ଆଡିଲେଡ: ୟୁଗିନି ଲି ସୋମର୍ଙ୍କ ଡବଲ୍ ଗୋଲ୍ ବଳରେ ମରକ୍କୋ ବିପକ୍ଷରେ ୪-୦ ଗୋଲ୍ର ସହଜ ବିଜୟ ସହିତ ଫ୍ରାନ୍ସ ମଙ୍ଗଳବାର ଚଳିତ ଫିଫା ମହିଳା ବିଶ୍ୱକପ୍ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟ୍ର କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛି । ପରବର୍ତ୍ତୀ ରାଉଣ୍ଡ୍ରେ ଫ୍ରାନ୍ସ ସହ-ଆୟୋଜକ ଅଷ୍ଟ୍ରେଲିଆକୁ ଭେଟିବ । ବିଶ୍ୱକପ୍ ପଦାର୍ପଣରେ ଜର୍ମାନୀ ଭଳି ଟିମ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲେ ମଧ୍ୟ ଆଡିଲେଡ୍ର କୁପର୍ସ ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ ଫ୍ରାନ୍ସ ବିପକ୍ଷରେ ପ୍ରଭାବ ପକାଇବାରେ ମରକ୍କୋ ବିଫଳ ହୋଇଥିଲା ।
ମ୍ୟାଚ୍ର ୧୫ତମ ମିନିଟ୍ରେ କାଦିଦିଆଟେଉ ଦିଆନିଙ୍କ ପ୍ରଥମ ଗୋଲ୍ର ତୁରନ୍ତ ପରେ ପରେ କେଞ୍ଜା ଡାଲି ଏବଂ ଲି ସୋମର୍ଙ୍କ ଅନ୍ୟ ଦୁଇଟି ଗୋଲ୍ ସହାୟତାରେ ହାଫ୍ରେ ଫ୍ରାନ୍ସ ୩-୦ରେ ଅଗ୍ରଣୀ ଲାଭ କରିଥିଲା । ଫ୍ରାନ୍ସର ଅଲ୍ଟାଇମ୍ ଟପ୍ ସ୍କୋରର୍ ଭେଟେରାନ୍ ଲି ସୋମର୍ ୭୦ତମ ମିନିଟ୍ରେ ଭିକ୍କି ବେତୋଙ୍କ ପାସ୍ରୁ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍ କରି ସ୍କୋର୍ ଲାଇନ୍ ୪-୦ରେ ପହଞ୍ଚାଇଥିଲେ । ଫ୍ରାନ୍ସ କ୍ୱାର୍ଟର୍ ଫାଇନାଲ୍ରେ ଅଷ୍ଟ୍ରେଲିଆକୁ ଶନିବାର ବ୍ରିସ୍ବେନ୍ରେ ଭେଟିବ । ଗ୍ରୁପ୍ ପର୍ଯ୍ୟାୟରେ ପାନାମାକୁ ୬-୩ରେ ପରାଜିତ କରିଥିବା ଫ୍ରାନ୍ସ ଟିମ୍ରେ ଏହି ମ୍ୟାଚ୍ ପାଇଁ ପାଞ୍ଚଟି ପରିବର୍ତ୍ତନ କରାଯାଇଥିଲା ।
ସେହିପରି ମେଲ୍ବର୍ଣ୍ଣର୍ ଆମି ପାର୍କରେ ଖେଳାଯାଇଥିବା ଅନ୍ୟ ଏକ ପ୍ରି-କ୍ୱାର୍ଟର ମ୍ୟାଚ୍ରେ ଜାମାଇକାକୁ ୧-୦ ଗୋଲ୍ରେ ହରାଇ କଲମ୍ବିଆ ଅନ୍ତିମ ୮ରେ ସ୍ଥାନ ପକ୍କା କରିଛି । ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍ରେ ବିଜୟସୂଚକ ଏକମାତ୍ର ଗୋଲ୍ଟି କାଟାଲିନା ଉସ୍ମେ କରିଥିଲେ । ଏହି ବିଜୟ ଫଳରେ କଲମ୍ବିଆ ପ୍ରଥମ ଥର ପାଇଁ ବିଶ୍ୱକପ୍ କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛି । କ୍ୱାର୍ଟର୍ ଫାଇନାଲ୍ରେ ଟିମ୍ ୟୁରୋପିଆନ୍ ଚାମ୍ପିଅନ୍ ଇଂଲଣ୍ଡକୁ ଶନିବାର ଭେଟିବ ।
ଇଂଲଣ୍ଡ ପେନାଲ୍ଟି ଶୁଟ୍ ଆଉଟ୍ରେ ସୋମବାର ନାଇଜେରିଆକୁ ହରାଇ କ୍ୱାର୍ଟର୍ରେ ସ୍ଥାନ ପକ୍କା କରିଛି । ୨୦୧୯ ଟୁର୍ଣ୍ଣାମେଣ୍ଟ୍ ହରାଇବା ପରେ କଲମ୍ବିଆ ମହିଳା ଟିମ୍ ସ୍ମରଣୀୟ ଅଗ୍ରଗତି ଲାଭ କରି ଚଳିତ ଟୁର୍ଣ୍ଣାମେଣ୍ଟ୍ରେ ବିଶ୍ୱର ଦ୍ୱିତୀୟ ସ୍ଥାନରେ ଥିବା ଜର୍ମାନୀ ବିପକ୍ଷରେ ବିପର୍ଯ୍ୟୟ ସୃଷ୍ଟି କରିବାକୁ ସହିତ ଗ୍ରୁପ୍ ଶୀର୍ଷରେ ରହିଥିଲା । ସଂଘର୍ଷପୂର୍ଣ୍ଣ ମ୍ୟାଚ୍ର ୫୧ତମ ମିନିଟ୍ରେ ଉସ୍ମେ ଗୋଲ୍ କରି ଟିମ୍କୁ ଅଗ୍ରଣୀ କରିଥିଲେ । ଟୁର୍ଣ୍ଣାମେଣ୍ଟ୍ରେ ଗୋଟିଏ ଗୋଲ୍ ଖାଇନଥିବା ଶକ୍ତିଶାଳୀ ଜାମାଇକା ଖେଳାଳି ସ୍ଥିତି ବରାବର ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।