28.1 C
Bhubaneswar
Sunday, November 24, 2024
Homeଓଡିଶାଅକ୍ଟୋବର ସୁଦ୍ଧା ମୟୂରଭଞ୍ଜ ୧୬ ବ୍ଲକରେ ହେବ କାର୍ଯ୍ୟକ୍ଷମ; ୨୧୨୭ କୋଟି ବ୍ୟୟରେ ମେଗା ପାଇପ୍...

ଅକ୍ଟୋବର ସୁଦ୍ଧା ମୟୂରଭଞ୍ଜ ୧୬ ବ୍ଲକରେ ହେବ କାର୍ଯ୍ୟକ୍ଷମ; ୨୧୨୭ କୋଟି ବ୍ୟୟରେ ମେଗା ପାଇପ୍ ଜଳ ପ୍ରକଳ୍ପ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ୧୬ ବ୍ଲକରେ ହେଉଛି ମେଗା ପାଇପ୍ ଜଳ ପ୍ରକଳ୍ପ । ଏଥିପାଇଁ ୨୧୨୭ କୋଟି ବ୍ୟୟ ବରାଦ ହୋଇଛି । ଆଗାମୀ ଅକ୍ଟୋବର ସୁଦ୍ଧା ତାହା କାର୍ଯ୍ୟକ୍ଷମ ହେବ । ସେହିପରି ଜିଲ୍ଲାର ୩ ବ୍ଲ୍‌କ୍‌ରେ ୧୭୯ କୋଟି ଟଙ୍କାରେ ମେଗା ଉଠା ଜଳସେଚନ ପ୍ରକଳ୍ପ ହେଉଥିବାବେଳେ ୭୩୮.୮ କୋଟି ବ୍ୟୟରେ ସୋନ ନଦୀ ବ୍ୟାରେଜ ପ୍ରକଳ୍ପ ହେଉଛି । ସେସବୁ ମଧ୍ୟ ଧାର୍ଯ୍ୟ ସମୟ ଭିତରେ ଶେଷ ହେବ । ଏହି ସୂଚନା ଦେଇଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶାନୁସାରେ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଥିବା ଶ୍ରୀ ପାଣ୍ଡିଆନ ଶନିବାର ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଧାର୍ଯ୍ୟ ସମୟରେ ଜନସାଧାରଣଙ୍କ ଅଭିଯୋଗର ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ । ସେ ବାରିପଦାର ଛଉ ପଡ଼ିଆରେ ପହଞ୍ଚିବା ପରେ ତାଙ୍କୁ ସ୍ୱୟଂ ସହାୟିକା ମହିଳାମାନେ ରାକ୍ଷୀ ବାନ୍ଧିଥିଲେ । ପରେ ଜନଶୁଣାଣି କାର୍ଯ୍ୟକ୍ରମରେ ସାମିଲ ହୋଇ ମିଶନଶକ୍ତି ମା’ଙ୍କ ସମସ୍ୟାର ଯଥାଶୀଘ୍ର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

ସେ କହିଥିଲେ, ଓଡ଼ିଶାକୁ ସଶକ୍ତ ରାଜ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଆପଣମାନଙ୍କୁ ବହୁତ ଭଲ ପାଆନ୍ତି, ଆପଣମାନଙ୍କ ଉନ୍ନତି ସେ ଚାହାନ୍ତି । ଏବେ ମିଶନଶକ୍ତି ଏକ ସାମାଜିକ ବିପ୍ଳବରେ ପରିଣତ ହୋଇଛି । ସବୁ କାମରେ ମିଶନଶକ୍ତି ସାମିଲ ହୋଇଛି । ରାଜ୍ୟରେ ୩ ଲକ୍ଷ ୭୫ ହଜାର ଗ୍ରୁପ୍ ୧୧,୩୦୦ କୋଟି ଟଙ୍କାର ଋଣ ନେଇଛନ୍ତି । କେବଳ ମୟୂରଭଞ୍ଜ ଜିଲ୍ଲା ପାଇଁ ୭୫୦ କୋଟି ଟଙ୍କା ଋଣ ଦିଆଯାଇଛି । ମା’ମାନେ ଏବେ ଉଦ୍ୟୋଗପତି ହେଲେଣି । ତେଣୁ ମା’ମାନଙ୍କୁ ଆହୁରି ଆଗକୁ ଆସିବାକୁ ପଡ଼ିବ । ଗାଁର ଅବ୍ୟବହୃତ ସରକାରୀ ପ୍ରତିଷ୍ଠାନକୁ କାର୍ଯ୍ୟରେ ଲଗାନ୍ତୁ । ବ୍ୟାଙ୍କ୍ ମିତ୍ର, ପ୍ରାଣୀ ମିତ୍ରଙ୍କ ଦରମା ବଢ଼ାଇବା ପାଇଁ ତର୍ଜମା ଚାଲିଛି । ସ୍ମାର୍ଟ ଆଇଡି କାର୍ଡ ମାସ ଦୁଇ ମାସ ଭିତରେ ମିଳିବ ବୋଲି ସେ ସ୍ପଷ୍ଟ କରିଥିଲେ ।

