ମୁମ୍ବାଇ: ଗତ ଡିସେମ୍ବର ୩୦ ତାରିଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ଭାରତୀୟ କ୍ରିକେଟ୍ ଦଳର ତାରକା ୱିକେଟ୍କିପର୍-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ୍ ନିକଟରେ ଅଭ୍ୟାସ ଆରମ୍ଭ କରିଛନ୍ତି । ବିସିସିଆଇ ମେଡିକାଲ୍ ଟିମ୍ ତାଙ୍କ ରିହାବିଲିଟେସନ୍ରେ ପରିଲକ୍ଷିତ ହୋଇଥିବା ଉନ୍ନତିରେ ସନ୍ତୋଷ ପ୍ରକାଶ କରିଛି । ସେ ଇତିମଧ୍ୟରେ ନେଟ୍ସରେ ବ୍ୟାଟିଂ କରିବା ସହ ୱିକେଟ୍ କିପିଙ୍ଗ୍ରେ ମଧ୍ୟ ଆଭ୍ୟାସ ଆରମ୍ଭ କରିସାରିଥିବା ଶୁକ୍ରବାର ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କ ପାଇଁ ମେଡିକାଲ୍ ଟିମ୍ ସ୍ୱତନ୍ତ୍ର ଫିଟ୍ନେସ୍ କାର୍ଯ୍ୟକ୍ରମ ସ୍ଥିର କରିଥିବା ବେଳେ ଏଥିରେ ଷ୍ଟ୍ରେନ୍ଥ, ଫ୍ଲେକ୍ସିବିଲିଟି ଓ ରନିଂ ଆଦି ରହିଛି ବୋଲି ବିସିସିଆଇ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ।
ସେହିପରି ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆଠାରୁ ଦୂରେଇ ରହିଥିବା ତାରକା ପେସର୍ ଜସପ୍ରୀତ୍ ବୁମରା ଓ ଯୁବ ପେସର୍ ପ୍ରସିଦ୍ଧ କ୍ରିଷ୍ଣା ସେମାନଙ୍କ ରିହାବିଲିଟେସନ୍ର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛନ୍ତି ବୋଲି ସ୍ପଷ୍ଟ କରାଯାଇଛି । ଏହି ଦୁଇ ବୋଲର୍ ନେଟ୍ସରେ ବୋଲିଂ ଆରମ୍ଭ କରିସାରିଛନ୍ତି ଏବଂ ଏନ୍ସିଏ ପକ୍ଷରୁ ଆୟୋଜିତ କେତେକ ଅଭ୍ୟାସ ମ୍ୟାଚ୍ ଖେଳିବା ପରେ ସେମାନଙ୍କ ଫିଟ୍ନେସ୍ ପ୍ରମାଣିତ ହେବ ବୋଲି ବିସିସିଆଇ ସୂଚନା ଦେଇଛି । ଏହାଛଡ଼ା ଦଳର ଉପଅଧିନାୟକ ଲୋକେଶ ରାହୁଲ୍ ଓ ଯୁବ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର୍ ସାମ୍ପ୍ରତିକ ସମୟରେ ଷ୍ଟ୍ରେନ୍ଥ ଓ ଫିଟ୍ନେସ୍ ଡ୍ରିଲ୍ସ କରୁଛନ୍ତି । ବିସିସିଆଇ ମେଡିକାଲ୍ ଟିମ୍ ମଧ୍ୟ ସେମାନଙ୍କ ଫିଟନେସ୍ର ଉନ୍ନତିରେ ସନ୍ତୋଷ ପ୍ରକାଶ କରିବା ସହ ଆଗାମୀ ଦିନରେ ସେମାନଙ୍କୁ ଅଧିକ କଡ଼ା ଅଭ୍ୟାସ କରିବାକୁ ଦିଆଯିବ ବୋଲି କୁହାଯାଇଛି ।