ଭଞ୍ଜନଗର: ଭଞ୍ଜନଗର ସ୍ୱତନ୍ତ୍ର ଉପକାରାଗାର ପରିସରରେ ଆଜି ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ଘଟିଛି। ମୃତକ ବେଲଗୁଣ୍ଠା ଥାନା ତନରଡା ଗ୍ରାମର ଚରଣ ବେହେରା (୪୦) ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଚରଣଙ୍କୁ ବେଲଗୁଣ୍ଠା ପୁଲିସ ଚାରି ଦିନ ତଳେ ଚୋରି ସଂକ୍ରାନ୍ତୀୟ ଏକ ମାମଲାରେ ଗିରଫ କରି ଭଞ୍ଜନଗର ଜେଲକୁ ପଠାଇଥିଲା। ଆଜି ସକାଳେ ଚରଣଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ଏଣେ ପରିବାର ଲୋକେ ଖବର ପାଇ ଭଞ୍ଜନଗର ମେଡିକାଲରେ ପହଞ୍ଚିଥିଲେ। ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖି ଚରଣଙ୍କୁ ଜେଲରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଚରଣଙ୍କ ତିନୋଟି ପୁଅଝିଅ ଅଛନ୍ତି। ସେମାନଙ୍କ ଭରଣପୋଷଣ ଲାଗି କ୍ଷତିପୂରଣ ଦାବି କରିବା ସହିତ ଉଚ୍ଚସ୍ତରୀୟ ତଦନ୍ତ କରି ପରିବାର ଲୋକଙ୍କୁ ନ୍ୟାୟ ପାଇଁ ଦାବି କରିଛନ୍ତି।