34.1 C
Bhubaneswar
Friday, October 18, 2024
Homeଓଡିଶାସରିଲା ଅଧରପଣା ନୀତି, ଆସନ୍ତାକାଲି ନୀଳାଦ୍ରି ବିଜେ

ସରିଲା ଅଧରପଣା ନୀତି, ଆସନ୍ତାକାଲି ନୀଳାଦ୍ରି ବିଜେ

ପୁରୀ : ରଥ ଉପରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ଅଧରପଣା ନୀତି । ରଥ ସହିତ ଥିବା ପାର୍ଶ୍ୱ ଦେବାଦେବୀ ଓ ଚଣ୍ଡି ଚାମୁଣ୍ଡାଙ୍କ ଆତ୍ମାର ତୃପ୍ତି ପାଇଁ ଏହି ଅଧରପଣା ଭୋଗ ଓ ହାଣ୍ଡିଭଙ୍ଗା ଯିବାର ପରମ୍ପରା ରହିଛି । ମଧ୍ୟାହ୍ନ ଧୂପ ପରେ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ଏହି ଅଧରପଣା ନୀତି । ଆସନ୍ତକାଲି ଶ୍ରୀଜିଉମାନଙ୍କୁ ନୀଳାଦ୍ରି ବିଜେ କରାଯିବ । ଘୋଷଯାତ୍ରାର ଅନ୍ୟତମ ପ୍ରମୁଖ ନୀତି ହେଉଛି ଅଧରପଣା ନୀତି । ରଥାରୂଢ଼ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧର ପଣା କୁହାଯାଏ । ସ୍ୱତ୍ୱଲିପି ଅନୁଯାୟୀ ବାହୁଡ଼ା ଦଶମୀ ଦିନ ରଥ ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଅଧର ପଣା ଭୋଗ ହେବା କଥା । କିନ୍ତୁ ସମୟ ଅଭାବରୁ ଏହା ଏକାଦଶୀ ଦିନ ଅନୁଷ୍ଠିତ ହୋଇଥାଏ । ପ୍ରକୃତ ପକ୍ଷେ ଏହା ଏକାଦଶୀ ଦିନ ମଧ୍ୟ ହୋଇ ନ ପାରି ଦ୍ୱାଦଶୀ ତିଥିରେ କରାଯାଉଛି ।

 

ଆଜି ସକାଳ ୬ଟା ୫୫ରୁ ୭ଟା ୩୦ ମଧ୍ୟେ ମଙ୍ଗଳ ଆଳତି, ୭ଟା୨୫ରୁ ୭ଟା ୫୦ ମଇଲମ ଓ ତଡ଼ପଲାଗି, ୭ଟା ୪୫ରୁ ୮ଟା ୪୫ ଅବକାଶ ନୀତି, ୮ଟା ୧୫ରୁ ୯ଟା ଶ୍ରୀଜିଉଙ୍କୁ ବେଶ, ୯ଟା ୪୦ରୁ ୧୦ଟା ୫ ଗୋପାଳବଲ୍ଲଭ, ୧୦ଟା ୪୦ରୁ ୧୧ଟା ୩୦ ସକାଳ ଧୂପ, ୧୧ଟା ୪୦ରେ ମଇଲମ, ୧୧ଟା ୫୫ରୁ ୧୨ଟା ୧୫ ମହାସ୍ନାନ ଓ ସର୍ବାଙ୍ଗ, ୧୨ଟା ୧୦ରୁ ୧୨ଟା ୩୦ ମଇଲମ ଓ ବେଶଶେଷ, ୧ଟା ୧୦ରୁ ୧ଟା ୫୦ ତିନିରଥ ମଧ୍ୟାହ୍ନ ଧୂପ ନୀତି ଅନୁଷ୍ଠିତ ହୋଇଥିଲା । ପାଣିଆ ଆପଟ ସେବାୟତଙ୍କ ଦ୍ୱାରା ଛାଉଣି ମଠ କୂଅରୁ ଗରାରେ ପାଣି ଅଣାଯାଇ ଅଧର ହାଣ୍ଡିରେ ଭର୍ତ୍ତି କରାଯାଇଥିଲା । ମହାସୁଆର ସେବକ ସେଥିରେ କ୍ଷୀର, ସର, ଛାଚି, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୂର ଏବଂ ଜାଇଫଳ ପକାଇ ପଣା ପ୍ରସ୍ତୁତ କରିଥିଲେ ।

ପରେ ପତ୍ରିବଡୁ, ସୁଆରବଡୁ ଓ ଗରାବଡୁ ପୂଜା ପାଠ କରିଥିଲେ । ପୂଜାପଣ୍ଡା ସେବକଙ୍କ ଦ୍ୱାରା ପଞ୍ଚୋପଚାରରେ ମହାପ୍ରଭୁଙ୍କୁ ପଣାଭୋଗ କରାଯାଇଥିଲା । ଅଧରପଣା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ଓଡ଼ିଆ ମଠ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଇଥିଲେ । ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୮ ଟା ସୁଦ୍ଧା ଅଧରପଣା ନୀତି ସଂପୂର୍ଣ୍ଣ ହେବାର ଥିବା ବେଳେ ନୀତି ବିଳମ୍ବ ଯୋଗୁ ରାତ୍ର ୯ଟା ରେ ଅଧରପଣା ନୀତି ସରିଥିଲା । ଅଧରପଣା ହାଣ୍ଡି ଭଙ୍ଗାଯିବା ପରେ ରଥ ଉପର ପରିଷ୍କାର କରାଯାଇଥିଲା । ପରେ ମହାପ୍ରଭୁ ମହାସ୍ନାନ ହୋଇଥିଲେ । ପୁଣିଥରେ ଶ୍ରୀଜୀଉଙ୍କୁ ବେଶ କରାଯାଇଥିଲା । ଏହା ପରେ ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ, ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଅନୁଷ୍ଠିତ ହୋଇଥିଲା । ଗରୁଡଶୟନ ନୀତି ପରେ ମହାପ୍ରଭୁଙ୍କୁ ରାତ୍ରପହୁଡ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking