ଜୁରିକ: ଟେନିସ୍ ଜଗତର ମହାନତମ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ରୋଜର୍ ଫେଡରର୍ ମଙ୍ଗଳବାର ନିଜର ୪୨ତମ ଜନ୍ମବାର୍ଷିକୀ ପାଳନ କରିଛନ୍ତି । ଗତବର୍ଷ ଟେନିସ୍ରୁ ଅବସର ଘୋଷଣା କରିଥିବା ଫେଡେରର୍ ୧୯୮୧ ମସିହା ଅଗଷ୍ଟ ୮ ତାରିଖରେ ସ୍ୱିଜରଲାଣ୍ଡର ବାସେଲ୍ରେ ଜନ୍ମଗ୍ରହଣ କରିଥିଲେ । ଗତବର୍ଷ ସେପ୍ଟେମ୍ବର ୧୫ରେ ଲେବର୍ କପ୍ ପରେ ଟେନିସ୍କୁ ଅଲ୍ବିଦା କରିଥିବା ଫେଡେରର୍ ୨୪ ବର୍ଷର କ୍ୟାରିୟର୍ରେ ୨୦ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିଛନ୍ତି । ଏହା ବ୍ୟତୀତ କେତେକ ବଡ଼ ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି । ଏଟିପି ର୍ୟାଙ୍କିଙ୍ଗ୍ରେ ସର୍ବାଧିକ ସମୟ ପର୍ଯ୍ୟନ୍ତ ଶୀର୍ଷରେ କାଏମ ରହିବା ରେକର୍ଡ ଆଜି ମଧ୍ୟ ଫେଡେରର୍ଙ୍କ ନାମରେ ରହିଛି । ସେ ପ୍ରାୟ ୨୩୭ ସପ୍ତାହ ପର୍ଯ୍ୟନ୍ତ ଏକ ନମ୍ବର ସ୍ଥାନରେ ରହିଥିଲେ । ସେହିପରି ସେ ତିନିଥର ଗୋଟିଏ ବର୍ଷରେ ସମସ୍ତ ଚାରିଟି ଗ୍ରାଣ୍ଡ୍ ସ୍ଲାମ୍ ଟାଇଟଲ୍ ଜିତିବା ରେକର୍ଡ ମଧ୍ୟ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି କୀର୍ତ୍ତିମାନ କରିବାରେ ସେ ବିଶ୍ୱର ଏକମାତ୍ର ଟେନିସ୍ ଖେଳାଳି । ସେହିପରି ସର୍ବାଧିକ ଗ୍ରାଣ୍ଡ୍ ସ୍ଲାମ୍ ଟାଇଟଲ୍ ଜିତିବା କ୍ଷେତ୍ରରେ ସେ ତୃତୀୟ ନମ୍ବରରେ ରହିଛନ୍ତି ।