ଭୁବନେଶ୍ୱର: ଆଇଆଇଟି ହାଇଦ୍ରାବଦ୍ର( ଆଇଆଇଟି-ଏଚ୍) ପାଠ ପଢୁଥିବା ଜଣେ ଓଡ଼ିଆ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ତାଙ୍କ ରୁମ୍ରୁ ଉଦ୍ଧାର କରାଯାଇଛି । ଆଇଆଇଟି କ୍ୟାମ୍ପସର ହଷ୍ଟେଲ ରୁମ୍ରୁ ହାଇଦ୍ରାବାଦର ସଙ୍ଗାରେଡ୍ଡୀ ଗ୍ରାମାଞ୍ଚଳ ପୁଲିସ ତାଙ୍କ ମୃତ ଦେହକୁ ଉଦ୍ଧାର କରିଛି । ହଷ୍ଟେଲ ରୁମ୍ରେ ଲାଗିଥିବା ପଙ୍ଖାରେ ରଶୀ ଲାଗାଇ ସେ ଆତ୍ମହତ୍ୟା କରିଥିଲେ । ଘଟଣାସ୍ଥଳରୁ ପୁଲିସ ଏକ ସୁସାଇଡ୍ ନୋଟ୍ ପାଇଛି ।
ସମ୍ପୃକ୍ତ ଛାତ୍ରୀ ଜଣଙ୍କ ହେଲେ ମମିତା ନାୟକ (୨୧) । ତାଙ୍କ ଘର ବୀରମହାରାଜପୁର ବ୍ଳକ୍ର ଡୁମୁରି ଗାଁରେ । ସେ ଆଇଆଇଟି-ଏଚ୍ ର ସ୍ନାତକୋତ୍ତର ସିଭିଲ ଇଞ୍ଜିନିୟରିଂ ବିଭାଗର ପ୍ରଥମ ବର୍ଷର ଛାତ୍ରୀ ଥିଲେ । ଗତ ଜୁଲାଇ ୨୬ରେ ସେ ଏହି କ୍ୟାମ୍ପସକୁ ପାଠପଢା ପାଇଁ ଆସିଥିଲେ । ପୁଲିସ ସୂଚନା ମୁତାବାକ, ଗତ ସୋମବାର ରାତି ୧୦ଟା ସମୟରେ ମମିତାଙ୍କ ହଷ୍ଟେଲ ରୁମ୍ରେ ତାଙ୍କର ଝୁଲନ୍ତା ଶବକୁ ତାଙ୍କ ସହପାଠୀମାନେ ଦେଖିବା ପରେ ଏନେଇ ଆଇଆଇଟି- ଏଚ୍ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ । କର୍ତ୍ତୃପକ୍ଷଙ୍କ ଠାରୁ ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଶବ ଜବତ କରିଥିଲା । ଶବ ଜବତ କରାଯିବା ପରେ ଏସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି ।
ଏହା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତ ମମିତାଙ୍କ ରୁମ୍ରୁ ଜବତ ହୋଇଥିବା ସୁସାଇଡ଼୍ ନୋଟ୍ଟି ଓଡ଼ିଆରେ ମାତ୍ର ଦୁଇ ଧାଡି ଲେଖାଯାଇଛି । ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି ତାଙ୍କ ମୃତ୍ୟୁ ପଛରେ କାହାର ହାତ ନାହିଁ । ଅତ୍ୟଧିକ ଚାପରେ ଥିବାରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଅନ୍ୟପକ୍ଷରେ ତେଲଙ୍ଗାନା ରାଜ୍ୟ ହାଇଦ୍ରାବାଦର କାଣ୍ଡି ଜିଲ୍ଲାରେ ଅବସ୍ଥିତ ଏହି କ୍ୟାମ୍ପସରେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି । ମାତ୍ର ୩ ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଆତ୍ମହତ୍ୟା ଜନିତ ଘଟଣା । ପୁରା ବର୍ଷରେ କ୍ୟାମ୍ପରେ ମୋଟ ୪ ଜଣ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଛନ୍ତି ।