କଣାସ: କଣାସ ଥାନା ଅର୍ନ୍ତଗତ ଗଡବଡପୁଟ ଗ୍ରାମ ନିକଟରେ ରାଜୁଆ ନଦୀ ଉପରେ ଥିବା ବ୍ରିଜ୍ ଉପରୁ ଜଣେ ଯୁକ୍ତତିନି ଛାତ୍ରୀ ନଦୀ ମଧ୍ୟକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଅପରାହ୍ଣ ସୁଦ୍ଧା କଣାସ ଦମକଳ ବାହିନୀ ଓ ପୁଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ଛାତ୍ରୀଙ୍କ କୌଣସି ସନ୍ଧାନ ମିଳିନାହିଁ । ଖବର ନେବାରେ ଜଣାପଡ଼ିଛି ଯେ ଗଡ଼ବଡ଼ପୁଟ ଗ୍ରାମର ସୁକାନ୍ତ ଛୁଆଳସିଂହଙ୍କ ଝିଅ ସୂର୍ଯ୍ୟକାନ୍ତି ଛୁଆଳସିଂହ(୧୯) ଗ୍ରାମ ନିକଟସ୍ଥ ଚୌଦମୌଜା ବିଦ୍ୟୁତ୍ ସ୍ନାତକ ମହାବିଦ୍ୟାଳୟରେ ଯୁକ୍ତତିନି କଳା ପ୍ରଥମ ବର୍ଷର ଛାତ୍ରୀ ।
ସବୁଦିନ ଭଳି ସେ ଆଜି ନିଜ ସାଇକେଲ୍ ଓ କଲେଜ୍ ବ୍ୟାଗସହ ଘରୁ ବାହାରି କଲେଜ ଯାଇଥିଲେ । କିନ୍ତୁ ରାଜୁଆନଦୀ ସେତୁ ଉପରେ ପହଞ୍ଚି ସାଇକେଲ୍ ରଖି କିଛି ସମୟ ବ୍ରିଜ୍ ଉପରେ ଠିଆ ହେବାପରେ ହଠାତ୍ ନଦୀ ଭିତରକୁ ଡେଇପଡ଼ିଥିଲେ । ତାଙ୍କ ଆଖପାଖରେ ଥିବା କେତେକ ବ୍ୟକ୍ତି ଏହା ଦେଖି ଟିୟୁ ସାହାଯ୍ୟରେ ନଦୀ ଭିତରେ ପ୍ରଖର ସ୍ରୋତରେ ଖୋଜାଖୋଜି କରିବା ସହ କଣାସ ଥାନା ଓ ଦମକଳ ବାହିନୀଙ୍କୁ ଖବର ଦେଇଥିଲେ ।
ଥାନା ଅଧିକାରୀ ଓ ଦମକଳବାହିନୀ ଘଟଣାସ୍ଥାଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ସୂର୍ଯ୍ୟକାନ୍ତୀଙ୍କୁ ପାଇନଥିଲେ । ଅନୁମାନ କରାଯାଉଛି ରାଜୁଆନଦୀରୁ ନୂଆ ଦୋକନ୍ଦାଦେଇ ସୂର୍ଯ୍ୟକାନ୍ତୀ ଦୟାନଦୀକୁ ଭାସିଯାଇଛନ୍ତି । ସୂର୍ଯ୍ୟକାନ୍ତୀର ନିଖୋଜ ସଂପର୍କରେ ପରିବାର ପକ୍ଷରୁ କୌଣସି ଏତଲା ଦିଆଯାଇ ନଥିବା କଣାସ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।