କାବୁଲ: ତାଲିବାନ ଶାସନାଧିନ ଆଫଗାନିସ୍ତାନରେ ଜୁଲାଇ ୨୩ରୁ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବିୟୁଟି ପାର୍ଲରଗୁଡିକୁ ବ୍ୟାନ୍ କରାଯାଇଛି । ଏଥିପାଇଁ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଚଳିତମାସ ୪ରେ ସମୟସୀମା ଧାର୍ଯ୍ୟ କରାଯାଇଥିବାବେଳେ ଦେଶବ୍ୟାପୀ ପ୍ରତିବାଦର ସ୍ୱର ଉଠିଥିଲା । ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବିୟୁଟି ପାର୍ଲର ବନ୍ଦ କରାଯିବା ଦ୍ୱାରା ମହିଳାଙ୍କ ଅଧିକାର କ୍ଷୁଣ୍ଣ ହେବାସହିତ ଏହାର ପ୍ରତିକୂଳ ପ୍ରଭାବ ଆଫ୍ଗାନିସ୍ତାନ ଅର୍ଥନୀତି ଉପରେ ପଡିବ ବୋଲି ଜାତିସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏ ପ୍ରସଙ୍ଗର ପୁନର୍ବିଚାର କରିବାକୁ ଜାତିସଂଘ ପକ୍ଷରୁ ତାଲିବାନ ସରକାରଙ୍କୁ ଅନୁରୋଧ କରାଯାଇଛି । ବ୍ୟାନ୍ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବାପରେ ଜଣେ ବିୟୁଟି ପାର୍ଲର ଚଳାଉଥିବା ମହିଳା କହିଛନ୍ତି ଯେ ତାଙ୍କ ପାର୍ଲରରେ କାର୍ଯ୍ୟ କରୁଥିବା ପ୍ରାୟ ୧୦ ଜଣ ମହିଳାଙ୍କ ରୋଜଗାର ଉପରେ ସେମାନଙ୍କ ପରିବାର ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିବାବେଳେ ବର୍ତ୍ତମାନ ସେମାନେ ହତାଶ ହୋଇପଡିଛନ୍ତି ।