24.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶଦୁଇମାସ ପରେ ମଣିପୁରରେ ପହଞ୍ଚିଲା ମାଲଗାଡି

ଦୁଇମାସ ପରେ ମଣିପୁରରେ ପହଞ୍ଚିଲା ମାଲଗାଡି

ଇମ୍ଫାଲ: ଜାତିଗତ ହିଂସା ଉପୁଜିବାର ଦୀର୍ଘ ଅଢେଇ ମାସ ପରେ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ମାଲଗାଡି ପ୍ରଥମ ଥର ମଣିପୁରରେ ପ୍ରବେଶ କରିଛି । ମୁଖ୍ୟମନ୍ତ୍ରୀ ଏନ.ବୀରେନ ସିଂହ ସୋମବାର ତାମେଙ୍ଗଲୋଙ୍ଗ୍ ଜିଲ୍ଲା ଅନ୍ତର୍ଗତ ଖୋଙ୍ଗ୍‌ସାଙ୍ଗ୍ ଷ୍ଟେସନରେ ଏହି ଟ୍ରେନ୍‌କୁ ସ୍ୱାଗତ ଜଣାଇଛନ୍ତି । ଆସାମର ଗୁଆହାଟୀରୁ ଆସିଥିବା ଏହି ଟ୍ରେନ୍‌ରେ ଖାଦ୍ୟପଦାର୍ଥ, ଔଷଧପତ୍ର, ପୋଷାକ ଇତ୍ୟାଦି ଲୋଡ୍ କରାଯାଇଛି । ସୂଚନାଯୋଗ୍ୟ ଜାତିଗତ ହିଂସା ଉପୁଜିବାର ଦୁଇଦିନ ପରେ ଅର୍ଥାତ ମେ’ ୫ରୁ ମଣିପୁରରେ ଟ୍ରେନ୍‌ସେବାକୁ ବାତିଲ କରାଯାଇଥିଲା । ବର୍ତ୍ତମାନ ମଣିପୁର ବାସିନ୍ଦା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇବାରେ ବିଶେଷ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଉତ୍ତେଜନା ପ୍ରଶମିତ ହୋଇନଥିବା ସତ୍ତ୍ୱେ ରାଜ୍ୟରେ ମାଲଗାଡି ପହଞ୍ଚିବା ଏକ ଶୁଭସଙ୍କେତ ବୋଲି ମଧ୍ୟ ସେ କହିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି । ଉକ୍ତ ମାଲଗାଡିରେ ମହାରାଷ୍ଟ୍ରର ନାସିିକ୍‌ରୁ ଆସିଥିବା ପିଆଜ, ପଶ୍ଚିମବଙ୍ଗରୁ ଆସିଥିବା ଆଳୁ ଏବଂ ଆସାମରୁ ଆସିଥିବା ଅନ୍ୟ ଖାଦ୍ୟ ସାମଗ୍ରୀ ବୋଝେଇ ହୋଇଛି । ଏଭଳି ଆଉ କେତେକ ମାଲଗାଡି ଖୁବଶୀଘ୍ର ମଣିପୁରରେ ପହଞ୍ଚିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି । ରାଜ୍ୟର ଅନ୍ୟ ସ୍ଥାନରେ ହିଂସା ଥମିନଥିବାରୁ ଖୋଙ୍ଗ୍‌ସାଙ୍ଗ୍ ଷ୍ଟେସନରେ ମାଲଗାଡି ରହିବା ବ୍ୟବସ୍ଥା କରାଯାଇଛି । ଉକ୍ତ ମାଲଗାଡିକୁ ସୁରକ୍ଷା କର୍ମୀମାନେ ଜଗି ରହିଛନ୍ତି । ଏହି ସବୁ ସାମଗ୍ରୀ ଯେପରି ଲୁଟ୍ ନହୁଏ, ସେଥିପ୍ରତି ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking