ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ସ୍ଥାନୀୟ ରାଉଜ୍ ଏଭେନ୍ୟୁ କୋର୍ଟ ବ୍ୟବସାୟୀ ଦିନେଶ ଆରୋରାଙ୍କୁ ଚାରିଦିନିଆ ଇଡି ହାଜତକୁ ପଠାଇଛନ୍ତି । ଅବକାରୀ ଘୋଟାଲା ମାମଲାରେ ସିବିଆଇ ପୂର୍ବରୁ ଦିନେଶ ଆରୋରାଙ୍କୁ ସରକାରୀ ସାକ୍ଷୀ କରିଥିଲା । ଗୁରୁବାର ଇଡି ତାଙ୍କୁ ଗିରଫ କରିବା ସହିତ ଆଜି କୋର୍ଟରେ ହାଜର କରାଇଥିଲା ।
ଇଡି ସାତଦିନ ମାଗିଥିବା ବେଳେ କୋର୍ଟ ଦିନେଶଙ୍କୁ ଚାରିଦିନ ପାଇଁ ହାଜତକୁ ପଠାଇଛନ୍ତି । ଦିନେଶ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନିକଟମ ବ୍ୟକ୍ତି ବୋଲି ଇଡି ପକ୍ଷରୁ କୋର୍ଟରେ କୁହାଯାଇଥିଲା । ସେହିପରି ଏହି ନେକ୍ସସ୍ରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଏଜେନ୍ସି ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ସିବିଆଇ ମାମଲାରେ ଦିନେଶ ସରକାରୀ ସାକ୍ଷୀ ଥିବାରୁ ତାଙ୍କୁ ଗିରଫ କରାଯିବା ସମ୍ପୂର୍ଣ୍ଣ ରୂପେ ବେଆଇନ ବୋଲି ତାଙ୍କ ଓକିଲ କୋର୍ଟଙ୍କୁ କହିଥିଲେ । ଦିଲ୍ଲୀର ଏକ କୋର୍ଟ ଗତବର୍ଷ ନଭେମ୍ବର ୧୬ ତାରିଖରେ ଦିନେଶ ଆରୋରାଙ୍କୁ ସରକାରୀ ସାକ୍ଷୀ କରିବା ନିମନ୍ତେ ସିବିଆଇର ଆବେଦନକୁ ସ୍ୱୀକାର କରିଥିଲେ ।