ଶ୍ରୀ ପାଣ୍ଡିଆନ କହିଥିଲେ, ୨୧୨୭ କୋଟି ଟଙ୍କା ବ୍ୟୟରେ ଚାଲିଥିବା ମେଗା ପାଇପ୍ ଜଳ ଯୋଗାଣ ଯୋଜନା ଓ ମଲ୍ଟି ଗ୍ରାମ ପାଇପ୍ ଜଳ ଯୋଜନାର ଅଗ୍ରଗତିର ସମୀକ୍ଷା କରାଯାଇଛି । ସେସବୁ ବ୍ଲକ୍‌ଗୁଡ଼ିକ ହେଉଛି ରାଇରଙ୍ଗପୁର, ବାଙ୍ଗ୍ରିପୋଷୀ, ସାମାଖୁଣ୍ଟା, କୁଲିଅଣା, ସୁଲିଆପଡ଼ା, ମୋରାଡ଼, ରାସଗୋବିନ୍ଦପୁର, ବେତନଟି, ଉଦଳା, ଗୋପାବନ୍ଧୁନଗର, କପ୍ତିପଦା, ତିରିଙ୍ଗି, ବହଳଦା, ଜାମଦା, ସାରସ୍‌କଣା, ବିଶୋଇ । ଏହା ୨୦୨୩ ଅକ୍ଟୋବର ସୁଦ୍ଧା ଜିଲ୍ଲାର ୧୬ ବ୍ଲକ୍‌ରେ ହେବ କାର୍ଯ୍ୟକ୍ଷମ । ଏଠାରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି । ଅକ୍ଟୋବର ୨୦୨୩ରୁ ଏହି ପ୍ରକଳ୍ପଗୁଡିକ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ ହେବ । ସେହିପରି ସୁବର୍ଣ୍ଣେରେଖା ଜଳସେଚନ ପ୍ରକଳ୍ପଯୋଗୁଁ ବେତନଟି ବ୍ଲକ୍‌ରେ ୭୨,୦୦୦ ଏକର ଜମିକୁ ଜଳସେଚିତ ହେବ । ବଡ଼ସାହି ବ୍ଲକ୍‌ରେ ମଧ୍ୟ ୧୧,୦୦୦ ଏକର ଜମିି ଜଳସେଚିତ ହେବ ।

ଶ୍ରୀ ପାଣ୍ଡିଆନ ପୁଣି କହିଥିଲେ, ୩ ବ୍ଲ୍‌କ୍‌ରେ ୧୭୯ କୋଟି ଟଙ୍କାରେ ମେଗା ଉଠା ଜଳସେଚନ ପ୍ରକଳ୍ପ ହେଉଛି । ସେସବୁ ବ୍ଲକ୍‌ଗୁଡ଼ିକ ହେଉଛି କୁଲିଅଣା, ବେତନଟି ଓ ସାରସ୍‌କଣା । ଏଥିଯୋଗୁଁ ୧୪,୯୧୦ ଏକର ଜମି ଜଳସେଚନ ହେବ । ୭୩୮.୮ କୋଟି ବ୍ୟୟରେ ସୋନ ନଦୀ ବ୍ୟାରେଜ ପ୍ରକଳ୍ପ ଯୋଗୁଁ ଗୋପାବନ୍ଧୁନଗର ଓ ବଡ଼ସାହି ବ୍ଲକ୍‌ର ୧୨,୧୮୬ ଏକର ଜମି ଜଳସେଚିତ ହେବାର ଲକ୍ଷ୍ୟ ରଖାଯାଇଛି । ସମୟସୀମା ମଧ୍ୟରେ ଏସବୁ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ୫-ଟି ସଚିବ ବାଙ୍ଗ୍ରିପୋଷୀ, ମୋରଡ଼ା ଓ ଉଦଳା ବ୍ଲକ୍‌ରେ ୨୪୫ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ସଡ଼କ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବା ସହ ଆମ ହସ୍ପିଟାଲ ଯୋଜନାର ଅଗ୍ରଗତିର ବି ସମୀକ୍ଷା କରିଥିଲେ। ଉକ୍ତ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର୍ ଭିନିଲକୃଷ୍ଣ, ଆଇଜି ହିମାଂଶୁୁ ଲାଲ୍‌, ଜିଲ୍ଲାପାଳ ଭିନୀତ୍ ଭରଦ୍ୱାଜ, ଏସ୍‌ପି ବାଟୁଲା ଗଙ୍ଗାଧର ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking