32.1 C
Bhubaneswar
Saturday, October 19, 2024
Homeଓଡିଶାଚାଇନା ନାଗରିକଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର

ଚାଇନା ନାଗରିକଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର

ଭୁବନେଶ୍ୱର: ଶହେ କୋଟି ଟଙ୍କା ଠକେଇ ଅଭିଯୋଗରେ ଜଣେ ଚାଇନା ନାଗରୀକଙ୍କ ବିରୋଧରେ ଜାରି ହୋଇଛି ଲୁକ୍ ଆଉଟ୍ ସର୍କୁଲାର । କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ର ଅନୁରୋଧକ୍ରମେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିଭାଗର ବ୍ୟୁରୋ ଅଫ୍ ଇମିଗ୍ରେସନ୍ ପକ୍ଷରୁ ଏହି ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି । ସମ୍ପୃକ୍ତ ଚାଇନା ନାଗରିକ ଜଣଙ୍କ ହେଲେ ଗୁଆନ୍‌ହୁଏ ୱାଙ୍ଗ୍ । ତାଙ୍କ ଘର ଚାଇନାର ଜେନ୍‌ଜିଆଙ୍ଗ ପ୍ରୋଭିନ୍ସ ଜିହୁ ଜିଲ୍ଲାରେ ହୋଇଥିଲା ବେଳେ ସେ ଭାରତର ବାଙ୍ଗାଲୋର ସହରସ୍ଥିତ ଡେକିନ୍‌ସନ୍ ରୋଡରେ ଦୁଇଟି କମ୍ପାନୀ ଖୋଲିଥିଲେ ।

ଭୁବନେଶ୍ୱରର ଶକ୍ତିପ୍ରସାଦ ଦାସ କ୍ରେଡିଟ୍ ଗୋଲ୍ଡ ଆପକୁ ଡାଉନ୍ ଲୋଡ୍ କରିବା ପରେ ତାଙ୍କ ପାଖକୁ ୯ ହଜାର ଟଙ୍କା ଲୋନ୍ ଆସିଥିଲା । ୪ ଦିନ ପରେ ହ୍ୱାର୍ଟସଆପ୍ ଦ୍ୱାରା ତାଙ୍କୁ କଲ୍ କରାଯାଇ ୧୫ ହଜାର ଟଙ୍କା ଋଣ ରାଶି ଭରିବାକୁ କୁହାଯାଇଥିଲା । ସେ ଟଙ୍କା ଦେବାକୁ ମନା କରିବାରୁ ତାଙ୍କୁ ବିଭିନ୍ନ ନମ୍ବରରୁ କଲ କରାଯାଇ ଗାଳିଗୁଲଜ କରାଯିବ ସହ ଧମକ ଚମକ ଦିଆଯାଇଥିଲା । ଏନେଇ ଅଭିଯୋଗ ହେବା ପରେ ଇଓଡବ୍ଲ୍ୟୁ ଗତବର୍ଷ ୧୩/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଚାଇନା ନାଗରିକଙ୍କ ଦ୍ୱାରା ପରିଚାଳିତ ଏହି ଲୋନ୍ ଆପର ତଦନ୍ତ ବେଳେ ୱାଙ୍ଗ୍‌ଙ୍କର ଦୁଇଟି କମ୍ପାନୀର କଳାକାରନାମା ସାମ୍ନାକୁ ଆସିଥିଲା । ଏହାପରେ ଠକେଇ ଅଭିଯୋଗରେ ୱାଙ୍ଗଙ୍କ ବିରୋଧରେ ୧୯/୨୩ରେ ଇଓଡବ୍ଲ୍ୟୁ ଏକ ମାମଲା ରୁଜୁ କରିଥିଲା । ଆଜି ତାଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି ହୋଇଛି ।

