିମ୍ର ଅନ୍ୟ ଖେଳାଳି ମଙ୍ଗଳବାର ସକାଳେ ମୁମ୍ବାଇରୁ ବାହାରିବେ । ସିରିଜ୍ର ଆରମ୍ଭ ଅଗଷ୍ଟ ୧୮ ତାରିଖରୁ ହେବ ଏବଂ ସମସ୍ତ ତିନିଟି ଯାକ ମ୍ୟାଚ୍ ମଲାହାଇଡ୍ରେ ଖେଳାଯିବ । ଏହି ସିରିଜ୍ରେ ଟିମ୍ ଇଣ୍ଡିଆର ପ୍ରମୁଖ ଖେଳାଳି ବିରାଟ କୋହଲି, ରୋହିତ ଶର୍ମା, ରବୀନ୍ଦ୍ର ଜାଡ଼େଜା, ସୂର୍ଯ୍ୟକୁମାର ଯାଦବ ଓ ଶୁବମାନ ଗିଲ୍ ପ୍ରମୁଖଙ୍କୁ ବିଶ୍ରାମ ଦିଆଯାଇଛି ।
ଭାରତୀୟ ସ୍କ୍ୱାଡ୍: ଜସ୍ପ୍ରୀତ୍ ବୁମ୍ରା (କ୍ୟାପ୍ଟେନ୍), ଋତୁରାଜ ଗାଏକୱାଡ୍ (ଭାଇସ୍ କ୍ୟାପ୍ଟେନ୍), ଯଶସ୍ୱୀ ଜୈସ୍ୱାଲ, ତିଳକ ବର୍ମା, ରିଙ୍କୁ ସିଂହ, ସଞ୍ଜୁ ସାମ୍ସନ୍ (ୱିକେଟ୍କିପର୍), ଜିତେଶ ଶର୍ମା (ୱିକେଟ୍କିପର୍), ଶିବମ ଦୁବେ, ୱାଶିଂଟନ୍ ସୁନ୍ଦର, ଶାହବାଜ୍ ଅହମ୍ମଦ, ରବି ବିଷ୍ଣୋଇ, ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂହ, ମୁକେଶ କୁମାର ଓ ଆଭେସ୍ ଖାନ୍ ।