*ଅଗଷ୍ଟ ୨୦ ରେ ଆୟୋଜିତ ହେବ ପଂଚାୟତ ପ୍ରତିନିଧି ସମ୍ମିଳନୀ*
ଭୁବନେଶ୍ୱର – ସଂପ୍ରତି ଓଡ଼ିଶା ସରକାର ଆମ ଓଡ଼ିଶା ନବୀନ ଓଡ଼ିଶା ନାମରେ ଯେଉଁ ଯୋଜନା ଆଣିଛନ୍ତି
ତାହା ସମ୍ବିଧାନ ବିରୋଧି, ପଂଚାୟତ ପ୍ରତିନିଧି ମାନଙ୍କ ପ୍ରତି ଉପହାସ ଓ ପଂଚାୟତ ବ୍ୟବସ୍ଥା ଉପରେ କୁଠାରଘାତ
ବୋଲି ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ପ୍ରବକ୍ତା ତଥା ରାଜୀବ ଗାନ୍ଧୀ
ପଂଚାୟତ ରାଜ ସଂଗଠନର ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସ ମତବ୍ୟକ୍ତ କରିଛନ୍ତି । ଏହା ବିରୁଦ୍ଧରେ ବିଚାରାଳୟର ଆଶ୍ରୟ
ନେବା ସହିତ ପଂଚାୟତ ପ୍ରତିନିଧି ମାନଙ୍କ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ମାଧ୍ୟମରେ ଏହା ବିରୁଦ୍ଧରେ ଜନମତ ସୃଷ୍ଟି
ପାଇଁ ପ୍ରୟାସ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।
୭୩ ତମ ସମ୍ବିଧାନ ସଂଶୋଧନ ଆଇନ ପଂଚାୟତର ବିକାଶମୂଳକ କାମରେ ଗ୍ରାମସଭାକୁ ପ୍ରାଧାନ୍ୟ
ଦେଇଛି । ଗ୍ରାମ ସଭାର ବିନା ସୁପାରିଶ ଓ ଅନୁମୋଦନରେ ପଂଚାୟତରେ କୌଣସି କାର୍ଯ୍ୟ ହୋଇ ପାରିବ ନାହିଁ
ବୋଲି ସମ୍ବିଧାନ କହିଛି । ତୃଣମୂଳ ସ୍ତରରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାପାଇଁ ପଂଚାୟତ ବ୍ୟବସ୍ଥାରେ ଫଣ୍ଡ,
ଫଙ୍କସନ ଓ ଫଙ୍କସ୍ନାରୀ ବା ଅର୍ଥ, କାର୍ଯ୍ୟକ୍ରମ ଓ କାର୍ଯ୍ୟକର୍ତା ଉପରେ ଗୁରୁତ୍ୱ ସମ୍ବିଧାନ ଦେଇଛି । ମାତ୍ର ଆମ ଓଡ଼ିଶା
ନବୀନ ଓଡ଼ିଶା ଯୋଜନାରେ ଗ୍ରାମ ସଭା, ପଂଚାୟତ ପ୍ରତିନିଧି ଓ ପଂଚାୟତ ବ୍ୟବସ୍ଥାକୁ ଆଦୌ ଗୁରୁତ୍ୱ ଦିଆଯାଇ ନାହିଁ
କିମ୍ବା ଏ ବିଷୟରେ ଗାଇଡଲାଇନରେ କୌଣସି ଯାଗରେ ଉଲ୍ଲେଖ କରାଯାଇ ନାହିଁ । ଏହା ସମ୍ବିଧାନ ପ୍ରତି ଉପହାସ
ବୋଲି ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନର ରାଜ୍ୟ ପ୍ରଭାରୀ ତଥା ଜାତୀୟ ଆବାହକ ଶ୍ରୀ କୁନାଲ ବାର୍ନାଜୀ
ଅଭିଯୋଗ କରିଛନ୍ତି ।
ପ୍ରତି ପଂଚାୟତକୁ ୫୦ଲକ୍ଷ ଟଙ୍କାର ଅନୁଦାନ ଦିଆଯିବ ବୋଲି ଯୋଜନାରେ ଉଲ୍ଲେଖ ଅଛି । ଏଥିରେ
ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହିତ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ କରାଯିବ ବୋଲି କୁହାଯାଇଛି । ମାତ୍ର
ଏହାକୁ କାର୍ଯ୍ୟକାରି କରିବା କ୍ଷେତ୍ରରେ ପଂଚାୟତି ରାଜ ସଂସ୍ଥା ଓ ପଂଚାୟତ ପ୍ରତିନିଧି ମାନଙ୍କୁ ସଂଶ୍ଳିଷ୍ଟ କରାନଯିବା
ପଂଚାୟତ ପ୍ରତିନିଧି ମାନଙ୍କ ପ୍ରତି ଉପହାସ । ଯେଉଁ ସରପଂଚ ମାନଙ୍କୁ କରୋନା ସମୟରେ ମୁଖ୍ୟମନ୍ତ୍ରୀ କଲେକ୍ଟର
ବନେଇଥିଲେ ସେମାନେ ଏବେ ତାଙ୍କ ପଂଚାୟତରେ ରୂପାୟନ ହେବାକୁ ଥିବା ଯୋଜନାରେ ଭାଗିଦାର ହେବାର
ସୁଯୋଗ ନପାଇବା ଦୁର୍ଭାଗ୍ୟଜନକ । ଯୋଜନାର ଗାଇଡଲାଇନ ମୁତାବକ ପଂଚାୟତ ସମିତି ପ୍ରକଳ୍ପ ଗୁଡ଼ିକର ରୂପାୟନ
କରିବେ ବୋଲି ଉଲ୍ଲେଖ ଥିଲେ ମଧ୍ୟ ଏସବୁ ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେବ ଏବଂ ଏହାର ଚୂଡ଼ାନ୍ତ ନିଷ୍ପତି
ଜିଲ୍ଳାପାଳମାନେ ନେବେ ବୋଲି ନିର୍ଦ୍ଦେଶ ରହିଛି । ଅର୍ଥାତ ଏଠାରେ ତ୍ରିସ୍ତରୀୟ ପଂଚାୟତ ବ୍ୟବସ୍ଥା ପ୍ରତି ଉପହାସ
କରାଯାଇଛି ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ସଂଗଠନ ତରଫରୁ ଅଭିଯୋଗ କରାଯାଇଛି ।
ଏହା ବିରୁଦ୍ଧରେ ଓଡ଼ିଶାର ମାନ୍ୟବର ହାଇକୋର୍ଟର ଦ୍ୱାରସ୍ଥ ହେବ ରାଜୀବ ଗାନ୍ଧୀ ପଂଚାୟତ ରାଜ
ସଂଗଠନ । ଏହା ସହିତ ଆସନ୍ତା ଅଗଷ୍ଟ ୨୦ ତାରିଖ ରାଜୀବ ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଅବସରରେ ଏକ ରାଜ୍ୟସ୍ତରୀୟ
ପଂଚାୟତ ପ୍ରତିନିଧି ସମ୍ମିଳନୀ ମଧ୍ୟ ଆୟୋଜିତ ହେବ । ଦଳୀୟ ରାଜନୀତିରୁ ଉର୍ଦ୍ଧରେ ରହି ଓଡ଼ିଶାର ସମସ୍ତ ପଂଚାୟତ
ପ୍ରତିନିଧି ମାନେ ଏ ସମ୍ମିଳନୀରେ ଯୋଗଦେଇ ଏହାକୁ ସଫଳ କରିବାପାଇଁ ଆଜି ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ
ଦିଆଯାଇଛି । ପଂଚାୟତ ପ୍ରତିନିଧି ମାନେ ସେମାନଙ୍କର ସମ୍ବିଧାନ ପ୍ରଦତ ଅଧିକାରକୁ ସାବ୍ୟସ୍ତ କରିବାପାଇଁ ରାସ୍ତାକୁ
ଓହ୍ଲାଇବାକୁ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ ଓ ଶ୍ରୀ ବାର୍ନାଜୀଙ୍କ
ବ୍ୟତିତ ପୂର୍ବତନ ବିଧାୟକ ଶ୍ରୀ ଉମାବଲ୍ଲଭ ରଥ, ବିସ୍ମୟ ମହାପାତ୍ର ଓ ଶ୍ରୀ ନିରଦ ବରଣ ଖୁଂଟିଆ ପ୍ରମୁଖ ଉପସ୍ଥିତ
ଥିଲେ ।