ସେ ଖୋଲିଥିବା ଦୁଇ କମ୍ପାନୀ ଚିଟ୍‌ଫଣ୍ଡ ଓ କ୍ରିପ୍ଟୋ ଟ୍ରେଡ ସେଲ୍ ଚଳାଇବା ସହ ବେନାମୀ ବ୍ୟାଙ୍କ୍ ଆକାଉଣ୍ଟ ଖୋଲି ଠକେଇ କରୁଥିଲେ । କ୍ରାଇମ୍‌ବ୍ରାଞ୍ଚ ସୂଚନା ମୁତାବକ, ୨୦୧୯ରୁ ୨୦୨୦ ମଧ୍ୟରେ ୱାଙ୍ଗ୍ ପ୍ରାୟ ୬ ଥର ଚାଇନାରୁ ବାଙ୍ଗାଲୋର ଆସିଛନ୍ତି । ବାଙ୍ଗାଲୋରରେ ପ୍ରଥମେ ଗେମ୍‌କ୍ୟାମ୍ପ ସଲ୍ୟୁସନ ପ୍ରାଇଭେଟ୍ ଲିମିଟେଡ ଏବଂ ପରେ ବାଇରୋନ୍‌ଟେକ୍ ପ୍ରାଇଭେଟ୍ ଲିଃ. ନାମରେ ୨ଟି କମ୍ପାନୀ ଖୋଲିଥିଲେ । ୨୦୧୯ରେ ଏହି କମ୍ପାନୀ ଖୋଲାଯାଇଥିଲା । କିଛି ଭାରତୀୟ ତାଙ୍କର ସହଯୋଗୀ ପାଲଟିଥିଲେ । ଏହି କମ୍ପାନୀ ମାଧ୍ୟମରେ ଭାରତୀୟ ନାଗରିକଙ୍କଠାରୁ ପ୍ରାୟ ୧୦୦ କୋଟି ଟଙ୍କା ଠକେଇ ହୋଇଥିବା ଏପର୍ଯ୍ୟନ୍ତ ଜଣାପଡିଲାଣି ।

ଚାଇନାରୁ ସମ୍ପୂର୍ଣ୍ଣ ଭାବେ ଏହି ଦୁଇ ଠକ ସଂସ୍ଥା ଅପରେଟ୍ ହେଉଥିଲା ବେଳେ ଭାରତୀୟ ସହଯୋଗୀମାନେ ବାଙ୍ଗାଲୋରରେ ଏହାକୁ ବୁଝାସୁଝା କରୁଥିଲେ । ଏହି ମାମଲାରେ ପୂର୍ବରୁ ଇଓଡବ୍ଲ୍ୟୁ ସଂସ୍ଥାର ୭୦ ଲକ୍ଷ ଟଙ୍କା ଫ୍ରିଜ୍ କରିଥିଲା । ବିଗତ ଏକ ବର୍ଷ ମଧ୍ୟରେ ଏପର୍ଯ୍ୟନ୍ତ ଚାଇନା ନାଗରିକଙ୍କ ବିରୋଧରେ କ୍ରାଇମ୍‌ବ୍ରାଞ୍ଚ ୩ଟି ମାମଲା ରୁଜୁ କଲାଣି । ଏହି ମାମଲାରେ ୱାଙ୍ଗଙ୍କ ସମେତ ୬ ଜଣ ଚାଇନା ନାଗରିକଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁୁଲାର ଜାରି ହେଲାଣି । ସେମାନେ ହେଲେ ଲିୟୁ ୱିଇ, ଜିନ୍ ପେଙ୍ଗ୍‌, ସେନ୍ ଜେନ୍‌ହୁଏ କ୍ୟୁାନ୍ ହଙ୍ଗୱିଇ, ୟ୍ୟାଙ୍ଗ ହେଇଙ୍ଗ୍ । ଏମାନେ ସମସ୍ତେ ବାଙ୍ଗାଲୋରରେ କମ୍ପାନୀ ଖୋଲି ଭାରତୀୟ ନାଗରିକଙ୍କ ଠାରୁ ଠକେଇ କରିଛନ୍ତି । ତେବେ ଠକେଇର ଶୀକାର ହୋଇଥିବା ଅଧିକାଂଶ ବ୍ୟକ୍ତି ଛାତ୍ର ଏବଂ ନିମ୍ନ ମଧ୍ୟମ ବର୍ଗର । ଏହି ୩ ମାମଲାରେ ମୋଟ ଠକେଇର ପରିମାଣ ୧୦୦୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ତେବେ ବେଆଇନ୍ ଉପାୟରେ କମେଇ କରାଯାଇଥିବା ଏହି ଟଙ୍କା କ୍ରିପ୍ଟୋ ଟ୍ରେଡିଂ ମାଧ୍ୟମରେ ବାହାରକୁ ପଠାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking