କୋଚି : ଦୁବାରୁ କୋଚି ଆସୁଥିବା ଏକ ସ୍ପାଇସ୍ଜେଟ୍ର ବିମାନ (ଏସ୍ଜି-୧୭)ର ମଙ୍ଗଳବାର ସକାଳେ କୋଚିରେ ଲ୍ୟାଣ୍ଡିଂ ବେଳେ ଟାୟାର୍ ଫାଟିଯାଇଛି । ସୌଭାଗ୍ୟକ୍ରମେ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି । ଯାଞ୍ଚ୍ ପରେ ଟାୟାର୍ ନଂ-୨ ଫାଟିବା ଜଣାପଡ଼ିଛି । ସ୍ପାଇଟ୍ଜେଟ୍ ମୁଖପାତ୍ର କହିଛନ୍ତି, ଉଡ଼ାଣ ବେଳେ ଏବଂ ପରେ ମଧ୍ୟ ସମସ୍ତ ସିଷ୍ଟମ୍ ସ୍ୱାଭାବିକ ଥିଲା । ଲ୍ୟାଣ୍ଡିଂ ମଧ୍ୟ ଠିକ୍ ଭାବେ ହୋଇଥିଲା । ତେବେ ଟାୟାର୍ କାହିଁକି ଫାଟିଲା, ତାହାର ଯାଞ୍ଚ୍ କରାଯାଉଛି ବୋଲି ସେ କହିଛନ୍ତି ।
ୟୁସିସି ଲାଗୁ ସମୟ ଆସିଯାଇଛି: ଉପରାଷ୍ଟ୍ରପତି
ଗୁଆହାଟ୍ୟୀ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ମଙ୍ଗଳବାର କହିଛନ୍ତି, ଏକକ ନାଗରିକ ସଂହିତା (ୟୁସିସି) ଲାଗୁ କରିବା ସମୟ ଆସିଯାଇଛି । ୟୁସିସି ଲାଗୁ କରିବାର ଏହା ଉଚିତ ସମୟ । ଏଥିରେ ବିଳମ୍ବ ଆମ ମୂଲ୍ୟ ପାଇଁ ହାନିକାରକ ହେବ ବୋଲି ସେ କହିଛନ୍ତି । ଆଇଆଇଟି ଗୁଆହାଟୀର ୨୫ତମ ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧନ ବେଳେ ଧନକଡ଼ ଏହା କହିଛନ୍ତି ।
ମୋଦୀ ସାଙ୍ଗିଆ ମାମଲା: ଝାଡ଼ଖଣ୍ଡ ହାଇକୋର୍ଟରୁ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି
ମୋଦୀ ସାଙ୍ଗିଆ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଙ୍ଗଳବାର ଝାଡ଼ଖଣ୍ଡ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ବ୍ୟକ୍ତିଗତ ଭାବେ ହାଜର ହେବାରୁ ତାଙ୍କୁ ଛାଡ଼ ମିଳିଛି । ଜଷ୍ଟିସ୍ ସଞ୍ଜୟ କୁମାର ଦ୍ୱିବେଦୀ ଆବେଦନର ଶୁଣାଣି କରି ବ୍ୟକ୍ତିଗତ ଭାବେ ହାଜର ପାଇଁ ଏମ୍ପି/ଏମ୍ଏଲ୍ଏ କୋର୍ଟ ତାଙ୍କୁ ଦେଇଥିବା ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୬ ତାରିଖରେ ହେବ ।
ମନୀଷ ସିସୋଦିଆଙ୍କ ପତ୍ନୀ ହସ୍ପିଟାଲ୍ରେ ଭର୍ତ୍ତି
ଅବକାରୀ ଘୋଟାଲା ମାମଲାରେ ତିହାର ଜେଲ୍ରେ ଥିବା ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପତ୍ନୀ ସୀମା ସିସୋଦିଆ ସ୍ୱାସ୍ଥ୍ୟାବସ୍ଥା ପୁଣିଥରେ ବିଗିଡ଼ିଯାଇଛି । ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ସୀମା ସିସୋଦିଆ ମଲ୍ଟିପଲ୍ ସ୍କେଲେରୋସିସ୍ ପରି ଗୁରୁତର ରୋଗରେ ପୀଡ଼ିତ । ଏହା ପୂର୍ବରୁ ତାଙ୍କୁ ଏପ୍ରିଲ୍ ୨୫ରେ ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା ।