ନୂଆଦିଲ୍ଲୀ: ମଙ୍ଗଳବାର ପ୍ରକାଶିତ ବିଡବ୍ଲ୍ୟୁଏଫ୍ ର୍ୟାଙ୍କିଙ୍ଗ୍ରେ ଡବଲ୍ ଅଲିମ୍ପିକ୍ ମେଡାଲିଷ୍ଟ୍ ଭାରତର ପିଭି ସିନ୍ଧୁ ଦୁଇଟି ସ୍ଥାନ ଉପରକୁ ଉଠି ୧୫ତମ ସ୍ଥାନରେ ପହଞ୍ଚଛନ୍ତି । ଅନ୍ୟପକ୍ଷରେ ପୂର୍ବତନ ବିଶ୍ୱ ନଂ-୧ କିଦାମ୍ବୀ ଶ୍ରୀକାନ୍ତ ୨୦ତମ ସ୍ଥାନକୁ ଖସିଯାଇଛନ୍ତି । ଖରାପ ସମୟ ଦେଇ ଗତି କରୁଥିଲେ ମଧ୍ୟ ସିନ୍ଧୁ ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆନ୍ ଓପନ୍ କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଥିଲେ ଏବଂ ଚାମ୍ପିଅନ୍ ଆମେରିକାର ବେୱେଙ୍ଗ୍ ଝାଙ୍ଗ୍ଙ୍କଠାରୁ ପରାଜିତ ହୋଇଥିଲେ । କ୍ୱାର୍ଟର୍ ଫାଇନାଲ୍ରେ ନିଜ ଦେଶର ପ୍ରିୟାଂଶୁ ରଜାୱତ୍ଙ୍କ ଠାରୁ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟ୍ରେ ଶ୍ରୀକାନ୍ତଙ୍କ ଯାତ୍ରାର ସମାପ୍ତି ଘଟିଥିଲା ।
ତେବେ ଟୁର୍ଣ୍ଣାମେଣ୍ଟ୍ ରନର୍ସଅପ୍ ଏଚ୍ଏସ୍ ପ୍ରଣୟ ଓ ଲକ୍ଷ୍ୟ ସେନ୍ ଯଥାକ୍ରମେ ନବମ ଓ ଏକାଦଶ ସ୍ଥାନରେ ପୂର୍ବପରି କାଏମ ରହିଛନ୍ତି । ସିଡ୍ନୀରେ ଖେଳାଯାଇଥିବା ସୁପର୍ ୫୦୦ ଟୁର୍ଣ୍ଣାମେଣ୍ଟ୍ରେ ଅସାଧାରଣ ପ୍ରଦର୍ଶନ ଫଳରେ ପ୍ରିୟାଂଶୁ ରଜାୱତ୍ କ୍ୟାରିୟର୍ ଶ୍ରେଷ୍ଠ ୨୮ତମ ସ୍ଥାନରେ ପହଞ୍ଚିଛନ୍ତି ।
ଅନ୍ୟ ଭାରତୀୟ ଶଟ୍ଲର୍ଙ୍କ ମଧ୍ୟରେ ମିଥୁନ ମଞ୍ଜୁନାଥ ଓ କିରନ୍ ଜର୍ଜ ମଧ୍ୟ ଯଥାକ୍ରମେ ୭ ଏବଂ ୬ଟି ସ୍ଥାନ ଉପରକୁ ଉଠି ୪୩ତମ ଓ ୪୯ତମ ସ୍ଥାନରେ ପହଞ୍ଚିଛନ୍ତି । ପୁରୁଷ ଡବଲ୍ସରେ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ସେଟୀ ଦ୍ୱିତୀୟ ସ୍ଥାନରେ ବଳବତ୍ତର ରହିଛନ୍ତି । ତେବେ ମହିଳା ଯୋଡ଼ି ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଦୁଇଟି ସ୍ଥାନ ତଳକୁ ଖସି ର୍ୟାଙ୍କିଙ୍ଗ୍ର ୧୯ତମ ସ୍ଥାନରେ ଅଛନ୍ତି ।