କଲମ୍ବୋ : ଚଳିତ ମାସ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଏସଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ପାଇଁ ଏସିଆ କ୍ରିକେଟ୍ କାଉନ୍ସିଲ୍ (ଏସିସି) ଶନିବାର ୧୨ ଜଣିଆ କମେଣ୍ଟ୍ରି ପ୍ୟାନେଲ୍ ଜାରି କରିଛି । ଏଥିରେ ଟିମ୍ ଇଣ୍ଡିଆ ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ, ୱାସିମ୍ ଆକ୍ରମ ଏବଂ ୱକାର ୟୁନିସ୍ ସାମିଲ ଅଛନ୍ତି । ତେବେ ଏହି ତାଲିକାରେ ଜଣାଶୁଣା କମେଣ୍ଟଟର୍ ଆକାଶ ଚୋପ୍ରାଙ୍କୁ ସାମିଲ କରାଯାଇ ନାହିଁ । ଭାରତର ପାଞ୍ଚଜଣ ଏବଂ ପାକିସ୍ତାନର ଚାରିଜଣ କମେଣ୍ଟେଟର୍ଙ୍କୁ ତାଲିକାରେ ସାମିଲ କରାଯାଇଛି ।
ସେହିପରି ଶ୍ରୀଲଙ୍କା, ବାଂଲାଦେଶ ଓ ନ୍ୟୁଜିଲାଣ୍ଡର ଜଣେ ଲେଖାଏଁ କମେଣ୍ଟେର୍ ରହିଛନ୍ତି । ଭାରତରୁ ରବି ଶାସ୍ତ୍ରୀଙ୍କ ବ୍ୟତୀତ ସଞ୍ଜୟ ମଞ୍ଜେରେକର, ଗୌତମ ଗମ୍ଭୀର, ଇର୍ଫାନ୍ ପଠାନ୍, ଦୀପ ଦାସଗୁପ୍ତାଙ୍କୁ ସାମିଲ କରାଯାଇଛି । ସେହିପରି ପାକିସ୍ତାନରୁ ୱାସିମ୍ ଆକ୍ରମ, ୱକାର ୟୁନିସ୍, ୱାଜିଦ୍ ଖାନ୍ ଏବଂ ରମିଜ୍ ରଜା ଏଥିରେ ସ୍ଥାନ ପାଇଛନ୍ତି । ଶ୍ରୀଲଙ୍କାର ରସେଲ୍ ଆର୍ଣ୍ଣୋଲ୍ଡ, ବାଂଲାଦେଶର ଅତହର ଅଲୀ ଖାନ୍ ଏବଂ ନ୍ୟୁଜିଲାଣ୍ଡର ସ୍କଟ୍ ଷ୍ଟାଇରିସ୍ ତାଲିକାରେ ସାମିଲ ଅଛନ୍ତି । ଏସିଆ କପ୍ ଅଗଷ୍ଟ ୩୦ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୭ ତାରିଖ ଫାଇନାଲ୍ରେ ଶେଷ ହେବ । ଅଂଶଗ୍ରହଣକାରୀ ୬ଟି ଟିମ୍କୁ ଦୁଇଟି ଗ୍ରୁପ୍ରେ ଭାଗ କରାଯାଇଛି । ଗ୍ରୁପ୍-ଏ’ରେ ଭାରତ, ପାକିସ୍ତାନ ଓ ନେପାଳ ଥିବାବେଳେ ଗ୍ରୁପ୍-ବି’ରେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଅଛନ୍ତି ।
ଅନଲାଇନ୍ରେ ଟିକେଟ୍ ବିକ୍ରି ଆରମ୍ଭ ଟୁର୍ଣ୍ଣାମେଣ୍ଟ୍ ପାଇଁ ଶନିବାର ଠାରୁ ଅନ୍ଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ତେବେ ଏହି ଟିକେଟ୍ କେବଳ ପାକିସ୍ତାନରେ ଖେଳାଯିବାକୁ ଥିବା ମ୍ୟାଚ୍ ପାଇଁ ଉପଲବ୍ଧ ହେବ । ଏହି ଟିକେଟ୍ ଭିଆଇପି, ପ୍ରମିୟମ୍ ଏବଂ ନର୍ମାଲ୍ କାଟାଗୋରୀରେ ମିଳୁଛି । କ୍ରିକେଟ୍ ପ୍ରଶଂସକ ଏହି ଅନ୍ଲାଇନ୍ ଟିକେଟ୍ ‘ପିସିବି ଡଟ୍ ବୁକ୍ମି ଡଟ୍ ପିକେ’ରେ ବୁକ୍ କରିପାରିବେ । ପାକିସ୍ତାନରେ ୧୫ ବର୍ଷ ପରେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ୍ ଆୟୋଜିତ ହେଉଥିବାରୁ ଅଧିକ ସଂଖ୍ୟକ ଦର୍ଶକଙ୍କୁ ଷ୍ଟାଡିୟମ୍ ଆଣିବା ନିମନ୍ତେ ପିସିବି ଏହି ଟିକେଟ୍ର ମୂଲ୍ୟ ସାମାନ୍ୟ ରଖିିଛି । ତେବେ ଶ୍ରୀଲଙ୍କାରେ ଆୟୋଜିତ ମ୍ୟାଚ୍ ପାଇଁ ଟିକେଟ୍ କେବେ ଉପଲବ୍ଧ ହେବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଶ୍ରୀଲଙ୍କାରେ ଟୁର୍ଣ୍ଣାମେଣ୍ଟ୍ର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୨ ତାରିଖରେ ଅନୁଷ୍ଠିତ ହେବ ଏବଂ ଏଥିରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ ।