ଲଦାଖ: ବୁଧବାର ଦେଶବ୍ୟାପୀ କାର୍ଗିଲ ବିଜୟ ଦିବସ ପାଳିତ ହୋଇଛି । ୧୯୯୯ ଜୁଲାଇ ୨୬ରେ ଭାରତୀୟ ସେନା ଜମ୍ମୁ-କଶ୍ମୀର କାର୍ଗିଲ, ଦ୍ରାସ ସେକ୍ଟରରେ ଅନୁପ୍ରବେଶ କରିଥିବା ପାକିସ୍ତାନୀ ସେନାକୁ ପରାସ୍ତ କରି ଏହି ଅଞ୍ଚଳ ପୁଣି ନିଜ କବ୍ଜାକୁ ନେଇଥିଲା । ସେହିଦିନଠାରୁ ପ୍ରତିବର୍ଷ ଜୁଲାଇ ୨୬ରେ କାର୍ଗିଲ ବିଜୟ ଦିବସ ପାଳିତ ହୋଇଆସୁଛି । ବୁଧବାର ଲଦାଖର ଦ୍ରାସସ୍ଥିତ କାର୍ଗିଲ ଯୁଦ୍ଧ ସ୍ମାରକୀରେ ଆୟୋଜିତ ଉତ୍ସବରେ ଭାଷଣ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଜମ୍ମୁ-କଶ୍ମୀରର ସମ୍ମାନ ବଞ୍ଚାଇବା ଉଦ୍ଦେଶ୍ୟରେ ଆବଶ୍ୟକ ପଡିଲେ ଭାରତୀୟ ସେନା ଏଲଓସି (ନିୟନ୍ତ୍ରଣ ରେଖା) ଅତିକ୍ରମ କରିବାକୁ ପ୍ରସ୍ତୁତ ରହିଛି ।
ଯଦି ଏଭଳି ସ୍ଥିତି ଉପୁଜେ, ତେବେ ସେନାକୁ ପୂର୍ଣ୍ଣ ସମର୍ଥନ ଯୋଗାଇବାକୁ ସେ ସାଧାରଣ ନାଗରିକଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ପ୍ରସଙ୍ଗରେ ରାଜନାଥ ରୁଷ-ୟୁକ୍ରେନ୍ ଯୁଦ୍ଧର ଉଦାହରଣ ଦେଇଛନ୍ତି । ୟୁକ୍ରେନ୍ ନାଗରିକମାନେ ସ୍ୱଇଚ୍ଛାରେ ଯୁଦ୍ଧରେ ସାମିଲ ହୋଇଥିବାରୁ ଏହି ଯୁଦ୍ଧା ଏକବର୍ଷରୁ ଅଧିକ ସମୟ ଧରି ଚାଲିଥିବା ସେ କହିଛନ୍ତି । ବୁଧବାର ସକାଳେ ରାଜନାଥ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଗିଲ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପାକିସ୍ତାନ ପକ୍ଷରୁ କାର୍ଗିଲ ଯୁଦ୍ଧକୁ ଭାରତ ଉପରେ ଲଦି ଦିଆଯାଇଥିଲା ।
ତେବେ ଦେଶର ବୀର ଯବାନ ଅସାଧାରଣ ସାହସ ଓ ମୁକାବିଲା ମନୋଭାବ ପ୍ରଦର୍ଶନ କରି ଶତ୍ରୁପକ୍ଷକୁ ସେଭାରତୀୟ ସୀମାରୁ ହଟାଇବାରେ ସଫଳ ହୋଇଥିଲେ ବୋଲି ସେ କହିଛନ୍ତି । ସେମାନଙ୍କର ବଳିଦାନକୁ ଇତିହାସ ସବୁଦିନ ମନେ ରଖିବା ସହ ଆଗାମୀ ପିଢିକୁ ପ୍ରେରଣା ଯୋଗାଇବ ବୋଲି ରାଜନାଥ ଆଶାବ୍ୟକ୍ତ କରିଛନ୍ତି । କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ ରାଜନାଥ ଆହୁରି କହିଛନ୍ତି ଯେ ଅତୀତରେ ଭାରତ ପଡୋଶୀ ରାଷ୍ଟ୍ରଙ୍କ ସହ ଯେତେଥର ଯୁଦ୍ଧ ଲଢିଛି, ସେଥିରେ ଆମ ଦେଶର ନାଗରିକମାନେ ପରୋକ୍ଷଭାବେ ସେନାକୁ ଅକୁଣ୍ଠ ସହଯୋଗ ପ୍ରଦାନ କରିଆସିଛନ୍ତି । ତେବେ ସମୟ ଆସିଛି, ନାଗରିକମାନେ ପ୍ରତ୍ୟକ୍ଷଭାବେ ଯବାନଙ୍କୁ ସହଯୋଗ ପ୍ରଦାନ କରନ୍ତୁ ବୋଲି ରାଜନାଥ କହିଛନ୍ତି ।
ଦେଶର ସମ୍ମାନ ଓ ସ୍ୱାଭିମାନକୁ ରକ୍ଷା କରିବା ପାଇଁ ଆମ ସେନା ଯେକୌଣସି ସ୍ତରକୁ ଯାଇପାରିବ ବୋଲି ରାଜନାଥ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏଲଓସି ଅତିକ୍ରମ କରିବାକୁ ପଡିଲେ ସୁଦ୍ଧା ଆମେ କୁଣ୍ଠାବୋଧ କରିବୁ ନାହିଁ ବୋଲି ରାଜନାଥ ରୋକ୍ଠୋକ୍ ବାଣୀ ଶୁଣାଇଛନ୍ତି । ସୂଚନାଯୋଗ୍ୟ ୧୯୯୯ ମେ’ରେ ପାକିସ୍ତାନୀ ସେନା ଅତ୍ୟନ୍ତ ଗୋପନରେ ଏଲଓସି ଅତିକ୍ରମ କରି ଲଦାଖ୍ସ୍ଥିତ କାର୍ଗିଲ, ଦ୍ରାସ ଓ ଅନ୍ୟ ଘାଟିଗୁଡିକ ମାଡିବସିଥିଲା । ଦୀର୍ଘଦିନ ପରେ ସୂଚନା ମିଳିବାରୁ ଭାରତୀୟ ସେନା ପକ୍ଷରୁ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଜୁଲାଇ ୨୬ରେ କାର୍ଗିଲରୁ ପାକିସ୍ତାନୀ ସେନା ହଟିବାପରେ ଏହି ଅଘୋଷିତ ଯୁଦ୍ଧର ପରିସମାପ୍ତି ଘଟିଥିଲା । ଏହି ଯୁଦ୍ଧରେ କ୍ୟାପେଟନ ବିକ୍ରମ ବାତ୍ରା, ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେ, ମେଜର ରାଜେଶ ସିଂହ ଅଧିକାରୀ, ମେଜର ବିବେକ ଗୁପ୍ତାଙ୍କ ସମେତ ମୋଟ ୫୨୭ ଯବାନ ଓ ଅଧିକାରୀ ସହିଦ ହୋଇଥିବାବେଳେ ଶତାଧିକ ଆହତ ମଧ୍ୟ ହୋଇଥିଲେ ।